ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାରୁ ଆଲର୍ଟ

Published By : Prameya-News7 Bureau | September 24, 2024 IST

ଭୁବନେଶ୍ୱର ୨୪।୦୯ : ରାଜ୍ୟରେ ଆସନ୍ତା ୨୬ ତାରିଖରେ ପ୍ରବଳ ବର୍ଷା ହେବ । ସୋମବାର  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ  କରିଥିଲା । କିନ୍ତୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ମଙ୍ଗଳବାର ଲଘୁଚାପ ସୃଷ୍ଟି ହୋଇପାରେ । ୨୪, ୨୫ ଓ ୨୬ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୨୫, ୨୬ ଓ ୨୭ ତାରିଖରେ ସମ୍ବଲପୁରରୁ ସୁନ୍ଦରଗଡ଼ ଯାଏ ପଶ୍ଚିମ   ଓଡ଼ିଶାରେ ବର୍ଷା ହୋଇପାରେ । ଉପକୂଳ ଓ  ଦକ୍ଷିଣ ଆଭ୍ୟନ୍ତରରେ ଭାରୀ ବର୍ଷା ହେବ । ୨୬ ତାରିଖରେ ସାରା ରାଜ୍ୟରେ ଭାରି ବର୍ଷା ହେବ  ବୋଲି ସେ ଆକଳନ କରିଛନ୍ତି । ଆସନ୍ତା ୫ ଦିନ ରାଜ୍ୟରେ ବର୍ଷା ହେବ ବୋଲି ସେ କହିଛନ୍ତି । 

ରାଜ୍ୟରେ ୨୮ ତାରିଖ ଯାଏ ବର୍ଷା ହୋଇପାରେ ।  ଆଗାମୀ ୫ ଦିନରେ ମୋଟ ବର୍ଷା ପରିମାଣ ୮୦ମିମିରୁ ଅଧିକ ବର୍ଷା ହୋଇପାରେ । କିଛି ସ୍ଥାନରେ ୧୦୦ମିମିରୁ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ଡ. ପଶୁପାଳକ କହିଛନ୍ତି । 

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୪ ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରରେ  ଭାରି ବର୍ଷା ସମ୍ଭାବନା ଅଛି ।୨୫ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର  ଓ ନୂଆପଡ଼ାରେ ଭାରି ବର୍ଷା ହୋଇପାରେ । ୨୬ରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ  ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । 

ସୋମବାର ଗୋପାଳପୁରରେ ପ୍ରବଳ  ବର୍ଷା ହୋଇଛି । ଏଠାରେ ୯୮.୩ ମିମି  ବର୍ଷା ରେକର୍ଡ ହୋଇଛି । ଭଦ୍ରକରେ ୪୬,  ଛତ୍ରପୁରରେ ୪୨, ମାଲକାନଗିରିରେ ୨୨.୨,  ତାଳଚେରରେ ୨୨, ଜଗତସିଂହପୁରରେ ୧୬   ଓ ଯାଜପୁରରେ ୧୦ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.