ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ, ଯୁଦ୍ଧ ଭିତରେ ଇସ୍ରାଏଲ ପିଏମ୍ ନେତାନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ଅବସରରେ ଦୁଇ ନେତା ପଶ୍ଚିମ ଏସିଆ ସ୍ଥିତି ଉପରେ ଚର୍ଚ୍ଚା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥାବର୍ତ୍ତାରେ ନିଜ ବନ୍ଧୁ ଏବଂ ଇସ୍ରାଏଲ୍ ସମକକ୍ଷଙ୍କୁ କହିଛନ୍ତି ଯେ ଦୁନିଆରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ । ପିଏମ୍ ମୋଦୀ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନେତାଙ୍କ ମଧ୍ୟରେ ଏହି କଥାବର୍ତ୍ତା ଏପରି ସମୟରେ ହୋଇଛି, ଯେତେବେଳେ ଇସ୍ରାଏଲ୍ ଏକାସଙ୍ଗରେ ଅନେକ ମୋର୍ଚ୍ଚାରୁ ଯୁଦ୍ଧ ଲଢୁଛି ଏବଂ ଅନେକ ଇସଲାମିକ ନେତା ବେଞ୍ଜାମିନ ନେତାନ୍ୟାହୁଙ୍କୁ ନରସଂହାର ପାଇଁ ଦୋଷ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆ ପ୍ଲାଟପର୍ମ ଏକ୍ସରେ ଲେଖିଛନ୍ତି, 'ପଶ୍ଚିମ ଏସିଆରେ ସମ୍ପ୍ରତି ଘଟଣାକ୍ରମ ଉପରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ କଥା ହୋଇଛି । ଆତଙ୍କବାଦର ଆମ ଦୁନିଆରେ କୌଣସି ସ୍ଥାନ ନାହିଁ । କ୍ଷେତ୍ରୀୟ ଉତ୍ତେଜନାକୁ ରୋକିବା ଏବଂ ସବୁ ବନ୍ଦୀଙ୍କ ସୁରକ୍ଷିତ ମୁକ୍ତି ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଭାରତ ଶାନ୍ତି ଏବଂ ସ୍ଥିରତାର ଶୀଘ୍ର ଫେରାଇ ଆଣିବା ପ୍ରୟାସର ସମର୍ଥନ କରିବା ପାଇଁ ପ୍ରତିବଦ୍ଧ ଅଟେ ।'

ତେବେ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ବିଶେଷ ଘଟଣା କଥା ଉଲ୍ଲେଖ କରିନାହାନ୍ତି । କିନ୍ତୁ ଗତ ସପ୍ତାହ ଲେବାନନରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ହେଜବୁଲ୍ଲା ମୁଖ୍ୟ ନସରଲ୍ଲା ଏବଂ ଅନ୍ୟ ଶୀର୍ଷ କମାଣ୍ଡର ନିହତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ଭିତରେ ଇସ୍ରାଏଲ ଦ୍ୱାରା ଲେବାନନରେ ଇରାନ ସମର୍ଥିତ ଆତଙ୍କୀ ସଂଗଠନ ହେଜବୁଲ୍ଲାର ବିଭିନ୍ନ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଗତ ୨୪ ଘଣ୍ଟା ଭିତରେ ଲେବାନନରେ ଇସ୍ରାଏଲ ଷ୍ଟ୍ରାଇକରେ ୧୩୬ ଜଣଙ୍କ ମୃତ୍ୟୁ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.