ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ ବଡ ଆକ୍ସନ, ୧୨ କଂଗ୍ରେସ ବିଧାୟକଙ୍କୁ ୭ ଦିନ ବିଧାନସଭା ମନା

Published By : Prameya-News7 Bureau | March 25, 2025 IST

ଭୁବନେଶ୍ବର ୨୫/୩: ବିଧାନସଭା ହଟ୍ଟଗୋଳ ପାଇଁ ବଡ ଆକ୍ସନ । କଂଗ୍ରେସର ୧୪ ବିଧାୟକଙ୍କ ମଧ୍ୟରୁ ୧୨ ନିଲମ୍ବିତ । ବିଧାନସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ଆକ୍ସନ । କଂଗ୍ରେସର ଏହି ୧୨ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି । ୭ଟି କାର୍ଯ୍ୟଦିବସ ପାଇଁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଛି । ନିଲମ୍ବନ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ । ନିଲମ୍ବିତ ହୋଇଥିବା ୧୨ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅଛନ୍ତି ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ସୋଫିଆ ଫିର୍ଦ୍ଦୋସ, ଅଶୋକ ଦାସ, ମଙ୍ଗୁ ଖିଲ, ଦାଶରଥୀ ଗମାଙ୍ଗ, ସତ୍ୟଜିତ ଗମାଙ୍ଗ, ନୀଳମାଧବ ହିକକା,ସାଗର ଦାସ,କାଡ୍ରାକା ଆପଲା ସ୍ବାମୀ,ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା ପ୍ରମୁଖ ଅଛନ୍ତି । କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ । ପୁଣି ଗୃହରେ ହଙ୍ଗାମା ପାଇଁ ୧୦ ମିନିଟ୍‌ ମୁଲତବୀ କରି ନିଲମ୍ବିତ ବିଧାୟକଙ୍କୁ ଗୃହରୁ ବାହାରିଯିବାକୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନିପତିଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା ।




ମଙ୍ଗଳବାର ବଜେଟ୍‌ ଅଧିବେଶନର କାର୍ଯ୍ୟଦିବସ ଆରମ୍ଭ ହେଉ ହେଉ ଦେଖିବାକୁ ମିଳିଥିଲା ପ୍ରବଳ ହଟ୍ଟଗୋଳ । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ଦାବିରେ ଜୋରଦାର ହରତାଳ କରିଥିଲା କଂଗ୍ରେସ । ଗୃହର ମଧ୍ୟଭାଗକୁ ଆସି ଗିନି,ଘଣ୍ଟ ଓ ବଇଁଶି ବଜାଇ ପ୍ରତିବାଦ କରିଥିଲେ । ସେହିପରି ଶିକ୍ଷା ଓ ନିଯୁକ୍ତିରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦାବିରେ ହଙ୍ଗାମା କରିଥିଲେ ବିଜେଡି ବିଧାୟକ । ପ୍ରଶ୍ନକାଳ ଚଳାଇବାରେ ସହଯୋଗ କରିବାକୁ ବିରୋଧୀ ବିଧାୟକଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି । କିନ୍ତୁ ବିରୋଧୀ ସଦସ୍ୟ ବାଚସ୍ପତିଙ୍କ କୌଣସି କଥା ଶୁଣିନଥିଲେ । ନିଜ ନିଜ ଜିଦ୍‌ରେ ଅଟଳ ରହିଥିଲେ । ବାଧ୍ୟ ହୋଇ ବାଚସ୍ପତି ପ୍ରଥମ ଦିନ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିଥିଲେ । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.