ଭୁବନେଶ୍ବର ୨୭/୩: ରଣକ୍ଷେତ୍ର ପାଲଟିଲା ରାଜଧାନୀର ଗାନ୍ଧି ମାର୍ଗ । ଆନ୍ଦୋଳନ ବେଳେ ଉଗ୍ର ରୂପ ଦେଖାଇଥିଲେ ଆନ୍ଦୋଳନକାରୀ । ପୋଲିସ ଉପରକୁ ଫିଙ୍ଗିଲେ ଚେୟାର । ପାଣି ବୋତଲ ସହ ଅଣ୍ଡା,ଟମାଟୋ ପଥର ମାଡ କଲେ । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ଦଳର ତୁଙ୍ଗ ନେତାଙ୍କୁ ଉଠାଇ ନେଇଛି ପୋଲିସ । ସଂଘର୍ଷ ବେଳେ ୧୨ ପୋଲିସ କର୍ମୀ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା । ତେବେ ଆନ୍ଦୋଳନକାରୀ ଗୋଟିଏ ପୋଲିସ ଭ୍ୟାନ ଜାଳିବାକୁ ଉଦ୍ୟମ କରିଥିଲେ । ହେଲେ ଡ୍ରାଇଭରଙ୍କ ଯୋଗୁ କରିପାରିନଥିଲେ । ବ୍ୟାରିକେଡ ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । ଆମେ ସମସ୍ତ ଫୁଟେଜ ଯାଞ୍ଚ କରୁଛୁ । ଏହା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଡିସିପି ।
ଗୁରୁବାର ସକାଳୁ ଲୋୟର ପିଏମ୍ଜିରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ସୃଷ୍ଟି କରିଥିଲା ଅଭାବନୀୟ ସ୍ଥିତି । ନାରୀ ସୁରକ୍ଷା ପ୍ରସଙ୍ଗରେ ବିଧାନସଭା ଘେରାଉ ପାଇଁ ବାହାରିଥିଲେ ଶହ ଶହ ଆନ୍ଦୋଳନକାରୀ । ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ପୋଲିସର ସୁରକ୍ଷା ବଳୟ ଭାଙ୍ଗି ବିଧାନସଭା ଅଭିମୁଖେ ମାଡି ଚାଲିଥିଲେ କଂଗ୍ରେସ କର୍ମୀ । ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା । ଏତିକି ବେଳେ କଂଗ୍ରେସ କର୍ମୀ ପୋଲିସ ଉପରକୁ ଚେୟାର ମାଡ କରିଥିଲେ । କେବଳ ସେତିକି ନୁହେଁ ଟେକା ପଥର, ଅଣ୍ଡା,ଟମାଟୋ,ପାଣି ବୋତଲ ଫିଙ୍ଗିଥିଲେ । କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପ୍ରଥମେ ପାଣି ଓ ଟିୟର ଗ୍ୟାସ ମାଡ କରିଥିଲା ପୋଲିସ । ହେଲେ ସ୍ଥିତି ନିୟନ୍ତ୍ରଣ ହୋଇନଥିଲା । ଶେଷରେ ବାଧ୍ୟ ହୋଇ ପୋଲିସ ଲାଠି ଚାର୍ଜ କରିଥିଲା । ଆନ୍ଦୋଳନକାରୀ କଂଗ୍ରେସ କର୍ମୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲା ପୋଲିସ । ଶେଷରେ ଆନ୍ଦୋଳନର ନେତୃତ୍ବ ନେଉଥିବା ପିସିସି ସଭାପତି ଭକ୍ତ ଦାସ, ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି, ମହମ୍ମଦ ମୋକିମଙ୍କ ସହ ଅନ୍ୟ କିଛି ନେତାଙ୍କୁ ଆନ୍ଦୋଳନ ସ୍ଥଳରୁ ଉଠାଇ ନେଇଥିଲା ପୋଲିସ ।
କଂଗ୍ରେସ ଲୋୟର ପିଏମ୍ଜିରେ ପ୍ରତିବାଦ କରୁଥିବାବେଳେ ଏପଟେ ବିଧାନସଭାରେ ଦେଖିବାକୁ ମିଳିଥିଲା ଗଙ୍ଗାଜଳ ରାଜନୀତି । ଗୃହ ଭିତରେ ଓ ବାହାରେ ଗଙ୍ଗା ଜଳ ଛିଞ୍ଚି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରି ଗୃହ ମଧ୍ୟ ଭାଗରେ ଗଙ୍ଗା ଜଳ ପକାଇଥିଲେ । ଗୃହ ଭିତରକୁ କଳସ ନଆଣିବାକୁ ବିଜେଡି ବିଧାୟକଙ୍କୁ ଅନୁରୋଧ କରିଥିଲେ ବାଚସ୍ପତି । ଏହା ପରେ ଗୃହ ବାହାରକୁ ଚାଲିଯାଇଥିଲେ ବିଜେଡି ବିଧାୟକ ।ସେପଟେ ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି ବିଧାନସଭା ଅପବିତ୍ର ନୁହେଁ ସେମାନେ ଅପବିତ୍ର । ଆମେ ମହାକମ୍ଭରୁ ପବିତ୍ର ଜଳ ଆଣିଛୁ । ଆମ ପାଖକୁ ଆସିଲେ ସିଞ୍ଚନ କରି ପବିତ୍ର କରିଦେବୁ ।