୧୮ ଦିନରେ ୩୧ ଘଣ୍ଟା ଚାଲିପାରିନି ଗୃହ, ବାଚସ୍ପତିଙ୍କ ସାମ୍ନାରେ ହ୍ବିସିଲ,ଘଣ୍ଟି ବଜାଇବା କି ଆଚରଣ ?

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର୨୪/୩: ୧୮ ଦିନରେ ୩୧ ଘଣ୍ଟା ଚାଲିପାରିନି ବିଧାନସଭା । ଗୃହ ସୁପରିଚାଳନା ପାଇଁ ୩ ଥର ସର୍ବଦଳୀୟ ବୈଠକ ଡକାହେଲାଣି । ଫଳ ଶୂନ । ଗୃହରେ କଂଗ୍ରେସର ଏଭଳି ଆଚରଣକୁ କ୍ଷମା ଦେବେନି ଓଡ଼ିଶାବାସୀ । ବିଧାନସଭାରେ ହଟ୍ଟଗୋଳ ପାଇଁ ବିରୋଧୀଙ୍କ ଆଚରଣକୁ କଡା ନିନ୍ଦା କରି ବର୍ଷିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ । ବାଚସ୍ପତିଙ୍କ ସାମ୍ନାରେ ହ୍ବିସିଲ ଘଣ୍ଟ ବଜାଇବା କି ଆଚରଣ ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବମନ୍ତ୍ରୀ ।  


ରାଜସ୍ବ ମନ୍ତ୍ରୀ କହିଛନ୍ତି ଅତୀତରେ ଉତ୍ତରପ୍ରଦେଶ ବିଧାନସଭାରେ ରକ୍ତାକ୍ତ ବିଧାୟକଙ୍କୁ ହସ୍‌ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ପହଞ୍ଚିଥିଲା । ଏ ପୃଷ୍ଠଭୂମିରେ ଓଡ଼ିଶା ବିଧାନସଭା ଶାନ୍ତିରେ ଅଛି । ପ୍ରତିବାଦ କରିବାର ଢଙ୍ଗ ଅଛି । ଆଚରଣ ସଂସ୍କାର ଧିରେ ଧିରେ ବିଧାନସଭା ଓ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛି । ଆଇନ ପ୍ରଣୟନ କରୁଥିବା ସଂସ୍ଥା ଯଦି ଆଇନ ଉଲ୍ଲଂଘନ କରିବେ କଣ କୁହାଯିବ । ମହିଳା ବାଚସ୍ପତିଙ୍କ ସାମ୍ନାରେ ହୁଇସିଲ ମାରିବା, ପୋଡିୟମ ଉପରକୁ ଚଢିବା ଉଦ୍ୟମ, ଘଣ୍ଟ ବଜାଇବା ଏସବୁ କିଭଳି ଆଚରଣ ।

ଅଷ୍ଟ ପ୍ରହରୀରେ ଘଣ୍ଟ, ଗିନି, ମୃଦଙ୍ଗ ବାଜିବା ଦେଖିଛୁ କିନ୍ତୁ ପବିତ୍ର ଗୃହ ଭିତରେ ଏସବୁ ଶୋଭନୀୟ ନୁହେଁ । ସମାଧାନ ପାଇଁ ୩ଥର ସର୍ବଦଳୀୟ ବୈଠକ ଡାକି ସାରିଲେଣି । ୧୦ ତାରିଖ, ୧୩ ତାରିଖ ଓ ଆଜି (ସୋମବାର)ସର୍ବଦଳୀୟ ବୈଠକ ହୋଇଛି । ହେଲେ ଫଳ ଶୂନ । ୧୮ ଦିନ ଭିତରେ  ୩୧ ଘଣ୍ଟାର କାର୍ଯ୍ୟ ହୋଇପାରିନି । ୧୪୭ ବିଧାୟକଙ୍କୁ ଲୋକେ କେତେ ବିଶ୍ବାସରେ ବିଧାନସଭା ପଠେଇଛନ୍ତି । ଗୃହରେ ବସିବା ପାଇଁ ଆମକୁ ସିଟିଙ୍ଗ ଫି ମିଳିଥାଏ। ବିଭିନ୍ନ ବିଭାଗର ଅଧିକାର, କର୍ମଚାରୀ ଆସି କାମ କରନ୍ତି ।  ବିଧାନସଭାର ଅଧିବେଶନ ରେ ୧ଘଣ୍ଟାରେ କେତେ ଖର୍ଚ୍ଚ ହୁଏ, ବିଭିନ୍ନ ପୋଲିସ ବି ଆସୁଛନ୍ତି । ସାଧାରଣ ଲୋକଙ୍କ ଟିକସରେ ବିଧାନସଭା ଚାଲେ। ବିଜେପି ସରକାର ପ୍ରସ୍ତୁତ ଅଛନ୍ତି ଆଲୋଚନା ପାଇଁ । ଜିରୋ ହାୱାର, ପ୍ରଶ୍ନ ଉତ୍ତର କରେଇ ନ ଦେବା, ମୁଁ କିଛି କରିବି ନାହିଁ, କାହାକୁ କରେଇ ଦେବି ନାହିଁ ଏ ଆଚରଣ ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ । 


ଏଭଳି ଚାଲିଲେ ଓଡ଼ିଶା ବାସୀ କ୍ଷମା ଦେବେ ନାହିଁ ।  ଘଣ୍ଟ, ଗିନି ବଜେଇବା ପାଇଁ ଲୋକେ ପଠେଇ ନାହାନ୍ତି | ସେମାନଙ୍କୁ ସହଜ ମାଧ୍ୟମ ଦରକାର ।  ନିଜେ ସରକାରରେ ନ ରହିଲେ ପ୍ରତ୍ୟେକ ଥର ଏମିତି କରନ୍ତି। ତାଙ୍କର ଭୋଟ ହାର କମି କମି ଯାଉଛି ।  ୮୨ଟି ବିଧାନସଭାରେ ୫ ହଜାର ଛୁଇଁ ପାରିଲେ ନାହିଁ । ୨୦ ବିଧାନସଭା ରେ ନୋଟା ଠାରୁ କମ । ଭଲ ପ୍ରସଙ୍ଗ ଉଠାଅ ନହେଲେ ପରବର୍ତ୍ତୀ ନିର୍ବାଚନ ରେ ସିଙ୍ଗିଲ ଅଙ୍କକୁ ଆସିଯିବା ନେଇ ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । 


ସୋମବାର ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରିନି ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଦେଖିବାକୁ ମିଳିଥିଲା ହଟ୍ଟଗୋଳ । ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ପ୍ରତିବାଦ କରିଥିଲେ । ବାଚସ୍ପତିଙ୍କ ପୋଡିୟମ ନିକଟରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଘଣ୍ଟ ଓ ଝାଞ୍ଜ ବଜାଇ ପ୍ରତିବାଦ କରିଥିଲା କଂଗ୍ରେସ । ମେଡିକାଲ ଶିକ୍ଷାରେ ସଂରକ୍ଷଣ ଦାବି କରିଥିଲା ବିଜେଡି । ଏପଟେ ନାରୀ ସୁରକ୍ଷା ନେଇ କଂଗ୍ରେସ ସଦସ୍ୟମାନେ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ।



 

  • odisha news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.