ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର; ୪ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | June 17, 2024 IST

ଚାଇବସା: ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷାବାହିନୀର ଗୁଳିରେ ୪ ନକ୍ସଲ ନିହତ । ମାଓବାଦୀ କ୍ୟାମ୍ପରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ । ସୋମବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଏହି ଗୁଳି ବିନିମୟରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ସେହିପରି ୨ଜଣ ନକ୍ସଲଙ୍କୁ ସୁରକ୍ଷାବାହିନୀର ଯବାନମାନେ ଗିରଫ କରିବାରେ ସଫଳ ହୋଇଛନ୍ତି । ଏମାନଙ୍କ ନିକଟରୁ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି । ମୃତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ଜଣାପଡ଼ିଛି । ପ୍ରାଣ ହରାଇଥିବା ମାଓବାଦୀମାନେ ନକ୍ସଲ ସଂଗଠନର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଥିଲେ । ଜଣେ ଏରିଆ କମାଣ୍ଡର, ସବ୍ ଜୋନାଲ୍ କମାଣ୍ଡର ଏବଂ ଜୋନାଲ୍ କମାଣ୍ଡର ଭାବେ ନିୟୋଜିତ ହୋଇଥିଲେ । 

ପଶ୍ଚିମ ସିଂହଭୂମି ଜିଲ୍ଲାର ଗୁଆ ଥାନା କ୍ଷେତ୍ରର ଲିପୁଙ୍ଗା ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାବାହିନୀର ଯବାନଙ୍କୁ ଦେଖି ମାଓବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ । ଏହାର ପାଲଟା ଜବାବରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି । ସେହିପରି ଦୁଇ ମାଓବାଦୀଙ୍କୁ ଜୀବିତ ଗିରଫ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ନକ୍ସଲ ସଂଗଠନର ଜଣେ ଜୋନାଲ୍ କମାଣ୍ଡର ରହିଛନ୍ତି । ଯାହାଙ୍କୁ ଧରାଇ ଦେବାକୁ ପୋଲିସ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ।

ଜିଲ୍ଲା ପୋଲିସ୍ ଅଧିକ୍ଷକ ଆଶୁତୋଷ ଶେଖର କହିଛନ୍ତି, ମୃତ ମାଓବାଦୀଙ୍କ ପରିଚୟ ମିଳିଛି । ଜଣେ ଜୋନାଲ୍ କମାଣ୍ଡର ସିଂଗରାଈ ଓର୍ଫ ମନୋଜ, ସବ୍ ଜୋନାଲ୍ କମାଣ୍ଡର କାଣ୍ଡେ ହୋନହାଗା ଓର୍ଫ ଦରଶୁମ୍, ଏରିଆ କମାଣ୍ଡର ସୂର୍ଯ୍ୟ ଓର୍ଫ ମୁଣ୍ଡା ଦେବଗମ ଏବଂ ମହିଳା ନକ୍ସଲ କ୍ୟାଡର ଜୁନଗା ପୁର୍ତ୍ତି । ଜୋନାଲ୍ କମାଣ୍ଡର ସିଂଗରାଈ ଓର୍ଫ ମନୋଜ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା, ସବ୍ ଜୋନାଲ୍ କମାଣ୍ଡର କାଣ୍ଡେକୁ ଧରାଇ ଦେବାକୁ ୫ଲକ୍ଷ ଟଙ୍କା ଏବଂ ସୂର୍ଯ୍ୟ ଓର୍ଫ ମୁଣ୍ଡା ଦେବଗମ ମୁଣ୍ଡ ପାଇଁ ୨ଲକ୍ଷ ଟଙ୍କା ପୁରସ୍କାର ରାଶି ପୂର୍ବରୁ ଘୋଷଣା କରିଥିଲା ପୋଲିସ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.