ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଶେଷ ମୁକାବିଲା ମୁମ୍ୱାଇର ୱାନଖଡେ ଷ୍ଟାଡିୟମରେ ଖେଳାଯାଉଛି । ନ୍ୟୁଜିଲାଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୩୫ ରନ୍ରେ ସୀମିତ ହୋଇଛି। ଭାରତ ପାଇଁ ରବିନ୍ଦ୍ର ଜାଡେଜା ପାଞ୍ଚ ଏବଂ ୱାଶିଂଟନ ସୁନ୍ଦର ଚାରି ୱିକେଟ୍ ନେଇଛନ୍ତି।
ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଦିନର ପ୍ରଥମ ସେସନ ଟିମ୍ ଇଣ୍ଡିଆ ସପକ୍ଷରେ ଯାଇଥିଲା। ପ୍ରଥମ ସେସନରେ ନ୍ୟୁଜିଲାଣ୍ଡ ଟିମ୍ ୯୩ ରନରେ ତିନି ୱିକେଟ୍ ହରାଇଥିଲା । ଏହି ତିନି ୱିକେଟ୍ ମଧ୍ୟରୁ ୱାଶିଂଟନ ସୁନ୍ଦର ଦୁଇଟି ଏବଂ ଅର୍ଶଦୀପ ସିଂହ ଗୋଟିଏ ୱିକେଟ୍ ନେଇଥିଲେ । ଏହାପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ସେସନରେ ବି ତିନି ୱିକେଟ୍ ହରାଇଥିଲା । ଏହିପରି ଟି-ବ୍ରେକ୍ ସୁଦ୍ଧା ଭ୍ରମଣକାରୀ ଟିମ୍ ୫୫ ଓଭରରେ ୬ ୱିକେଟ୍ ହରାଇ ସ୍କୋର ବୋର୍ଡରେ ୧୯୨ ରନ୍ ଲଗାଇଥିଲା ।
ନ୍ୟୁଜିଲାଣ୍ଡ ପାଇଁ ଡରୟଲ୍ ମିଶେଲ ସର୍ବାଧିକ ୮୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବ୍ୟତୀତ ୱିଲ୍ ୟଙ୍ଗ ୭୧ ରନ୍ କରିଥିଲେ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର କେବଳ ୪ ଖେଳାଳି ହିଁ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ ତିନି ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମୁକାବିଲା ନ୍ୟୁଜିଲାଣ୍ଡ ଜିତିସାରିଛି । କିୱି ଟିମ୍ ବେଙ୍ଗାଲୁରୁ ଟେଷ୍ଟକୁ ୮ ୱିକେଟ୍ ଏବଂ ପୁଣେ ଟେଷ୍ଟକୁ ୧୧୩ ରନରେ ନିଜ ନାଁରେ କରିଥିଲା ।