ତାଲିବାନ ସହ ସମ୍ପର୍କ ଯୋଡ଼ିବ ଭାରତ ! ଆଫଗାନିସ୍ତାନକୁ ସ୍ୱତନ୍ତ୍ର ପ୍ରତିନିଧି ପଠାଇଲେ ଜୟଶଙ୍କର

Published By : Prameya-News7 Bureau | November 07, 2024 IST

HT

ନୂଆଦିଲ୍ଲୀ: ୨୦୨୧ରେ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇ ସରକାର ଗଠନ କରିଥିଲା ତାଲିବାନ । ଏହା ପରେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ସମ୍ପର୍କ ଅଟକି ଯାଇଥିଲା। କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନା ପାଇଁ କାବୁଲକୁ ଜଣେ ଭାରତୀୟ ପ୍ରତିନିଧୀ ପଠାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଯେଉଁଠି ସେ ତାଲିବାନ ସରକାରର ପୂର୍ବତନ ସର୍ବୋଚ୍ଚ ନେତା ମୁଲ୍ଲା ଓମାରଙ୍କ ପୁତ୍ର ମହମ୍ମଦ ୟାକୁବ ମୁଜାହିଦଙ୍କୁ ଭେଟିଥିଲେ।

ପ୍ରକାଶଥାଉକି ମହମ୍ମଦ ୟାକୁବ ମୁଜାହିଦ୍ ମଧ୍ୟ ଆଫଗାନିସ୍ତାନର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟପକ୍ଷରେ ଆଫଗାନିସ୍ତାନରେ ପହଞ୍ଚିଥିବା ଭାରତୀୟ ପ୍ରତିନିଧୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ତାଲିବାନ ଏବଂ ଭାରତ ସହ ଜଡିତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏଥି ସହ କାବୁଲ ଗସ୍ତ ସମୟରେ ଭାରତୀୟ ପ୍ରତିନିଧୀ ମଧ୍ୟ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ହମିଦ କରଞ୍ଜାଇଙ୍କୁ ଭେଟିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଜେପି ସିଂଙ୍କୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ଇରାନ ସହ ଜଡିତ ମାମଲାଗୁଡ଼ିକର ମୁକାବିଲା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଦାୟିତ୍ୱ ଦିଆଯାଇଛି। ଏହି କାରଣରୁ ଭାରତୀୟ ବୈଦେଶିକ ମନ୍ତ୍ରୀ ଜଣେ ପ୍ରତିନିଧୀଙ୍କୁ ପ୍ରତିନିଧିତ୍ୱ କରିବାକୁ କାବୁଲ ପଠାଇଥିଲେ। ଜୟଶଙ୍କର ଏହି ପ୍ରସଙ୍ଗରେ ଅନ୍ୟତମ ଦକ୍ଷ ଅଧିକାରୀ ଜେପି ସିଂଙ୍କୁ ବାଛିଥିଲେ। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ପରେ ଏହା ଭାରତୀୟ ପ୍ରତିନିଧୀଙ୍କ ଦ୍ୱିତୀୟ ଗସ୍ତ।

ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, “ଏହି ବୈଠକରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ସେମାନଙ୍କର ସାଧାରଣ ଇଚ୍ଛା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଯାହାର ଧ୍ୟାନ ମାନବିକ ସହଯୋଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଥିଲା। ପରବର୍ତ୍ତୀ ଆଲୋଚନାକୁ ମଜବୁତ କରିବାକୁ ଉଭୟ ଆଫଗାନିସ୍ତାନ ଏବଂ ଭାରତ ଆଗ୍ରହ ଦେଖାଇଛନ୍ତି। ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନ ପ୍ରଶାସନକୁ ଭାରତ ଏପର୍ଯ୍ୟନ୍ତ ଏହାର ସରକାରୀ ମାନ୍ୟତା ଦେଇନାହିଁ। ତେବେ ମଧ୍ୟ ଏସିଆରେ ଏହାର ପ୍ରସାରକୁ ଦୃଢ କରିବା ପାଇଁ ଆଫଗାନିସ୍ତାନକୁ ଏହାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ଭାରତ ବିଚାର କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.