ଭୁବନେଶ୍ବର ୨୪/୩: ଖୁବ୍ ଶୀଘ୍ର ନିଜ ଟଙ୍କା ଫେରିପାଇବେ ଚିଟଫଣ୍ଡ କ୍ଷତିଗ୍ରସ୍ତ । ନୂଆ ନିର୍ଦେଶାବଳୀ ପ୍ରସ୍ତୁତ କରୁଛନ୍ତି ସରକାର । ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଚିଟଫଣ୍ଡ ଟଙ୍କା ଫେରସ୍ତ ସଂପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିର୍ଦେଶାବଳୀ ପ୍ରସ୍ତୁତ ପରେ ଟଙ୍କା ଫେରିପାଇବେ କ୍ଷତିଗ୍ରସ୍ତ ଜମାକାରୀ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ରଖିବା ପରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି ସରକାରକୁ ଆସିବା ଆଗରୁ ବିଜେପି କହିଥିଲା ଯେ କ୍ଷମତାକୁ ଆସିବାର ୩ମାସରେ ଲୋକଙ୍କୁ ଚିଟଫଣ୍ଡ ଟଙ୍କା ଫେରାଇବୁ । ସରକାରଙ୍କୁ ୯ମାସ ପୂରିଲାଣି ତଥାପି ଲୋକେ ଟଙ୍କା ପାଇଲେନି । ଏବେ ସରକାର କହିଲେଣି ନୂଆ ନିର୍ଦ୍ଦେଶାବଳୀ ଆଣିବେ । ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି କହିଛି ବିଜେଡି । ସେପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ନିର୍ବାଚନ ବେଳେ କେବଳ ବାହାସ୍ଫୋଟ ମାରୁଥିଲେ, ଆଉ ଆଜି ବି ମାରୁଛନ୍ତି ।
ସେପଟେ ବିରୋଧୀଙ୍କୁ ଏଭଳି ଅଭିଯୋଗର ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ସେ କହିଛନ୍ତି, ବିଜେଡି ସରକାରରେ ଥିବାବେଳେ ତାଙ୍କ ନେତା ଚିଟଫଣ୍ଡ ନାଁରେ ଟଙ୍କା ଲୁଟିଲେ ଆଉ ସରକାର କର୍ପସ ଫଣ୍ଡ ନାଁରେ ଟଙ୍କା ହରିଲୁଟ କଲେ । କିନ୍ତୁ ଲୋକେ କେମିତି ସେମାନଙ୍କ ଟଙ୍କା ଫେରିପାଇବେ ସେନେଇ ବ୍ୟବସ୍ଥା କରୁଛନ୍ତି ବିଜେପି ସରକାର୪ ଲକ୍ଷ ୭୨ ହଜାର ୬୫୧ ଜଣ କ୍ଷତିଗ୍ରସ୍ତ ଚିଟଫଣ୍ଡ ଟଙ୍କା ଫେରି ପାଇବେ ବୋଲି କମିଶନ ସୁପାରିସ କରିଛନ୍ତି। ରୋଜଭ୍ୟାଲି ଗ୍ରୁପ ଅଫ୍ କମ୍ପାନୀର ୨ ଲକ୍ଷ ୩୮ ହଜାର ୪୭୭ କ୍ଷୁଦ୍ର ଜମାକାରୀ ଓ ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର ୨ ଲକ୍ଷ ୯୭ ହଜାର ୫୨୫ କ୍ଷୁଦ୍ର ଜମାକାରୀ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ରୋଜଭ୍ୟାଲି ଗ୍ରୁପ୍ ର ଜବତ ହୋଇଥିବା ଅର୍ଥରୁ ୧ ଲକ୍ଷ ୮୨ ରୁ ୧୫୫ କ୍ଷୁଦ୍ର ଜମାକରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ସେହିଭଳି ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର ଗ୍ରୁପ୍ ର ଜବତ ହୋଇଥିବା ଅର୍ଥରୁ ୨୪ ହଜାର ୮୨୫ ଜଣ ଟଙ୍କା ଫେରସ୍ତ କରାଯାଇଛି ବୋଲି ଗୃହରେ ସୂଚନା ରଖିଛନ୍ତି ସରକାର ।