ତୁଟିବ କି ମହାନଦୀ ଜଳବିବାଦ ? ଚାଲିଲା ରାଜନୈତିକ ବୟାନବାଜି, ବିରୋଧୀଙ୍କୁ କଡା ଜବାବ ଦେଲେ ସରକାର

Published By : Prameya-News7 Bureau | March 23, 2025 IST

ଭୁବନେଶ୍ବର ୨୩/୩: ଶନିବାର ବିଶ୍ବ ଜଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ଟ୍ରିପଲ ଇଂଜିନ୍‌ ସରକାରରେ ଖୁବ୍‌ ଶୀଘ୍ର ମହାନଦୀ ସମସ୍ୟାର ହେବ ସମାଧାନ । ଏନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି । କୋର୍ଟକୁ ବାଦ୍‌ ଦେଇ ଆମ ଟ୍ରିପଲ ଇଂଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ସମସ୍ୟାର ସମାଧାନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବୟାନ ସରୁ ସରୁ ରାଜନୀତିରେ ଆରମ୍ଭ ହୋଇଯାଇଛି ବୟାନବାଜି ।

ମହାନଦୀ ଆଲୋଚନାକୁ କଟାକ୍ଷ କରିଛି ବିଜେଡି । ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଆମେ ସମସ୍ତେ ମହାନଦୀ ବିବାଦର ସମାଧାନ ଚାହୁଁଛୁ। ପୂର୍ବରୁ ଅନେକ ଥର ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିଲା ବେଳେ ଉଦ୍ୟମ ହୋଇଛି। ବାରମ୍ବାର କେନ୍ଦ୍ର ଓ ଛତିଶଗଡ଼ ସହ ଆଲୋଚନା ହୋଇଛି। ଏକାଧିକ ଥର ତ୍ରିପାକ୍ଷିକ ଆଲୋଚନା ହୋଇଛି। ହେଲେ ଛତିଶଗଡ଼ର ଜିଦଖୋର ମନ ଭାବ ପାଇଁ ସମାଧାନ ହୋଇ ପାରିନି। ତେଣୁ ଯଦି ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ତାହା ସ୍ବାଗତ ଯୋଗ୍ୟ। ହେଲେ କେବଳ ଚା’ କପ ଉପରେ ଆଲୋଚନା  ନ କରି ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ କାମ ଆଗ ବନ୍ଦ କରନ୍ତୁ। ଅନେକ ବ୍ୟାରେଜ କାମ କରି ସାରିଲାଣି। ଅନେକ କାମ ବହୁତ ଆଗକୁ ଗଲାଣି। ଟ୍ରିପଲ ଇଞ୍ଜିନ ସରକାର କାମ ବନ୍ଦ କରି ସମାଧାନର ରାସ୍ତା ବାହାର କରନ୍ତୁ। କେବଳ ଟେବୁଲରେ ଆଲୋଚନା କରି, କାମ ଚାଲୁ ରହିଲେ ଏହାର କୌଣସି ଲାଭ ନାହିଁ। ଯଦି ଉଭୟ ସରକାର ଫଳପ୍ରଦ ଆଲୋଚନା ଚାହୁଁଛନ୍ତି, ଘଟଣାର ଆପୋଷ ସାମଧନ ଚାହୁଁଛନ୍ତି ତାହାଲେ କାମ ପ୍ରଥମେ ବନ୍ଦ କରି ଆଲୋଚନା କରନ୍ତୁ। ଏମିତି କି  ମାମଲା ଟ୍ରିବ୍ୟୁନାଲରେ ଅଛି। ତେଣୁ ଉଭୟ ସରକାର ଆପୋଷ ସମାଧାନ କରି ପାରିବେ କି ନାହିଁ ସେକଥା ଦେଖନ୍ତୁ।  ନୂଆ ସରକାର ସବୁବେଳେ ପୂର୍ବ ସରକାର ପୂର୍ବ ସରକାର କହି ଦୋଷ ଦେଉଛନ୍ତି। ଏବେ ବିଜେପି ସରକାର ଅଛନ୍ତି। ତେଣୁ ତୁରନ୍ତ  ସମାଧାନର ରାସ୍ତା ବାହାର କରିବାକୁ ବିଜେପି ସରକାରଙ୍କୁ ଆହ୍ବାନ ଦେଇଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । 

ସେପଟେ ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସମୟରେ ଏ ବାବଦରେ କଂଗ୍ରେସ ଆଲୋଚନା କରିଛି। ଏବେ ଓଡ଼ିଶାରେ ବିଜେପି ସରକାର, ଛତିଶଗଡ଼ ବିଜେପି ସରକାର, କେନ୍ଦ୍ରରେ ତାଙ୍କ ସରକାର। ତେଣୁ ମହାନଦୀ ବିବାଦ ନେଇ ଟ୍ରିପିଲ ଇଞ୍ଜିନ ସରକାର ପଦକ୍ଷେପ ନେବା ଆବଶ୍ୟକ। ଦୁଇ ମୁଖ୍ୟମନ୍ତ୍ରୀ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କଥା କହୁଛନ୍ତି, କିନ୍ତୁ ଫଳପ୍ରଦ ହେବା ପରି ଲାଗୁନି । 

ବିରୋଧୀଙ୍କ କଟାକ୍ଷର କଡା ଜବାବ ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି ୨୦୧୬ରେ ଯେତେବେଳେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ୨ଟି ରାଜ୍ୟକୁ ଡାକି କେନ୍ଦ୍ର ସରକାର ସମାଧାନ କରିବାକୁ ଚେଷ୍ଟା କଲେ । ହେଲେ ସେତେବେଳର ମୁଖ୍ୟମନ୍ତ୍ରୀ ଥରେ ମାତ୍ର ବୈଠକରେ ଯୋଗ ଦେଇ ଆଉ ୨ ଥର ଗଲେଣି  । ସେତେବେଳେ ସେ ଏହି ପ୍ରସଙ୍ଗରେ ନିଜ ଫାଇଦା ପାଇଁ ରାଜନୈତିକ ରୁଟି ସେକିବାକୁ ଚେଷ୍ଟା କଲେ  । ଟ୍ରିବ୍ୟୁନାଲକୁ ନ ଯିବାକୁ ଆମେ ବି କହି ଥିଲୁ ହେଲେ ବିଜେଡି ଜିଦ ନେଇ ଯାଇଥିଲା  । ଆଜି ବିଜେଡି ନେତା ମହାନଦୀ କାନ୍ଦୁଛି କହି ଓଲଟା କଥା କହୁଛନ୍ତି । ଓଡିଶା ସ୍ବାର୍ଥ ପାଇଁ ମହାନଦୀ ଜଳ ବିବାଦ କେମିତି ସମାଧାନ ହେବ ମୋହନ ମାଝୀ ଙ୍କ ସରକାର କାମ ଆରମ୍ଭ କରିଛନ୍ତି  । ଆଜି ବଡ଼ ପାଟି ରେ କହୁଥିବା ନେତା ଜଣେ ରାଜ୍ୟ ବାହାର ଲୋକଙ୍କ ଡର ରେ ପାଟି ବନ୍ଦ କରିଥିଲେ  । ଏବେ ଆମକୁ ବିଜେଡି ର ଉପଦେଶ ନେବାର କିଛି ଆବଶ୍ୟକ ନାହିଁ  ।


 । 

 

 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.