କଳାହାଣ୍ଡି: ବଡ଼ ଭାଇର ବନ୍ଧୁକ ଗୁଳିରେ ସାନ ଭାଇର ମୃତ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦେହେଡ଼ା ଗାଁରେ l ମୃତକ ସାନଭାଇ ପୂର୍ଣ୍ଣଚନ୍ଦ୍ର ମାଝୀ।
ସୂଚନା ଅନୁସାରେ, ବର୍ଷ ତଳେ ପୂର୍ଣ୍ଣ ଏବଂ ତାଙ୍କ ବଡ଼ ଭାଇ କୃଷ୍ଣ ମାଝୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ପୂର୍ଣ୍ଣ ଏକ ଠେଙ୍ଗାରେ ବଡ଼ଭାଇଙ୍କୁ ଆକ୍ରମଣ କରିଥିଲା। ଏଥିରେ କୃଷ୍ଣ ମାଝୀଙ୍କ ହାତ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଆଉ ସେ ଚିକିତ୍ସାଧୀ ହୋଇଥିଲେ। ହେଲେ ଏକଥାର ପ୍ରତିଶୋଧ ନେବାକୁ ଅପେକ୍ଷା କରିଥିଲେ କୃଷ୍ଣ। ଆଉ ସୁସ୍ଥ ହେବା ପରେ ଏଭଳି କାଣ୍ଡ ଘଟାଇଛି।
ମୃତକଙ୍କ ପତ୍ନୀଙ୍କ ସୂଚନା ଅନୁସାରେ, ଶନିବାର କୃଷ୍ଣ ଘରକୁ ଆସି ପୂର୍ଣ୍ଣ କେଉଁଠି ବୋଲି ପଚାରିଥିଲେ । ଆଉ ଘର ଭିତରକୁ ପଶି ଯାଇ ପୂର୍ଣ୍ଣଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ପୂର୍ଣ୍ଣଙ୍କର ମୃତ୍ୟୁ ହୋଇଥିଲା l
ତେବେ ମୃତକଙ୍କ ପତ୍ନୀ ବିଶ୍ୱନାଥପୁର ଥାନାର ଦ୍ୱାରସ୍ତ ହେବା ପରେ କେସିଙ୍ଗା ଏସଡିପିଓ ଅଜୟ ଦାସ, ସାଇଣ୍ଟିଫିକ ଟିମ ମନୋଜ କୁମାର ବେହେରା, ବିଶ୍ୱନାଥପୁର ଆଇଆଇସି ମମତା ହେମ୍ବ୍ରମ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି ଏକ ମାମଲା ରୁଜୁ କରି ପଚରାଉଚରା କରୁଥିବା ବିଶ୍ଵନାଥପୁର ପୋଲିସ ପକ୍ଷରୁ ସୁଚନା ମିଳିଛି l