କଟକ ୨୨/୩: ଦୈନନ୍ଦିନ ଜୀବନରେ ପ୍ରମୁଖ ସ୍ଥାନ ନେଇଗଲାଣି ରୁଟି । ଯଦିଓ ଏହା କେବେ ଉତ୍ତର ଭାରତୀୟଙ୍କ ପ୍ରମୁଖ ଖାଦ୍ୟ ଥିଲା, କିନ୍ତୁ ଏବେ ଓଡ଼ିଶାର ପ୍ରାୟ ଅଧିକାଂଶ ଲୋକଙ୍କ ବିଶେଷ କରି ସହର ବାସୀଙ୍କ ଡିନର ପାଇଁ ଆବଶ୍ୟକ ପଡୁଛି ରୁଟି । କଟକ ସହରରେ ଏମିତି ଗୋଟିଏ ସ୍ଥାନକୁ ଆଜି ଯିବା, ଯେଉଁଠି ମେସିନରେ ରୁଟି ପ୍ରସ୍ତୁତ କରୁଛନ୍ତି ପୁରା ପରିବାର । ଏହି ରୁଟି ମେସିନ ତାଙ୍କୁ ଦେଉଛି ରୋଜଗାର ।
କଟକ ଶେଖ ବଜାର ଛକ ନିକଟରେ ଗଢି ଉଠିଥିବା ଏହି କ୍ଷୁଦ୍ର ଉଦ୍ୟୋଗଟି ଏବେ ଶହ ଶହ ଲୋକଙ୍କର ଆବଶ୍ୟକତାକୁ ପୂରଣ କରୁଛି।ଯେଉଁ ଉଦ୍ୟୋଗ ଜରିଆରେ ଦୈନିକ ପ୍ରସ୍ତୁତ ହେଉଛି ପ୍ରାୟ ୫ ରୁ ୬ ହଜାର ସଂଖ୍ୟାରେ ରୁଟି। ଏହି ରୁଟି କାରଖାନାକୁ ଅନାଇ ବସିଥିବା ଗ୍ରାହକ ମାନେ ହେଉଛନ୍ତି ଭିନ୍ନ ଭିନ୍ନ ପ୍ରକାରର। କଟକ ସହରରେ ରହି ପାଠ ପଢ଼ୁଥିବା ଯୁବଗୋଷ୍ଠୀଙ୍କ ଭିତରୁ ଅଧିକାଂଶ ଏହି ସ୍ଥାନଟି ଉପରେ ନିର୍ଭରଶୀଳ। ପୁଣି ବିଭିନ୍ନ ହଷ୍ଟେଲ, ମେସ, ଘରୋଇ ଡାକ୍ତରଖାନା ପାଇଁ ମଧ୍ୟ ଏହିଠାରୁ ରୁଟି ଯୋଗାଇ ଦିଆଯାଉଛି। ଆଉ କେବେ କେବେ ସହର ବାସିନ୍ଦା ମଧ୍ୟ ପରିବାରର ଆବଶ୍ୟକତା ପାଇଁ ଏଠାକୁ ଧାଇଁ ଆସନ୍ତି।
ଶେଖ ବଜାର ଛକ ନିକଟରେ ଗଢି ଉଠିଥିବା ଏହି କ୍ଷୁଦ୍ର ଉଦ୍ୟୋଗ ପୂର୍ବରୁ ଅଟା କଳ ଭାବେ ପରିଚିତ ଥିଲା। ଯାହାର ପରିଚାଳନା କରୁଥିଲେ ଲାଲା ଦିଲ୍ଲୀପ କୁମାର ରାୟ। ପରେ କିନ୍ତୁ ଅଟାକଳ ସହିତ ଯୋଡି ହୋଇଗଲା ଅଟୋମେଟିକ ରୁଟି ମେକର ମେସିନ। ଯାହାକୁ ଚଳାଇବାରେ ଲାଲା ଦିଲ୍ଲୀପଙ୍କ ପୁରା ପରିବାର ସହଯୋଗ କରନ୍ତି। ନିଜର ୨ ଭାଇ ଏବଂ ଉଚ୍ଚ ଶିକ୍ଷିତା ଝିଅକୁ ସାଙ୍ଗରେ ନେଇ ଦିଲ୍ଲୀପ ୩ ବର୍ଷ ତଳେ ଏହି ଉଦ୍ୟୋଗର ସ୍ଥାପନା କଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ କେବେ ହେଲେ ରୁଟି ପାଇଁ କେହି ତାଙ୍କ ଦୋକାନ ଆଗରୁ ଫେରି ନାହାନ୍ତି।
କହିବାକୁ ଗଲେ ରାୟ ପରିବାର, ନିଜର ଏହି ବ୍ୟବସାୟକୁ ନେଇ ଖୁବ ଖୁସି, କାରଣ ସେମାନଙ୍କ ପରିବାର ପ୍ରତିପୋଷଣ ଲାଗି ଯାହାବି କିଛି ଆବଶ୍ୟକ, ତାହା ଏହି ଲଘୁ ଉଦ୍ୟୋଗ ପୂରଣ କରୁଛି । କଟକ ସହରରେ ଏଭଳି ଅନେକ କ୍ଷୁଦ୍ର ଉଦ୍ୟୋଗ ଅଛି ଯାହା ଜରିଆରେ ଶହ ଶହ ପରିବାର ଗୁଜରାଣ ମେଣ୍ଟାଉଛନ୍ତି । କିନ୍ତୁ ନୂତନ ଜ୍ଞାନ କୌଶଳକୁ ଆପଣେଇ ପୁରା ପରିବାରକୁ ଏକାଠି ରଖି ଗୋଟିଏ ଉଦ୍ୟୋଗ ଚଳାଇବା ଏତେ ସହଜ ନୁହେଁ ।