ସୁପର୍ ସନ୍‌ଡେ’ରେ WPL ଫାଇନାଲ୍ ଫାଇଟ୍, ଦିଲ୍ଲୀ କ୍ୟାପିଟାଲ୍ସ ଓ ଆର୍‌ସିବି ମଧ୍ୟରେ ଟକ୍କର

Published By : Prameya-News7 Bureau | March 17, 2024 IST

ନୂଆଦିଲ୍ଲୀ,୧୭/୦୩: ସୁପର ସନ୍‌ଡେରେ ହେବ ସୁପର ଫାଇଟ୍। ମହିଳା ପ୍ରିମିୟର ଲିଗ୍ ଦ୍ବିତୀୟ ସଂସ୍କରଣରେ ଆଜି ଟାଇଟଲ ଟକ୍କର । ଫାଇନାଲ୍ ଫାଇଟରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ସଂଧ୍ୟାରେ ଅରୁଣ ଜେଟିଲ୍ ଷ୍ଟାଡିୟମ ଦିଲ୍ଲୀରେ ଡବ୍ଲ୍ୟୁପିଏଲର ମହାମୁକାବିଲା ଖେଳାଯିବ । ଉଭୟର ଦଳ ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ରହିଛନ୍ତି ।  

ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ମାତ୍ର ରୟାଲ ଚ୍ୟାଲେଞ୍ଜର୍ସ ପ୍ରଥମ କରି ଫାଇନାଲ୍‌ ଖେଳିବାକୁ ଯାଉଛି । ସୀମିତ ସମୟ ମଧ୍ୟରେ ଅଗଣିତ ସମର୍ଥକ ସୃଷ୍ଟି କରିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଚାମ୍ପିଅନ୍‌ ହେବାକୁ ପ୍ରୟାସ କରିବ । ସେହିପଟେ ରୟାଲ୍‌ ଚ୍ୟାଲେଞ୍ଜର୍ସର ସ୍ୱପ୍ନରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଦୁଦ୍ଦର୍ଷ ଡିସି ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛି । 

ମେଗ୍ ଲ୍ୟାନିଂଙ୍କ ନେତୃତ୍ୱଧୀନ କ୍ୟାପିଟାଲ୍ସ ଗତ ବର୍ଷ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜିତ ହୋଇଥିଲା । ଏଥର ଦଳ ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିବା ସହ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ଏଲିମିନେଟର ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ରନରେ ପରାସ୍ତ କରି ଫାଇଲାନକୁ ଏଣ୍ଟ୍ରି ମାରିଥିଲା । 

ସ୍ମୃତି ମନ୍ଧନାଙ୍କ ନେତୃତ୍ବରେ ଆରସିବି ଫାଇନଲ୍ ଫାଇଟ୍ ପାଇଁ ପଡ଼ିଆକୁ ଓହ୍ଲାଇବ । ଆଉ ମାତ୍ର ଗୋଟିଏ ମ୍ୟାଚ୍ ଜିତିଲେ ଚାମ୍ପିଅନ୍ ହେବ ଦଳ । ଏନେଇ ସ୍ମୃତି ମନ୍ଧନାଙ୍କ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ମନ୍ଧନାଙ୍କ ବ୍ୟାଟିଂ ଦେଖିବାକୁ ଭାରତୀୟ କ୍ରିକେଟ୍‌ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ମାତ୍ର ଦଳ ନିର୍ଭର କରୁଛି ଏଲିସ ପେରୀ ଓ ରିଚା ଘୋଷଙ୍କ ବ୍ୟାଟିଂ ଉପରେ । ପେରୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ଫାଇନାଲ୍‌ରେ ପହଞ୍ଚିଛି କହିଲେ ଭୁଲ ହେବ ନାହିଁ । ସ୍ମୃତି, ରିଚା ଓ ପେରୀଙ୍କ ବ୍ୟାଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି ।   

 

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ବ୍ୟାଟିଂ ବିଭାଗ ବେଶ୍‌ ଶକ୍ତିଶାଳୀ । ଅଧିନାୟିକା ଲ୍ୟାନିଂଙ୍କ   ସମେତ ସେଫାଳି ବର୍ମା ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି । ମାତ୍ର ଦର୍ଶକଙ୍କ ନଜର ଜେମିମା ରୋଡ୍ରିଗ୍ସଙ୍କ ଉପରେ ରହିବ । ମୋଟ୍‌ ଉପରେ ଦେଖିବାକୁ ଗଲେ ଲ୍ୟାନିଂ ଓ ପେରୀଙ୍କ ମଧ୍ୟରେ  କଡ଼ା ମୁକାବିଲା ଦେଖିବାକୁ ମିଳିବ । ପେରୀ ୩୧୨ ରନ୍‌ ଓ ଲ୍ୟାନିଂ ୩୦୮  ରନ୍‌ ସଂଗ୍ରହ କରିସାରିଛନ୍ତି । ଫାଇନାଲ୍‌ ମୁକାବିଲା ଜରିଆରେ ଉଭୟ ଅରେଞ୍ଜ କ୍ୟାପ୍‌ ପାଇଁ ଲଡେଇ କରିବେ ।

  • prameyanews
  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.