ତିରୁପତି ଲଢୁ: ‘ଧାର୍ମିକ ଭାବନାକୁ ସମ୍ମାନ କର, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖ’, ଆନ୍ଧ୍ର ସରକାରଙ୍କୁ ନେଇ କଡ଼ା ଟିପ୍ପଣୀ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ତିରୁପତି ଲଢୁ ବିବାଦ ମାମଲାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ କଡ଼ା ପ୍ରଶ୍ନ କରିଛନ୍ତି । କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯେପର୍ଯ୍ୟନ୍ତ ଲଢୁ ତିଆରିରେ ଅପମିଶ୍ରିତ ଘିଅ ବ୍ୟବହାର ହୋଇଥିବା ସ୍ପଷ୍ଟ ନଥିଲା, ପ୍ରେସ୍‌କୁ ଯାଉଥିଲେ କାହିଁକି ? କୋର୍ଟ କଡ଼ା ଟିପ୍ପଣୀ କରି କହିଛନ୍ତି ଯେ ଅନ୍ତତଃ ପକ୍ଷେ ଭାଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା, ଏହା ଆମେ ଆଶା କରୁଛୁ । ସୁପ୍ରିମକୋର୍ଟରେ ଆନ୍ଧ୍ର ପ୍ରଦେଶ ସରକାର କହିଛନ୍ତି ଯେ ଆମେ ଘଟଣାର ତଦନ୍ତୁ କରୁଛୁ । ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବିଆର ଗଭଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ମାମଲା ଶୁଣାଣି କରିଛନ୍ତି ।

ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ସରକାର ଉପରେ କଡ଼ା ଶବ୍ଦରେ କହିଛନ୍ତି ଯେ ଆପଣ ଧାର୍ମିକ ଭାବନାକୁ ସମ୍ମାନ କରିବା ଦରକାର । ଏହାର କିଛି ପ୍ରମାଣ ନାହିଁ ଯେ ଏହା ସେହି ଘିଅ ଯାହାକୁ ଲଢୁ ତିଆରିରେ ବ୍ୟବହାର କରାଯାଇଥିଲା ? ଶୀର୍ଷ ଅଦାଲତ କହିଛନ୍ତି ଯେ ଭଗବାନଙ୍କ ପାଖରେ ଭୋଗ ହେବା ପରେ ପ୍ରସାଦ ହୋଇଥାଏ, ତାହା ପୂର୍ବରୁ ତାହା କେବଳ ତିଆରି ହୋଇଥିବା ମିଠେଇ । ତେଣୁ ଭାଗବାନ-ଭକ୍ତଙ୍କ କଥା ଉଠାନଯାଉ, ଏହାକୁ ବିବାଦରୁ ଦୂରରେ ରଖାଯାଉ ।

ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବୟାନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସିଏମ୍ ଚନ୍ଦ୍ରବାବୁ ନାଇଡୁଙ୍କ ବୟାନ ଉପରେ ଅସନ୍ତୋଷ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଯେଉଁ ରିପୋର୍ଟ ସାର୍ବଜନୀନ ହୋଇଛି, ତାହା ଜୁଲାଇର । କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ସେପ୍ଟେମ୍ୱର ମାସରେ ବୟାନ ଦେଉଛନ୍ତି । ଏହି ରିପୋର୍ଟକୁ ଦେଖି ଲାଗୁଛି ଯେ କଥିତ ଅପମିଶ୍ରିତ ଘିଅ ଲଢୁ ପ୍ରସାଦରେ ବ୍ୟବହାର ହୋଇନଥିଲା ।

ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ ସରକାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି, କିନ୍ତୁ ଏସଆଇଟି କୌଣସି ପରିଣାମରେ ପହଞ୍ଚିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରେସରେ ବୟାନ ଦେବାର ଆବଶ୍ୟକତା କଣ ଥିଲା । ସାମ୍ୱିଧାନିକ ପଦରେ ଥିବା ଲୋକଙ୍କଠାରୁ ଉତ୍ତରଦାୟିତ୍ୱ ଆଶା କରାଯାଇଥାଏ । ଯଦି ଆପଣ ପୂର୍ବରୁ ହିଁ ବୟାନ ଦେବେ ତେବେ ତଦନ୍ତର ଆବଶ୍ୟକତା କଣ ?

ଶୁଣାଣି ବେଳେ ଏସଜି ତୁଷାର ମେହତା କହିଥିଲେ ଯେ ଏହା ଆସ୍ଥାର ମାମଲା । କେଉଁମାନେ ଏଥିପାଇଁ ଦାୟୀ ଏବଂ ଉଦ୍ଦେଶ୍ୟ କଣ ଥିଲା ଏହାର ତଦନ୍ତ ହେବା ଦରକାର । ଏହା ଉପରେ ଜଷ୍ଟିସ୍ ଗଭଇ କହିଥିଲେ, ନିଶ୍ଚିତ ତଦନ୍ତ ହେବା ଦରକାର । ଆମେ ଆପଣଙ୍କ ଆଭିମୁଖ୍ୟକୁ ପ୍ରଶଂସା କରୁଛୁ । ତଦନ୍ତ ଏହି ଏସଆଇଟି ଦ୍ୱାରା କରାଯିବ କି ତାହା ଆପଣ (ଏସଜି) ତଦନ୍ତ କରନ୍ତୁ, ଏହା ଆମେ ଚାହୁଁଛୁ । କଣ ଏପରି ବୟାନ ଦେବାର ଥିଲା, ଯେଉଁଥିରେ ଭକ୍ତଙ୍କ ଭାବନା ପ୍ରଭାବିତ ହେବ ? ଯେତେବେଳେ ଏସଆଇଟି ଆଦେଶ ଦିଆଯାଇଛି, ସେତେବେଳେ ପ୍ରେସକୁ ଯାଇ ସର୍ବଜନୀନ ବୟାନ ଦେବାର କଣ ଆବଶ୍ୟକତା ଥିଲା ?

କୋର୍ଟ ଆହୁରି କହିଛନ୍ତି ଯେ ପ୍ରଥମ ଦୃଶ୍ୟରୁ ଏହାର କୌଣସି ଠୋସ୍ ପ୍ରମାଣ ନାହିଁ ଯେ ସେହି ଘିଅକୁ ଉପଯୋଗ କରାଯାଇଛି ଏବଂ କିଣାଯାଇଛି । ତଦନ୍ତ ଚାଲିଥିବା ବେଳେ ଯେତେବେଳେ ସାର୍ବଜନୀନ ପଦାଧିକାରୀ ଦ୍ୱାରା ଏପରି ବୟାନ ଦିଆଯାଏ ତେବେ ଏସଆଇଟି ଉପରେ ଏହାର କଣ ପ୍ରଭାବ ପଡ଼ିବ ? ଯଦି ଅଭିଯୋଗ ଥିଲା ତେବେ ସବୁ ଟ୍ୟାଙ୍କରରୁ ନମୂନା ସଂଗ୍ରହ କରିବାର ଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.