ଶିଙ୍ଗୁର, ସାଇରସ୍, ୱାଡିଆ, ଟାଟା-ରାଡିୟା ଟେପ୍ସ: ରତନ ଟାଟାଙ୍କ କାର୍ଯ୍ୟକାଳର ୫ଟି ଚର୍ଚ୍ଚିତ ବିବାଦ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ: ଟାଟା ସନ୍ସର ଅଧ୍ୟକ୍ଷ ଭାବେ ରତନ ଟାଟାଙ୍କ କାର୍ଯ୍ୟକାଳ ସବୁବେଳେ ଉଦାହରଣ ହୋଇ ରହିବ । ତେବେ କିଛି ବିବାଦ ବି ତାଙ୍କ ସହ ଯୋଡ଼ି ହୋଇଥିଲା । ଶିଙ୍ଗୁର ନାନୋ ମୁଦ୍ଦାରୁ ସାଇରସ୍ ମିସ୍ତ୍ରୀଙ୍କ ପଦୋନ୍ନତି ପରେ ବିବାଦ, ଟାଟା ଟେପ୍ସ ବିବାଦରୁ ରାଡିୟା ଟେପ୍ସ ଏଥିରେ ସାମିଲ ରହିଛି ।

ଶିଙ୍ଗୁର ବିବାଦ

୨୦୦୬ ମସିହାରେ ବାମ ଦଳ ସରକାର ପଶ୍ଚିମବଙ୍ଗରେ ନାନୋ କାର ପାଇଁ କାରଖାନା ପ୍ରତିଷ୍ଠା କରିବାକୁ ଆମନ୍ତ୍ରଣ କରିଥିଲା । କିନ୍ତୁ ଶିଙ୍ଗୁରରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବଡ଼ ବିବାଦ ଠିଆ କରିଥିଲା । ୨୦୦୭ରେ ମମତା ବାନାର୍ଜୀ ନାନୋ କାର ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଏବଂ ଅନଶନରେ ବସିଥିଲେ । ଏହି ଘଟଣାରେ ପୋଲିସ ଆକ୍ସନ ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଥିଲା । ଏହାପରେ ଟାଟା ମୋଟର ନିଜ ନାନୋ ପ୍ରକଳ୍ପକୁ ପଶ୍ଚିମବଙ୍ଗରୁ ଗୁଜରାଟର ସାନାନ୍ଦକୁ ଶିଫ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାର ପରିଣାମ ସ୍ୱରୁପ ଟାଟାର ଉତ୍ପାଦନରେ ବିଳମ୍ୱ ହେଲା ଏବଂ ପରେ ଗ୍ରାହକଙ୍କ ଗ୍ରହଣୀୟତା କମିବା ଯୋଗୁଁ ପ୍ରକଳ୍ପକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଟାଟା ।

ସାଇରସ୍ ମିସ୍ତ୍ରୀ ବିବାଦ

୨୦୧୨ ମସିହାରେ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ଗ୍ରୁପର ମୁଖ୍ୟ ନିଯୁକ୍ତ କରାଯାଇଥିଲା । କିନ୍ତୁ ପରେ ମିସ୍ତ୍ରୀ ଏବଂ ଟାଟାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିବାଦ ହୋଇଥିଲା । ଏହାପରେ ୨୦୧୬ ଅକ୍ଟୋବର ୨୪ରେ ଟାଟା ସନ୍ସ ବୋର୍ଡ ସାଇରସ୍ ମିସ୍ତ୍ରୀଙ୍କୁ ଅଧ୍ୟକ୍ଷ ପଦରୁ ହଟାଇଥିଲା । ମିସ୍ତ୍ରୀ ଏହାପରେ ଟାଟା ଗ୍ରୁପ୍ ବିରୋଧରେ ଅନେକ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଯାହାକୁ ଟାଟା ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଟାଟା ଏବଂ ମିସ୍ତ୍ରୀ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ କରିଥିଲେ ।

