KKRର ରିଟେନସନ ତାଲିକାର ପ୍ରଥମ ସ୍ଥାନରେ ଥିଲେ ଶ୍ରେୟସ ଆୟର, କିନ୍ତୁ...; ସିଇଓ ଭେଙ୍କି କଲେ ବଡ଼ ଖୁଲାସା

Published By : Prameya-News7 Bureau | November 01, 2024 IST

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଗୁରୁବାର ଆଗାମୀ ଆଇପିଏଲ୍ ନିଲାମୀ ପୂର୍ବରୁ ରିଟେନ୍ ଖେଳାଳିଙ୍କ ତାଲିକା ଜାରି କରିଥିଲା । ପୂର୍ବ ସଂସ୍କରଣରେ ଚାମ୍ପିୟନ ଟିମର ଅଧିନାୟକ ଶ୍ରେୟସ ଆୟରଙ୍କ ନାଁ କିନ୍ତୁ ରିଟେନ୍ ଲିଷ୍ଟରେ ନଥିଲା । ଏହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଥିଲା । ତେବେ ଏହାରି ଭିତରେ ଶୁକ୍ରବାର କୋଲକାତା ନାଇଟ୍ ରାଇଡର୍ସ ସିଇଓ ବଡ଼ ଖୁଲାସା କରିଛନ୍ତି । ଶ୍ରେୟସ୍ ଆୟର ଫ୍ରାଞ୍ଚାଇଜିଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିବା କେକେଆର ସିଇଓ ଭେଙ୍କି ମୈସୁର କହିଛନ୍ତି । କେକେଆର ନିଜ ସ୍କ୍ୱାଡରେ ୬ ଖେଳାଳିଙ୍କୁ ରିଟେନ କରିବା ପାଇଁ ନିଷ୍ପତ୍ତି ନେଇଛି । 

କେକେଆର ସିଇଓ କହିଛନ୍ତି ଯେ ଫ୍ରାଞ୍ଚାଇଜି ଶ୍ରେୟସ ଆୟରଙ୍କୁ ଟିମରେ ରଖିବା ପାଇଁ ଚାହୁଁଥିଲା କିନ୍ତୁ ଶ୍ରେୟସ୍ ଆୟର ନିଜେ ଫ୍ରାଞ୍ଚାଇଜିଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭେଙ୍କି ମୈସୁର କହିଛନ୍ତି, 'ରିଟେନସନକୁ ନେଇ ପରସ୍ପର ମଧ୍ୟରେ ସହମତି ଜରୁରୀ । ଏହା ଏକାତରଫା ନୁହେଁ, କେବଳ ଫ୍ରାଞ୍ଚାଇଜି ପାଖରେ ହିଁ ଅଧିକାର ନଥାଏ, ଖେଳାଳି ବି ଅନେକ ଜିନିଷ ଦେଖିଥାନ୍ତି । ଭିନ୍ନ ଭିନ୍ନ କାରଣରୁ ଅନେକ ଥର ବୁଝାମଣା ହୋଇପାରି ନଥାଏ । ଅନେକ ଥର ଟଙ୍କାକୁ ନେଇ ତ’, ଅନେକ ଥର ଖେଳାଳି ନିଜେ ନିଲାମୀକୁ ଓହ୍ଲାଇବାକୁ ଚାହାନ୍ତି ।'

ଭେଙ୍କି କହିଛନ୍ତି, 'ଏହାଦ୍ୱାରା ନିଷ୍ପତ୍ତି ଉପରେ ପ୍ରଭାବ ପଡ଼ିଥାଏ, ସେ (ଶ୍ରେୟସ ଆୟର) ଆମ ଲିଷ୍ଟରେ ନମ୍ୱର ୱାନରେ ଥିଲେ । ସେ କ୍ୟାପ୍ଟେନ ଥିଲେ ଏବଂ ତାଙ୍କୁ ଦେଖି ଆମେ ଟିମ୍ ଗଢିଥାନ୍ତୁ । ଏଥିପାଇଁ ଆମେ ତାଙ୍କୁ ୨୦୨୨ରେ ଚୟନ କରିଥିଲୁ, ୨୦୨୩ରେ ସେ ଆହାତ ଥିଲେ । ସେ ସୁସ୍ଥ ହୋଇ ଫେରିଲେ ଟିମର ଅଧିନାୟକ ହେବେ ବୋଲି ଆମେ କହିଥିଲୁ । ସେ ଭଲ ପ୍ରଦର୍ଶନ ବି କରିଥିଲେ ଏବଂ ମୋ ସହ ସମ୍ପର୍କ ମଧ୍ୟ ଭଲ ରହିଛି । ତେବେ ଶେଷରେ ଲୋକେ ନିଜ ନିଷ୍ପତ୍ତି ନିଜେ ନେଇଥାନ୍ତି । ଆମେ ଖେଳାଳିଙ୍କୁ ସମର୍ଥନ କରୁଛୁ ।' 

କୋଲକାତା ନାଇଟ୍ ରାଇଡର୍ସ ରିଟେନ କରିଥିବା ଖେଳାଳି:

ସୁନୀଲ ନାରିନ (୧୨ କୋଟି)

ରିଙ୍କୁ ସିଂ (୧୩ କୋଟି)

ଆଣ୍ଡ୍ରେ ରସେଲ (୧୨ କୋଟି)

ବରୁଣ ଚକ୍ରବର୍ତ୍ତୀ (୧୨ କୋଟି)

ରମଣଦୀପ ସିଂ (୪ କୋଟି) 

ହର୍ଷିତ ରାଣା (୪ କୋଟି)

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.