ଆହୁରି ୨୪ ଘଣ୍ଟା ରହିବ ବର୍ଷାର ପ୍ରକୋପ, ଶୁକ୍ରବାରଠୁ କମିବ ପରିମାଣ

Published By : Prameya-News7 Bureau | September 26, 2024 IST

ଭୁବନେଶ୍ୱର ୨୬/୦୯: ବର୍ଷା ପ୍ରକୋପ ଆଉ ଦିନଟିଏ ରହିବ । ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ରହିପାରେ । ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଶୁକ୍ରବାର ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । 

ଶନିବାରଠାରୁ ବର୍ଷା ପ୍ରକୋପ କମିବ । ରବିବାରଠାରୁ କାଁ ଭାଁ ବର୍ଷା ହୋଇପାରେ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବୁଧବାର ଘୂର୍ଣ୍ଣିବଳୟ ଛତିଶଗଡ଼ ଓ ଆଖାପାଖ ଅଞ୍ଚଳ ଉପରେ ଥିଲା । ଏହା ପ୍ରଭାବରେ ଗତ ୨୪ ଘଣ୍ଟାରେ  ରାଜ୍ୟର ବହୁ ସ୍ଥାନରେ ଲଗାଣ ବର୍ଷା ହୋଇଛି । 

ବୁଧବାର ସକାଳ ସାଢ଼େ ୮ଟାରୁ ସନ୍ଧ୍ୟା ସାଢ଼େ ୫ଟା ଭିତରେ ତାଳଚେରରେ ୧୫୫ ମିଲିମିଟର ବର୍ଷା ଢାଳିଛି । କେନ୍ଦୁଝରରେ ୮୪.୪ ମିମି, ଅନୁଗୁଳରେ ୬୦, ଭଦ୍ରକରେ  ୪୨.୨, ପାରାଦୀପରେ ୩୧.୩, ବାରିପଦାରେ ୩୦.୨, ଢେଙ୍କାନାଳରେ ୨୭.୪, ରାଉରକେଲାରେ ୨୬.୪ ମିମି ବର୍ଷା ରେକର୍ଡ ହୋଇଛି । 

ବିଶିଷ୍ଟ  ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ୨ ଦିନ ପାଗ ଆଂଶିକ ମେଘୁଆ  ରହିବ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । ମାତ୍ର ଶୁକ୍ରବାରଠାରୁ  ବର୍ଷା ପରିମାଣ କ୍ରମଶଃ କମିବ । ପରେ ବେଳେବେଳେ ପାଗ ଖରାଟିଆ  ସହ କିଛି ବର୍ଷା ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.