ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ନେଇ କାନାଡ଼ାର ଅଭିଯୋଗ ପରେ ଭାରତ ସରକାର କଡ଼ା ଜବାବ ଦେଇଛନ୍ତି । ଭାରତ ସରକାର କାନାଡ଼ା ମନ୍ତ୍ରୀଙ୍କ ବୟାନକୁ ଅମୂଳକ ଏବଂ ଭିତ୍ତିହୀନ ବୋଲି କହିଛନ୍ତି । ଭାରତର ବୈଦେଶିକ ବ୍ୟାପାର ବିଭାଗ କହିଛି ଯେ ଶୁକ୍ରବାର କାନାଡା ଉଚ୍ଚାୟୁକ୍ତର ପ୍ରତିନିଧିଙ୍କୁ ତଲବ କରିଥିଲୁ । ଅକ୍ଟୋବର ୨୯ରେ ଓଟାଭାରେ ସାର୍ବଜନୀନ ସୁରକ୍ଷା ଏବଂ ରାଷ୍ଟ୍ରୀୟ ସୁରକ୍ଷା ଉପରେ ସ୍ଥାୟୀ ସମିତିର କାର୍ଯ୍ୟାନୁଷ୍ଠାନକୁ ନେଇ ଏକ କୂଟନୈତିକ ନୋଟ୍ ଦିଆଯାଇଛି । ଏଥିରେ କାନାଡ଼ାର ଉପ-ମନ୍ତ୍ରୀ ଡେଭିଡ୍ ମରିସନ୍ଙ୍କ ଦ୍ୱାରା ଭାରତର କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନେଇ କରାଯାଇଥିବା ତଥ୍ୟହୀନ ଟିପ୍ପଣୀ ଉପରେ ଭାରତ ସରକାର କଠୋର ଶବ୍ଦରେ ବିରୋଧ କରିଛନ୍ତି ।
ଭାରତକୁ ବଦନାମ କରିବା ପାଇଁ ରଣନୀତି
କାନାଡ଼ାର ବରିଷ୍ଠ ଅଧିକାରୀ ଜାଣିଶୁଣି ଭାରତକୁ ବଦନାମ କରିବା ଏବଂ ଅନ୍ୟ ଦେଶଙ୍କୁ ପ୍ରଭାବିତ କରିବା ପାଇଁ ଏକ ସୁଚିନ୍ତିତ ରଣନୀତିରେ ଅନ୍ତରାଷ୍ଟ୍ରୀୟ ମିଡିଆରେ ଭିତ୍ତିହୀନ ଅଭିଯୋଗ କରୁଛନ୍ତି । ବର୍ତ୍ତମାନରେ କାନାଡାରେ କ୍ଷମତାସୀନ ସରକାରର ରାଜନୈତିକ ଏଜେଣ୍ଡା ଏବଂ ବ୍ୟବହାର ଦୀର୍ଘ ସମୟରୁ ଭାରତ ବିରୋଧୀ ଦୃଷ୍ଟିକୋଣକୁ ସ୍ପଷ୍ଟ କରୁଛି । ଏହିପରି ଦାୟିତ୍ୱହୀନ ପଦକ୍ଷେପରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ଜଟିଳ ହେବ ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆମର କିଛି ବାଣିଜ୍ୟ ଦୂତାବାସ ଅଧିକାରୀଙ୍କ ଅଡିଓ ଏବଂ ଭିଡିଓ ନିରୀକ୍ଷଣ କରାଯାଉଥିବା କାନାଡ଼ା ସରକାର ସୂଚନା ଦେଇଥିଲେ । ସେମାନଙ୍କ କମ୍ୟୁନିକେସନକୁ ମଧ୍ୟ ବିଚ୍ଛିନ୍ନ କରାଯାଇଛି । ଏନେଇ କାନାଡ଼ା ସରକାରଙ୍କ ଆଗରେ ଔପଚାରିକ ଭାବେ ବିରୋଧ କରାଯାଇଛି ଏବଂ ଏଭଳି କାର୍ଯ୍ୟ କୂଟନୈତିକ ଏବଂ ବାଣିଜ୍ୟ ଦୂତାବାସ ସମ୍ମିଳନୀର ଘୋର ଉଲ୍ଲଂଘନ ବୋଲି ବିଦେଶ ମନ୍ତ୍ରଣାଳୟ କହିଛି ।
#WATCH | MEA Spokesperson Randhir Jaiswal says, "Regarding the latest Canadian target, we summoned the representative of the Canadian High Commission yesterday... It was conveyed in the note that the Government of India protests in the strongest terms to the absurd and baseless… pic.twitter.com/8rJhp9uS9G
— ANI (@ANI) November 2, 2024
ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ଯେ କାନାଡା ବୈଷୟିକ କଥା କହି, ଉତ୍ପୀଡ଼ନ ଏବଂ ଭୟଭୀତ କରାଇବା କାର୍ଯ୍ୟକୁ ଯଥାର୍ଥ ବୋଲି ଦର୍ଶାଇ ପାରିବ ନାହିଁ । ଆମ ଉଚ୍ଚାୟୁକ୍ତ ଏବଂ ବାଣିଜ୍ୟିକ ଦୂତାବାସର କର୍ମଚାରୀ ପୂର୍ବରୁ ହିଁ ଉଗ୍ରବାଦ ଏବଂ ହିଂସାର ମାହୋଲରେ ରହି କାମ କରୁଛନ୍ତି । କାନାଡ଼ା ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଆହୁରି ଖରାପ କରୁଛି ।
କାନାଡ଼ା ମନ୍ତ୍ରୀ କଣ କହିଥିଲେ ?
କାନାଡ଼ାର ଜଣେ ମନ୍ତ୍ରୀ ମଙ୍ଗଳବାର ଅଭିଯୋଗ କରିଥିଲେ ଯେ ଭାରତର ଗୃହମନ୍ତ୍ରୀ ଅମିତ୍ ଶାହ କାନାଡ଼ାରେ ଥିବା ଶିଖ୍ ବିଚ୍ଛନ୍ନତାବାଦୀଙ୍କୁ ଟାର୍ଗେଟ୍ କରି ହିଂସା କରିବା, ଭୟଭୀତ କରାଇବା ଏବଂ ଗୁଇନ୍ଦା ସୂଚନା ଏକାଠି ପାଇଁ ଅଭିଯାନ ଚଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କାନାଡାର ଉପ ବିଦେଶ ମନ୍ତ୍ରୀ ଡେଭିଡ୍ ମରିସନ ରାଷ୍ଟ୍ରୀୟ ସୁରକ୍ଷା କମିଟିର ସଦସ୍ୟ ସାଂସଦଙ୍କୁ କହିଥିଲେ ଯେ ସେ ୱାଶିଂଟନ ପୋଷ୍ଟକୁ ଶାହଙ୍କ ବିଷୟରେ କହିଛନ୍ତି ।