ଲୁଚକାଳି ଖେଳୁଛି ମୌସୁମୀ, ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

Published By : Prameya-News7 Bureau | June 21, 2024 IST

ଭୁବନେଶ୍ୱର ୨୧।୦୬ :  ରଜ ସରିଲାଣି । ହେଲେ ଏବେ ଯାଏଁ ବର୍ଷାର ଦେଖା ନାହିଁ । ରାଜ୍ୟରେ ଜୁନ୍‌ ପହିଲାରୁ ଏଯାଏଁ ମାତ୍ର ୫୭.୪ ମିଲିମିଟର ବର୍ଷା ହୋଇଛି । ଯେତିକି ହେବା କଥା, ତା’ଠାରୁ ୫୦% କମ୍‌ ହୋଇଛି । ୨୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା । ୧୦ ଜିଲ୍ଲା ଅବସ୍ଥା ସାଂଘାତିକ, ୬୦%ରୁ ୭୫% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ସ୍ଥିତି । ଏଥିରୁ ଜଳଜଳ-ଚାଷୀଙ୍କ ଅବସ୍ଥା କେମିତି ଥିବ...।

ଚାଷୀ ଉପରକୁ ଅନେଇ ବସିଛି । ମଝିରେ ମଝିରେ ପାଣିପାଗ ବିଭାଗର ମୌସୁମୀ ପାଗ ଅନୁକୂଳ ଖବର ମନରେ ଆଶା ଭରୁଛି। ମାତ୍ର ସକାଳୁ ତତଲା ହାୱାରେ ସବୁ ଆଶା ଶୁଖିଯାଉଛି। ବର୍ଷା ଗାଏବ। ଯେଉଁଠି ଆଜି ଘଡ଼ଘଡ଼ି ସହ ଢାଳୁଛି, ସେଠାରେ କାଲି ସକାଳୁ ପୁଣି ତାତି ମାଡ଼ ଆରମ୍ଭ ହୋଇଯାଉଛି । 

ମୌସୁମୀ ଧକେଇ ଧକେଇ ଆଗକୁ ବଢ଼ୁଛି। ବର୍ଷାର ଦେଖା ନାହିଁ । ବିସ୍ତୃତ ଅଞ୍ଚଳରେ ଚାଷ ଜମି ଶୁଖିଲା ପଡ଼ିଛି । ଚାଷୀ ଧାନ ବୁଣିବାକୁ ଅପେକ୍ଷା କରି ରହିଛି । ଦିନ ଗଡ଼ି ଚାଲିଛି । ଏମିତିରେ ଦୀର୍ଘମିଆଦି ଧାନ ବିହନ ଧରି ବସିଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ?

ଭାତ ହାଣ୍ଡି କୁହାଯାଉଥିବା କଳାହାଣ୍ଡିରେ ୭୫% ବର୍ଷା ନିଅଣ୍ଟିଆ ସ୍ଥିତି ଥିବାବେଳେ ମୟୂରଭଞ୍ଜରେ ୭୩%, କେନ୍ଦୁଝରରେ ୭୨%, ବୌଦ୍ଧରେ ୭୩%, ପୁରୀରେ ୭୦%, ବଲାଙ୍ଗୀରରେ ୬୬%, ବାଲେଶ୍ୱରରେ ୬୮%, ଖୋର୍ଦ୍ଧାରେ ୬୪%, ନୟାଗଡ଼ରେ ୬୦%, ଅନୁଗୁଳରେ ୬୭% ବର୍ଷା ନିଅଣ୍ଟିଆ ସ୍ଥିତି ଚିନ୍ତା ବଢ଼ାଇଲାଣି ।

ସମ୍ବଲପୁର, ଦେବଗଡ଼, କନ୍ଧମାଳ, ମାଲକାନଗିରିକୁ ଛାଡ଼ିଦେଲେ ବାକି ଜିଲ୍ଲାଗୁଡ଼ିକରେ ବି ବର୍ଷା ଅଭାବ। ତାଜା ସୂଚନା ହେଲା, ମୌସୁମୀ ଆଗକୁ ବଢ଼ି ମାଲକାନଗିରି ପରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ାକୁ ପ୍ରବେଶ କରିବା ସହ ଗଜପତିକୁ ହାଲ୍‌କା ଛୁଇଁଛି । ପାଣିପାଗ ବିଭାଗ ଆଶା ଦେଖାଇଲାଣି, ୩-୪ ଦିନ ଭିତରେ ମୌସୁମୀ ରାଜ୍ୟରେ ଆଗକୁ ବଢ଼ିବାକୁ ପାଗ ଅନୁକୂଳ।

ଗୁରୁବାର ବାରିପଦା, ଫୁଲବାଣୀ, ଝାରସୁଗୁଡ଼ାରେ ଭଲ ବର୍ଷା ହୋଇଛି । ରାଉରକେଲା, ବରଗଡ଼, ହୀରାକୁଦ, ସମ୍ବଲପୁରରେ ବି ଅଳ୍ପ ବର୍ଷା ରେକର୍ଡ ହୋଇଛି । ମାତ୍ର ବିସ୍ତୃତ ଅଞ୍ଚଳ ପଡ଼ିଛି ଶୁଖିଲା। ବର୍ଷାର ଦେଖା ନାହିଁ ରାଜ୍ୟର ଅନେକ ଅଞ୍ଚଳରେ। ଯେତିକି ହେଉଛି, ଅସରାଏ ଲେଖାଏଁ ଘଡ଼ଘଡ଼ି ସହ। ତା’ ପର ଦିନ ପୁଣି ଶୁଖିଲା, ତତଲା।

ସେପଟେ ପାଣିପାଗ ବିଭାଗ କହିଛି ଯେ, ଶୁକ୍ରବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୨୩ଟି ଜିଲ୍ଲାର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ୩୦-୪୦ କିମି ବେଗରେ ପବନ ଆଶଙ୍କା ଅଛି। ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାରେ ଗରମ ସହ ଭୀଷଣ ଗୁଳୁଗୁଳି ହେବ । ପାଣିପାଗ ବିଭାଗ ଆଶା ଦେଖାଇଛି- ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।

ତେବେ ଆସନ୍ତା ୨୬/୨୭ ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଦୁର୍ବଳ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ମାସ ଶେଷବେଳକୁ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ବଢ଼ିପାରେ ।

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.