ନୂଆଦିଲ୍ଲୀ: ପ୍ରାୟ ତିନି ବର୍ଷ ଧରି ୟୁକ୍ରେନ ସହ ଯୁଦ୍ଧ ଲଢୁଛି ରୁଷ । ଏହି ଯୁଦ୍ଧରେ ରୁଷ ନିଜର ଲକ୍ଷ ଲକ୍ଷ ସଂଖ୍ୟାରେ ସୈନିକ ହରାଇବା ସହ ପୁଞ୍ଜି ବି ହରାଇଛି । ଯୁଦ୍ଧ ପରଠୁ ରୁଷ ନିଜ ମୋଟ ସମ୍ପତ୍ତିର ଏକ ଚତୁର୍ଥାଂଶ ଅର୍ଥରାଶି ହରାଇଛି । ଏହି ଅର୍ଥରାଶିକୁ ଯୁଦ୍ଧ ପ୍ରସ୍ତୁତି ଏବଂ ୟୁକ୍ରେନ ଉପରେ ଆକ୍ରମଣରେ ଖର୍ଚ୍ଚ କରିଛି । ଦେଶର ଅର୍ଥ ମନ୍ତ୍ରଣାଳୟର ଡାଟା ଅନୁସାରେ ରୁଷର ନ୍ୟାସନାଲ ୱେଲ୍ ବିଇଙ୍ଗ୍ ଫଣ୍ଡରେ ଏବେ ୧୨ ଟ୍ରିଲିୟନ ରୁବେଲ ରହିଛି । ତେବେ ରୁଷ ପାଖରେ କ୍ୟାସ୍ ରିଜର୍ଭରେ ହ୍ରାସ ଘଟିଛି । ଯାହା ଏବେ କେବଳ ୩.୮ ବିଲିୟନ ରୁବେଲ ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ୨୪ ପ୍ରତିଶତ କମ । ଏହି ଡାଟା ୨୦୨୩ ଜାନୁଆରୀ ୧ ତୁଳନା ଆଧାରରେ କରାଯାଇଛି ।
ସେହିପରି ୨୦୨୨ ଆରମ୍ଭ ତୁଳନାରେ ଏହି ସଂଖ୍ୟା ୫୭ ପ୍ରତିଶତ କମ ରହିଛି । ଦୁଇ ବର୍ଷ ପୂର୍ବେ ରୁଷ ପାଖରେ କ୍ୟାସ୍ ରିଜର୍ଭ ୮.୯ ଟ୍ରିଲିୟନ ରୁବେଲ ଥିଲା, ଯାହା ଏବେ ଅଧାରୁ ବି କମ ରହିଛି । ସ୍ଥିତି ଏପରି ହୋଇଛି ଯେ ମିଲିଟାରୀ ଉପରେ ବଡ଼ ଖର୍ଚ୍ଚ ଯୋଗୁଁ ରୁଷର ଅର୍ଥବ୍ୟବସ୍ଥା ଦୁର୍ବଳ ସମୟ ଦେଇ ଗତି କରୁଛି ଏବଂ ଲୋକ କଲ୍ୟାଣ ଯୋଜନା ଉପରେ ଖର୍ଚ୍ଚ କରିବା ପାଇଁ ନଗଦର ଅଭାବ ଦେଖାଯାଇଛି । ରୁଷର ବର୍ତ୍ତମାନ ସ୍ଥିତି ବି ତେଲ ଏବଂ ଗ୍ୟାସ୍ ରପ୍ତାନୀ ଯୋଗୁଁ ସମ୍ଭବପର ହୋଇପାରିଛି । ଅର୍ଥ ମନ୍ତ୍ରଣାଳୟ ଅନୁସାରେ ତେଲ ଏବଂ ଗ୍ୟାସ ରପ୍ତାନୀ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ହୋଇଛି ଏବଂ ଏହି କାରଣରୁ ଅର୍ଥବ୍ୟବସ୍ଥାକୁ ଚଲାଇବା ସମ୍ଭବ ହୋଇପାରୁଛି । ଏବେ ସୁଦ୍ଧା ୧.୩ ଟ୍ରିଲିୟନ ରୁବେଲ ରୁଷ ନିଜର ୱେଲବିଇଙ୍ଗ ଫଣ୍ଡରୁ ଖର୍ଚ୍ଚ କରିସାରିଛି ।
ବିଶେଷଜ୍ଞଙ୍କ ମତରେ ରୁଷର ଅର୍ଥବ୍ୟବସ୍ଥା ଉପରେ ଆମେରିକା ଏବଂ ଏହାର ମିତ୍ରରାଷ୍ଟ୍ରଙ୍କ ଦ୍ୱାରା ଜାରି କରାଯାଇଥିବା କଟକଣାର ପ୍ରଭାବ ପଡ଼ିଛି । ସେପଟେ ଯୁଦ୍ଧ ଯୋଗୁଁ ରୁଷ ଲଗାତାର ନିଜର ସୈନ୍ୟ ବଜେଟକୁ ବଢାଇବାରେ ଲାଗିଛି । ଏହି କାରଣରୁ ଅର୍ଥବ୍ୟବସ୍ଥା ଉପରେ ଚାପ ମଧ୍ୟ ଅଧିକ ପଡ଼ୁଛି । ବ୍ୟାଙ୍କ୍ ଅଫ୍ ରୁଷିଆର କହିବା ଅନୁସାରେ ଯଦି ସ୍ଥିତି ଉପରେ ରୁହେ ତେବେ ନ୍ୟାସନାଲ ୱେଲ୍ଥ ଫଣ୍ଡରେ ବଡ଼ ହ୍ରାସ ଘଟିପାରେ ।