ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମୁକାବିଲା ମୁମ୍ୱାଇର ୱାନଖଡ଼େ ଷ୍ଟାଡିୟମରେ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୩୫ ରନ୍ରେ ଅଲ୍ଆଉଟ୍ ହୋଇଛି । ଅନ୍ୟପଟେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଟିମ୍ ୪ ବହୁମୂଲ୍ୟ ୱିକେଟ୍ ହରାଇଛି । ପ୍ରଥମ ଦିନ ଷ୍ଟମ୍ପ ସୁଦ୍ଧା ଟିମ୍ ଇଣ୍ଡିଆ ୪ ୱିକେଟ୍ ହରାଇ ୮୬ ରନ୍ କରିଛି । ରିଷଭ ପନ୍ତ ୦ ଏବଂ ଶୁଭମନ ଗିଲ୍ ୩୧ କରି ଅପରାଜିତ ଅଛନ୍ତି । ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ନ୍ୟୁଜିଲାଣ୍ଡଠାରୁ ଏବେ ବି ୧୪୯ ରନ୍ ପଛରେ ରହିଛି ।
ଟିମ୍ ଇଣ୍ଡିଆ ଲଗାତାର ଦୁଇ ମ୍ୟାଚ୍ ହାରି ଟେଷ୍ଟ ସିରିଜ୍ ହାରିସାରିଛି । ତେବେ ଏହି ମୁକାବିଲା ଜିତି ସମ୍ମାନ ରକ୍ଷା କରିବାକୁ ଚାହିଁବ । ଅନ୍ୟପଟେ ୱାର୍ଲଡ୍ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି) ଦୃଷ୍ଟିରୁ ମଧ୍ୟ ଭାରତୀୟ ଟିମ୍ ପାଇଁ ଏହି ମୁକାବିଲା ଗୁରୁତ୍ୱପୂର୍ଣ୍ଣ ଅଟେ ।
ଭାରତର ପ୍ରଥମ ଇନିଂସର ହାଇଲାଇଟ୍ସ
ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟର ପୁଣି ଥରେ ନିରାଶ କରିଛନ୍ତି । ଅଧିନାୟକ ରୋହିତ ଶର୍ମା କମ ରନ୍ କରି ଶସ୍ତାରେ ୱିକେଟ୍ ହରାଇ ବସିଥିଲେ । ରୋହିତ୍ ୧୮ ରନ୍ କରି ମ୍ୟାଟ୍ ହେନରୀଙ୍କ ବଲରେ କ୍ୟାଚ୍ଆଉଟ୍ ହୋଇଥିଲେ । ତେବେ ଏହାପରେ ଜୈସ୍ୱାଲ ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ପାର୍ଟନରଶିପ ହୋଇଥିଲା । ଜୈସ୍ୱାଲ (୩୦ ରନ୍)ଙ୍କୁ ଏଜାଜ ପଟେଲ ବୋଲ୍ଡ କରି ଏହି ପାର୍ଟନରଶିପ ଭାଙ୍ଗିଥିଲେ । ଏହାର ପରବର୍ତ୍ତୀ ବଲରେ ଏଜାଜ ପଟେଲ ନାଇଟୱାଚମ୍ୟାନ୍ ମହମ୍ମଦ ସିରାଜ (୦)ଙ୍କୁ ଏଲବିଡବ୍ଲୁ କରିଥିଲେ । ଟିମ୍ ଇଣ୍ଡିଆ ପ୍ରଥମ ଦିନରେ ଶେଷ ବଡ଼ ଝଟକା ଭାବେ ବିରାଟଙ୍କୁ ହରାଇଥିଲା । କୋହଲି ୪ ରନ୍ରେ ମ୍ୟାଟ୍ ହେନରୀଙ୍କ ଡାଇରେକ୍ଟ ଥ୍ରୋରେ ରନ୍ଆଉଟ୍ ହୋଇଥିଲେ ।
ନ୍ୟୁଜିଲାଣ୍ଡ ଟିମ୍ର ପ୍ରଥମ ଇନିଂସ
ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦିନର ପ୍ରଥମ ସେସନ୍ ଟିମ୍ ଇଣ୍ଡିଆ ସପକ୍ଷରେ ଯାଇଥିଲା । ପ୍ରଥମ ସେସନ୍ରେ ନ୍ୟୁଜିଲାଣ୍ଡ ଟିମ୍ ୯୩ ରନ୍ରେ ତିନି ୱିକେଟ୍ ହରାଇଥିଲା । ଏହି ତିନି ୱିକେଟ୍ ମଧ୍ୟରୁ ୱାଶିଂଟନ ସୁନ୍ଦର ଦୁଇଟି ଏବଂ ଅର୍ଶଦୀପ ସିଂହ ଗୋଟିଏ ୱିକେଟ୍ ନେଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସେସନରେ ବି ତିନି ୱିକେଟ୍ ହରାଇଥିଲା । ଏହିପରି ଟି-ବ୍ରେକ୍ ସୁଦ୍ଧା ଭ୍ରମଣକାରୀ ଟିମ୍ ୫୫ ଓଭରରେ ୬ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୧୯୨ ରନ୍ ଲଗାଇଥିଲା ।
ନ୍ୟୁଜିଲାଣ୍ଡ ପାଇଁ ଡରୟଲ୍ ମିଶେଲ ସର୍ବାଧିକ ୮୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ ୭୧ ରନ୍ କରିଥିଲେ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର କେବଳ ୪ ଖେଳାଳି ହିଁ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ତିନି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମୁକାବିଲା ନ୍ୟୁଜିଲାଣ୍ଡ ଜିତିସାରିଛି । କିୱି ଟିମ୍ ବେଙ୍ଗାଲୁରୁ ଟେଷ୍ଟକୁ ୮ ୱିକେଟ୍ ଏବଂ ପୁଣେ ଟେଷ୍ଟକୁ ୧୧୩ ରନରେ ନିଜ ନାଁରେ କରିଥିଲା ।