ନୁସଲି ୱାଡିଆଙ୍କ ସହ ବିବାଦ

ନୁସଲି ୱାଡିଆ ଏବଂ ରତନ ଟାଟା ଅନେକ ଦଶନ୍ଧି ଯାଏ ଘନିଷ୍ଠ ସହଯୋଗୀ ଥିଲେ । ତେବେ ୨୦୧୬ ସାଇରସ୍ ମିସ୍ତ୍ରୀ ଘଟଣା ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ହୋଇଥିଲା । ୨୦୧୬ ଡିସେମ୍ୱରରେ ଟାଟା ସନ୍ସ, ଟାଟା ମୋଟର ବୋର୍ଡ, ଟାଟା ଷ୍ଟିଲ୍ ଏବଂ ଟାଟା କେମିକାଲ ବୋର୍ଡରୁ ୱାଡିଆଙ୍କୁ ବିଦା କରିଥିଲା । ଏହି ଘଟଣା ପରେ ରତନ ଟାଟା, ଟାଟା ସାନ୍ସ ଏବଂ ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ୱାଡିଆ ଫୌଜିଦାରୀ ଏବଂ ଅପରାଧିକ ମାନହାନୀ ମୋକଦ୍ଦମା କରିଥିଲେ । ତେବେ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି କୋର୍ଟ ବାହାରେ ଏହି ବିବାଦର ସମାଧାନ ପାଇଁ କହିଥିଲେ । ପରେ ୱାଡିଆ ସମସ୍ତ ଅଭିଯୋଗକୁ ଫେରାଇ ନେଇଥିଲେ ସୁଦ୍ଧା ସେମାନଙ୍କ ବନ୍ଧୁତା ଆଉ ରହିନଥିଲା ।

ଟାଟା ଟେପ୍ସ ବିବାଦ

୧୯୯୭ ଅକ୍ଟୋବରରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଉଦ୍ୟୋଗପତି ନୁସଲି ୱାଡିଆଙ୍କ ରତନ ଟାଟା, କେଶବ ମହିନ୍ଦ୍ରା ଏବଂ ଫିଲ୍ଡି ମାର୍ଶଲ ସାମ୍ ମାନେକଶଙ୍କ ସହ ହୋଇଥିବା ଟେଲିଫୋନ କଥାବର୍ତ୍ତା ପ୍ରକାଶିତ ହୋଇଥିଲା । ଯେଉଁଥିରେ ଟାଟା ଟି’ ଏବଂ ତତ୍କାଳୀନ ଆସାମ ସରକାର ସହ ବିବାଦ କଥା ଉଲ୍ଲେଖ କରାଯାଇଥିଲା । ଆସାମ ସରକାର କମ୍ପାନି ବିରୋଧରେ ଆତଙ୍କୀ ସଂଗଠନ ୟୁନାଇଟେଡ୍ ଲେବରେସନ ଫ୍ରଣ୍ଟ ଅଫ୍ ଆସାମ ସହ ମିଶି କାମ କରୁଥିବା ଅଭିଯୋଗ ଆଣିଥିଲେ । ଟାଟା ଏହି ମାମଲାରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପାଇଁ ଉଦ୍ୟମ କରିଥିଲା, କାରଣ ଉଲ୍ଫା ରାଜ୍ୟରେ କାମ କରୁଥିବା କମ୍ପାନିରୁ ଟଙ୍କା ଆଦାୟ ପାଇଁ ଉଦ୍ୟମ କରୁଛି । ଟାଟା ଟି କହିଥିଲା ଯେ ଉଲ୍ଫା ବିଷୟରେ ଜଣାନଥିଲା ଏବଂ କମ୍ପାନି ଦାବି କରିଥିଲା ଯେ ଆସାମର ଲୋକଙ୍କ ଚିକିତ୍ସା ସହାୟତା ଯୋଜନା ଅଧିନରେ ଆର୍ଥିକ ସହାୟତା ପ୍ରଦାନ କରିଥିଲା ।

ରାଡିୟା ଟେପ୍ସ

୨୦୧୦ ନଭେମ୍ୱରରେ କର୍ପୋରେଟ୍ ଲବିଷ୍ଟ ନୀରା ରାଡିୟା ଏବଂ ବିଭିନ୍ନ ଉଦ୍ୟୋଗପତି, ରାଜନେତା, ସାମ୍ୱାଦିକ ଏବଂ ପ୍ରଶାସନିକ ମଧ୍ୟରେ ଟେଲିଫୋନ କଥାବାର୍ତ୍ତା ପ୍ରେସରେ ଲିକ୍ ହୋଇଥିଲା । ଏହି କଥାବର୍ତ୍ତା ଯୋଗୁଁ ଦୁର୍ନୀତି ଅଭିଯୋଗ ଆସିଥିଲା ଏବଂ ପୂର୍ବତନ ଦୂରସଂଚାର ମନ୍ତ୍ରୀ ଏ.ରାଜାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ରାଡିୟା ଯେଉଁ ଉଦ୍ୟୋଗପତିଙ୍କ ସହ କଥା ହୋଇଥିଲେ ସେମାନଙ୍କ ମଧ୍ୟରେ ରତନ ଟାଟା ଥିଲେ । ଟେପ ଲିକ୍ ହେବା ପରେ ମିଡିଆରେ ଏହି ଟେପ୍ ପ୍ରସାରଣ ଉପରେ ରୋକ୍ ଲଗାଇବା ପାଇଁ ଟାଟା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.