ଲାଲ୍ ସଂଗଠନକୁ ଜୋରଦାର୍ ଝଟ୍‌କା, ଆତ୍ମସମର୍ପଣ କଲେ ୨୬ ନକ୍ସଲ

Published By : Prameya-News7 Bureau | April 08, 2025 IST

ମାଲକାନଗିରି ୦୮।୦୪ : ଲାଲ୍‌ ସଂଗଠନକୁ ଝଟ୍‌କା । ଛତିଶଗଡର ଦାନ୍ତେୱାଡାରେ ସୁରକ୍ଷା ବାହିନୀ ନିକଟରେ  ୨୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।  ସେମାନଙ୍କ ମଧ୍ୟରେ ୩ ଜଣଙ୍କ ମୁଣ୍ଡରେ ୫୦ ହଜାରରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଥିଲା । 

ଦାନ୍ତେୱାଡା ଏସ୍‌ପି ଗୌରବ  ରାୟଙ୍କ ସୂଚନା ଅନୁସାରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଉଛନ୍ତି   ଜନମିଲିସିଆ, ଜନତାନ ସରକାର ଓ ଆରପିସି (ରିଭୋଲ୍ୟୁସନାରୀ ପାର୍ଟି କମିଟି)ର ସଦସ୍ୟ । ଏହା ଛଡା ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଙ୍ଗଠନ ଓ ଚେତନା ନାଟ୍ୟ ମଣ୍ଡଳୀ  ଭଳି ନକ୍ସଲଙ୍କ ଛାମୁଆଁ ସଙ୍ଗଠନର ସଦସ୍ୟ ମଧ୍ୟ ଅଛନ୍ତି । ନକ୍ସଲଙ୍କ ତ୍ରୁଟିପୂର୍ଣ୍ଣ ବିଚାରଧାରାକୁ  ଛାଡି ସେମାନେ ବରିଷ୍ଠ ପୁଲିସ ଓ ସିଆରପିଏଫ  ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ  କରିଛନ୍ତି । ଏହି ନକ୍ସଲଙ୍କ ମଧ୍ୟରେ ଅଛନ୍ତି  ଆମଦାଇ ଏରିଆ ଜନମିଲିସିଆ କମାଣ୍ଡର  ରାଜେଶ କଶ୍ୟପ, ଜନତାନ ସରକାର ସ୍କ୍ୱାଡ଼ ମୁଖ୍ୟ କୋଶା ଦେବୀ ଓ ଚେତନା ନାଟ୍ୟ ମଞ୍ଚର  ଛୋଟୁ କୁଞ୍ଜମ । ରାଜେଶ କଶ୍ୟପଙ୍କ ମୁଣ୍ଡରେ  ୩ ଲକ୍ଷ, କୋଶା ଦେବୀଙ୍କ ମୁଣ୍ଡରେ ୧ ଲକ୍ଷ  ଏବଂ ଛୋଟୁ କୁଞ୍ଜମଙ୍କ ମୁଣ୍ଡ ଉପରେ ୫୦  ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା ।  ଏହାକୁ ମିଶାଇ କେବଳ ଦାନ୍ତେୱାଡାରେ ଗତ  ୨୦୨୦ ଜୁନ୍‌ରୁ ଏପର୍ଯ୍ୟନ୍ତ ମୋଟ ୯୫୩ ଜଣ  ନକ୍ସଲ ଆତ୍ମସମର୍ପଣ କରିସାରିଲେଣି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.