ରଫା ସହରକୁ ପୁଣି ଟାର୍ଗେଟ୍ କଲା ଇସ୍ରାଏଲ୍; ଏୟାରଷ୍ଟ୍ରାଇକରେ ୯ ଶିଶୁଙ୍କ ସମେତ ୧୩ ମୃତ

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍-ହମାସ୍ ମଧ୍ୟରେ ଥମୁନି ଯୁଦ୍ଧ । ପୁଣି ଥରେ ଗାଜାକୁ ଟାର୍ଗେଟ୍ କରିଛି ଆଇଡିଏଫ । ଦକ୍ଷିଣ ଗାଜାରେ ଥିବା ରଫା ସହର ଉପରେ ହମଲା ହୋଇଛି । ଗାଜା ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା ମୁତାବକ, ଇସ୍ରାଏଲ ଡିଫେନ୍ସ ଫୋର୍ସ ରବିବାର ରାତି ସାରା ମିସାଇଲ୍ ମାଡ଼ ହୋଇଛି । ଏହି ଏୟାରଷ୍ଟ୍ରାଇକରେ ୯ଜଣ ଛୋଟ ପିଲାଙ୍କ ସମେତ ମୋଟ୍ ୧୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଅନେକ ସାଧାରଣ ଲୋକ ଆହତ ହୋଇଛନ୍ତି । 

ହମାସ୍ ମଡିଆ ଆଉଟଲେଟ୍ସର ରିପୋର୍ଟ ମୁତାବକ, ଇସ୍ରାଏଲ ହମଲାରେ ପ୍ରାୟ ୧୫ଜଣଙ୍କ ମୃତ୍ୟୁ ହୋଇଛି । ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ଗାଜାପଟ୍ଟୀର ଉତ୍ତରରେ ଗାଜା ସହର ଅବସ୍ଥିତ । ଏହି ସ୍ଥାନକୁ ଇସ୍ରାଏଲ ଏୟାରଫୋର୍ସ ଟାର୍ଗେଟ କରି ହିଟ୍ କରିଛି । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।   

ରଫାକୁ ଟାର୍ଗେଟ୍ କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏହି ସହର ଉପରେ ବାରମ୍ବାର ବୋମା ମାଡ଼ ଫଳରେ ଏଠାରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ପଳାୟନ କରିଛନ୍ତି । ପଡୋଶୀ ଦେଶମାନଙ୍କରେ ଶରଣାର୍ଥୀ ଭାବେ ରହୁଛନ୍ତି । ତେବେ ଏହି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇଜିପ୍ଟ ମଧ୍ୟସ୍ଥତାରେ ଇସ୍ରାଏଲ ଓ ହମାସ୍ ମଧ୍ୟରେ ଯୁଦ୍ଧ ବିରାମ ନେଇ ଆଲୋଚନା ହେଉଥିଲା । ମାତ୍ର ଆଇଡିଏଫ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି । 

ଗତ ବର୍ଷ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ୍ ଉପରେ ହମାସ୍ ଆତଙ୍କବାଦୀ ସଂଗଠନ ଆକ୍ରମଣ କରିଥିଲା । ଯେଉଁଥିରେ ୧,୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୫୩ଜଣ ଇସ୍ରାଏଲୀଙ୍କୁ ହମାସ୍ ଅପହରଣ କରିନେଇଥିଲେ । ଏହା ପରେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ପାଲଟା ଆକ୍ରମଣ କରିଥିଲା । ହମାସ୍ ନିପାତ ଲକ୍ଷ୍ୟରେ ପାଲେଷ୍ଟାୟୀନର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି । ଏହି ହମଲାରେ ବର୍ତ୍ତମାନ ସୁଦ୍ଧା ୩୪ହଜାରରୁ ଅଧିକ ପାଲେଷ୍ଟାୟିନୀୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧ ପାଇଁ  ପ୍ରାୟ ଅଢ଼େଇ ଲକ୍ଷ ଲୋକ ବାସହରା ହୋଇଛନ୍ତି । ଧ୍ବଂସସ୍ତୁପରେ ପରିଣତ ହୋଇଛି ଗାଜା ପଟ୍ଟୀ ।

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.