୨୩ରେ ପୁଣି ଲଘୁଚାପ, ୩ ଦିନ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା

Published By : Prameya-News7 Bureau | September 22, 2024 IST

ଭୁବନେଶ୍ୱର,୨୨/୯: ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୨୩ ତାରିଖରେ ଏହା ଲଘୁଚାପ ରୂପ ନେବ। ଏହା  ପ୍ରଭାବରେ ୨୩ରୁ ୨୫ ତାରିଖ ରାଜ୍ୟରେ  ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର  ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶାରେ ବି ବର୍ଷିପାରେ । ପାଣିପାଗ  ବିଭାଗ ଏହି ପୂର୍ବାନୁମାନ କରିଛି । 

 ବରିଷ୍ଠ ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକଙ୍କ ଆକଳନ କହୁଛି,   ଶନିବାର ରାତି ୯ଟାରେ ଉତ୍ତର ବଙ୍ଗୋପସାଗର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରରେ ଏକ  ଘୂର୍ଣ୍ଣିବଳୟ ରହିଛି । ଏହା ଘନୀଭୂତ  ହୋଇ ଲଘୁଚାପରେ ପରିଣତ ହେବ । ୨୪ ତାରିଖରେ ଏହା ଅବପାତ ରୂପ  ନେଇପାରେ । ୨୫ରେ ଓଡ଼ିଶା  ଉପକୂଳ ସଂଲଗ୍ନରେ ରହିବ । ଏହା  ପ୍ରଭାବରେ ୨୨ ଓ ୨୩ ତାରିଖରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର ସ୍ଥାନେ ସ୍ଥାନେ ମଧ୍ୟମ  ଧରଣର ବର୍ଷା ହୋଇପାରେ । ୨୪  ତାରିଖରେ ଅଧିକାଂଶ ସ୍ଥାନରେ ସ୍ୱଳ୍ପ  ବର୍ଷା ହେବ । ୨୫ ତାରିଖରେ ବର୍ଷା  ବଢ଼ିବ । କିଛି ସ୍ଥାନରେ ମଧ୍ୟମ ଧରଣର  ବର୍ଷା ହୋଇପାରେ ।

୨୬ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ  ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି  ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ୨୭ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼,   ଝାରସୁଗୁଡ଼ା ଓ ସମ୍ବଲପୁରରେ ସ୍ୱଳ୍ପରୁ ମଧ୍ୟମ   ଧରଣର ବର୍ଷା ହେବ । ୨୨ରୁ ୨୭ ତାରିଖ ଯାଏ   ମୋଟ ୮୦ ମିମି ବର୍ଷା ହୋଇପାରେ । ବାଲେଶ୍ୱର,  ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ାରେ ୧୦୦ ମିମି ପର୍ଯ୍ୟନ୍ତ  ବର୍ଷା ହେବ ବୋଲି ସେ ଆକଳନ କରିଛନ୍ତି । 

 ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ପଶ୍ଚିମ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ଘୂର୍ଣ୍ଣିବଳୟ ସୃଷ୍ଟି  ହୋଇଛି । ଥାଇଲାଣ୍ଡର ଉତ୍ତର ଭାଗରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଦୁଇ ଘୂର୍ଣ୍ଣିବଳୟ  ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ  ସଂଲଗ୍ନ ଉତ୍ତର ପଶ୍ଚିମ ଅଞ୍ଚଳରେ ସୋମବାର  ଏକ ଲଘୁଚାପ ସୃଷ୍ଟି ହେବ । ଏହା ପ୍ରଭାବରେ ୨୩ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ୭୦ରୁ ୧୧୦  ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ନବରଙ୍ଗପୁର,  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,   କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ  ନୟାଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଅଛି ।  

୨୪ରେ ମାଲକାନଗିରି, କୋରାପୁଟ, ଗଜପତି,   ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାରେ ପ୍ରବଳ  ବର୍ଷା ହୋଇପାରେ । ୨୫ରେ ବି ଏହି ସବୁ ସ୍ଥାନରେ  ଅଧିକ ବର୍ଷା ହୋଇପାରେ । ପଶ୍ଚିମ ରାଜସ୍ଥାନ ଓ କଚ୍ଛ  ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର  ପାଇଁ ପାଗ ଅନୁକୂଳ ଅଛି ବୋଲି ପାଣିପାଗ ବିଭାଗ  ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.