ଭିଡିଓ ଜର୍ଣ୍ଣାଲିଷ୍ଟ ଶେଖ୍ ହନିଫ୍ ଅଲିଙ୍କ ପରଲୋକ, ଢେଙ୍କାନାଳରେ ଥିଲେ କାର୍ଯ୍ୟରତ

Published By : Prameya-News7 Bureau | June 26, 2024 IST

ଢେଙ୍କାନାଳ ୨୬।୬: ନ୍ୟୁଜ ସେଭେନ କ୍ୟାମେରା ମ୍ୟାନ ଶେଖ ହନିଫ ଅଲିଙ୍କ ଅକାଳ ବିୟୋଗ । ସଡକ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ ହନିଫ । କଟକର ଏକ ଘରୋଇ ଡାକ୍ତରଖାନାରେ ଚାଲିଥିଲା ଚିକିତ୍ସା । 

ଗତ ୧୯ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଏକ ଅଜଣା ଗାଡି ଢେଙ୍କାନାଳ ସହରର କୁଞ୍ଜକାନ୍ତ କାନାରା ବ୍ୟାଙ୍କ ନିକଟରେ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ପରିବାର ପକ୍ଷରୁ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନା ପକ୍ଷରୁ ମସ୍ତିଷ୍କଜନିତ ଆଘାତରୁ ଅସ୍ତ୍ରୋପଚାର କରାଯାଇଥିଲା । ମାତ୍ର ବୁଧବାର ସକାଳ ସାଢେ ୧୦ଟା ସମୟରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ହନିଫଙ୍କ ବୟସ ମାତ୍ର ୩୪ ବର୍ଷ । ନ୍ୟୁଜ ସେଭେନ ପାଇଁ ଢେଙ୍କାନାଳରେ କ୍ୟାମେରା ମ୍ୟାନ ଭାବେ କାର୍ଯ୍ୟରତ ଥିଲେ ହନିଫ । ତାଙ୍କର ଦେଢ଼ ବର୍ଷ, ୭ ବର୍ଷ ଓ ୧୧ ବର୍ଷର ତିନୋଟି ପୁତ୍ର ସନ୍ତାନ ଥିବା ଜଣାପଡିଛି । 

ଗତ ୨୦୧୯ ମସିହା ନଭେମ୍ବର ମାସରେ ସେ ନ୍ୟୁଜ ସେଭେନର କ୍ୟାମେରା ମ୍ୟାନ ଭାବେ ଯୋଗ ଦେଇଥିଲେ । କୋଭିଡ ହେଉ କିମ୍ବା କୌଣସି ବିପର୍ଯ୍ୟୟ ଅଥବା ହାତୀ ଉପଦ୍ରବ ଜନିତ ଖବରକୁ ଅତି ନିର୍ଭୀକ ଭାବେ ନିଜ କ୍ୟାମେରାରେ କଏଦ କରିବାରେ ବେଶ ପାରଙ୍ଗମ ଥିଲେ ହନିଫ । ଜଣେ ଆମୟୀକ, ମିଷ୍ଠଭାଷୀ, ପରୋପକାରୀ ଓ ନିର୍ଭୀକ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ ଖୁବ୍ କମ୍ ବୟସରେ ସେ ଢେଙ୍କାନାଳ ଜିଲ୍ଲା ତଥା ନ୍ୟୁଜ ସେଭେନ ପରିବାରରେ ଲୋକପ୍ରିୟତା ହାସଲ କରିପାରିଥିଲେ । ତାଙ୍କର ଏପରି ଅକାଳ ବିୟୋଗ ନ୍ୟୁଜ ସେଭେନ ପରିବାର ପାଇଁ ଅପୂରଣୀୟ କ୍ଷତି ।

You Can Read :

ବୀରମହାରାଜପୁର ବିଧାୟକଙ୍କ ସମୀକ୍ଷା ବୈଠକ, ଖୁବ୍‌ଶୀଘ୍ର ମୌଳିକ ସମସ୍ୟାର ହେବ ସମାଧାନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.