ନୂଆଦିଲ୍ଲୀ ୦୪।୧୦: ଏଣିକି ଗମନାଗମନ ହେବ ଖୁବ୍ ସହଜ । ଆସୁଛି ଏୟାର ସ୍କୁଟର । ଏହାକୁ ବ୍ୟକ୍ତିଗତ ଭାବେ ଜଣେ ଉଡାଇପାରିବେ । କାର୍ର ବିକଳ୍ପ ରୂପେ ଏହାକୁ ଡିଜାଇନ୍ କରାଯାଇଛି । ଜାପାଟା କମ୍ପାନୀ ଏହି ‘ଏୟାର୍ସ୍କୁଟର’କୁ ଲୋକଲୋଚନକୁ ଆଣିଛି ।
ଏଥିରେ ହାଇବ୍ରିଡ୍ ରୋଟର ବ୍ଲେଡ୍ ଲାଗିଛି । ଏହା ଘଣ୍ଟା ପ୍ରତି ୧୦୦ କିମି ବେଗରେ ଉଡ଼ିପାରେ । ଏହାର ଅଣ୍ଡାକୃତି କକ୍ପିଟ୍ ଭିତରେ ବସି ଯେକୌଣସି ବ୍ୟକ୍ତି ସ୍କୁଟର ଉଡ଼ାଇ ପାରିବେ । କାର୍ରେ ଯେଉଁ ଯାତ୍ରା ଲାଗି ୨ ଘଣ୍ଟା ସମୟ ଲାଗେ, ଏୟାର୍ସ୍କୁଟରରେ ମାତ୍ର ୧୦ ମିନିଟ୍ ସମୟ ଲାଗିବ । ଏହାର ଓଜନ ମାତ୍ର ୧୧୫ କିଲୋ ।
ତେବେ ଏହା ଏବେ ନିର୍ମାଣାଧୀନ ଅବସ୍ଥାରେ ଅଛି । ଅନ୍ୟ ଉଡ଼ନ୍ତା ଯାନ ଭଳି ଏୟାର୍ସ୍କୁଟର ପରିବେଶ ଅନୁକୂଳ ନୁହେଁ, କାରଣ ପ୍ରପଲ୍ସନ ପାଇଁ ଏହା ଆଂଶିକ ଇନ୍ଧନ ଆବଶ୍ୟକ କରେ । ଏହାର ଫଟୋ ଜାପାଟାଙ୍କ କମ୍ପାନି ଜାପାଟା ପକ୍ଷରୁ ଶେୟାର କରାଯାଇଛି । ତେବେ ଏହା ଏବେ ନିର୍ମାଣାଧୀନ ଅବସ୍ଥାରେ ଅଛି ବୋଲି କମ୍ପାନି ସ୍ପଷ୍ଟ କରିଛି ।
ଜାପାଟା କହିଛନ୍ତି, ଆମକୁ ଯାତାୟାତର ନୂଆ ଯୁଗକୁ ନେବାର ଏହି ଯାନ ହେଉଛି ପ୍ରଥମ ପାହାଚ । ଏୟାର୍ସ୍କୁଟର ସମୟର ଆବଶ୍ୟକତା ଏବଂ ଉଡ଼ାଣର ଅନନ୍ୟ ସ୍ୱାଧୀନତା ପ୍ରଦାନ କରେ । ତେଣୁ ଏହା ବାୟୁମାର୍ଗରେ ଯାତ୍ରୀଙ୍କ ଗମନାଗମନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ଆଗାମି କିଛି ବର୍ଷରେ ଏହାକୁ ଉପଲବ୍ଧ କରାଇବାକୁ କମ୍ପାନି ଲକ୍ଷ୍ୟ କରିଛି ।
ଏୟାର୍ସ୍କୁଟର ଭୂଲମ୍ବ ଉଡ଼ାଣ ଓ ଅବତରଣ କରିବ । ବାୟୁମାର୍ଗକୁ ସିଧା ଉଡ଼ାଣ ଭରିବା ଯୋଗୁ ଅଧିକ ରନ୍ୱେର ଆବଶ୍ୟକ ନାହିଁ । ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା ନିର୍ମିତ ହୋଇଥିଲେ ମଧ୍ୟ ଏହା ବଜାରରେ ବିକ୍ରି ହେବନି । ଲୋକେ ଏହାର ପାଇଲଟ୍ଙ୍କୁ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ଦେଇ ୪୦ ମିନିଟ୍ ଧରି ଏୟାର୍ସ୍କୁଟରରେ ବସି ଉଡ଼ାଣ ଭରି ପାରିବେ ।