ବ୍ରହ୍ମପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟଣା। ୬ ଘଣ୍ଟା ପରେ ଛାତ ଉପରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ଘଟଣା ଘଟିଛି ବ୍ରହ୍ମପୁର ଗୋସାଣୀ ନୂଆଗାଁ ଥାନା ଅନ୍ତର୍ଗତ ମିନାକ୍ଷୀ ନଗରଠାରେ। ମୃତକ ହେଉଛନ୍ତି ଲାଠିର ଶ୍ରମିକ ସନ୍ତୋଷ ବେହେରା।
ସୂଚନା ଅନୁଯାୟୀ, ମିନାକ୍ଷୀ ନଗରଠାରେ ଜଣକ ଘରକୁ କାମ କରିବାକୁ ଯାଇଥିଲେ ସନ୍ତୋଷ। ହେଲେ ଛାତ ଉପରେ ଚୂନ ମାରୁଥିବାବେଳେ ଘର ଉପର ଦେଇଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା।
ଏହି ଘଟଣାକୁ ନେଇ କ୍ଷତି ପୂରଣ ଓ ଘର ଛାତ ଉପରୁ ବିଦ୍ୟୁତ ତାର ହଟାଇବାକୁ ଦାବି କରି ରାସ୍ତାରୋକ କରିଥିଲେ ଅଞ୍ଚଳବାସୀ। ଖବର ପାଇ ଟାଟା ପାୱାର ଅଧିକାରୀ, କର୍ମଚାରୀ ଏବଂ ପୋଲିସ ଉପସ୍ଥିତିରେ ଶବକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଆଉ ପ୍ରାୟ ୬ ଘଣ୍ଟାର ବୁଝାସୁଝା ପରେ ଆନ୍ଦୋଳନ ହଟିଥିଲା।
ଯେଉଁ ସବୁ ସ୍ଥାନରେ ଏଭଳି ଘର ଉପରେ ବିଦ୍ୟୁତ ତାର ଯାଇଛି ସେସବୁ ସ୍ଥାନରୁ ତୁରନ୍ତ ବିଦ୍ୟୁତ ତାର ହଟାଯାଇ ସୁବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେପଟେ ନିୟମ ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ।