ଏତେ ଖାମଖିଆଲି କାହିଁକି? ହସ୍ପିଟାଲ ସୁରକ୍ଷା ପ୍ରକ୍ରିୟାରେ ଢ଼ିଲାପଣକୁ ନେଇ ପ୍ରଶ୍ନ କଲେ ସୁପ୍ରିମ କୋର୍ଟ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ହସ୍ପିଟାଲ ସୁରକ୍ଷାକୁ ନେଇ ଏତେ ମାନ୍ଦା କାହିଁକି? ଏଭଳି କଡ଼ା ଭାଷାରେ ବେଙ୍ଗଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଅନ୍ୟ ସରକାରୀ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ବିଳମ୍ବ ହେଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ହସ୍ପିଟାଲରେ ସିସିଟିଭି ଲଗାଇବା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଅତ୍ୟନ୍ତ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କୋର୍ଟଙ୍କୁ ବନ୍ୟା ଯୋଗୁ ଜିନିଷ ଆସିବାରେ ବିଳମ୍ବ ହେଉଥିବା କହିଥିଲେ। ୬,୧୭୮ଟି ସିସିଟିଭି କ୍ୟାମେରା ଲଗାଇବାକୁ ଯୋଜନା ହୋଇଥିବା ବେଳେ କେବଳ ୨୨% ଲାଗିଥିବା ସେ କହିଥିଲେ।

ଏହା ଉପରେ ସୁପ୍ରିମ କୋର୍ଟ କହିଥିଲେ ଯେ- ସିସିଟିଭି ଲଗାଇବା ଏତେ ଢିଲା ପଣ କାହିଁକି? ସୁରକ୍ଷା ପ୍ରକ୍ରିୟା ୫୦% ପାର କରିନି।” ଅକ୍ଟୋବର ୩୧ ଯାଏ ସମୟ ଦିଆଯାଇଛି, ଅକ୍ଟୋବର ୧୫ ସୁଦ୍ଧା ସବୁ କାମ ସାରିଦେବା ନେଇ ରାଜ୍ୟ ସରକାର ପକ୍ଷରୁ ଖଣ୍ଡପୀଠକୁ ପ୍ରତିଶ୍ରୁତି ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.