୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ,୨୬ ଯାଏ ପ୍ରବଳ ବର୍ଷା ସମ୍ଭାବନା

Published By : Prameya-News7 Bureau | September 23, 2024 IST

ଭୁବନେଶ୍ବର ୨୩/୯: ଅଧିକ ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ରୂପ ନେବା ସମ୍ଭାବନା । ପ୍ରଭାବରେ ଆଗାମୀ ୨୬ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ । ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି,କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ,କନ୍ଧମାଳ, ନୟାଗଡ଼,ଖୋର୍ଦ୍ଧା,ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର,ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଯାଜପୁର ,କେନ୍ଦୁଝର ଏହି ୧୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମଙ୍ଗଳବାର ୧୫ ଜିଲ୍ଲା ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି , ନବରଙ୍ଗପୁର, ନୂଆପଡା,  ମୟୁରଭଞ୍ଜ ,କେନ୍ଦୁଝର,ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା ଓ ଯାଜପୁରକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।


ସୋମବାର ଠାରୁ ଆରମ୍ଭ ହୋଇଛି ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଆଜି ଠାରୁ ପଶ୍ଚିମ ରାଜସ୍ଥାନ ଏବଂ କଚ୍ଛ ର କିଛି ଅଞ୍ଚଳରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଗ ମଧ୍ୟ ମୌସୁମୀ ଅପସାରଣ ପାଇଁ ଅନୁକୂଳ ରହିଛି । ଏଥିସହ କୃଷି ତଥା ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଆଶା କରାଯାଉଛି ଓଡ଼ିଶାରୁ ମଧ୍ୟ ନିର୍ଦ୍ଧାରିତ ସମୟରେ ମୌସୁମୀ ଅପସାରଣ କରିବ। ଚଳିତବର୍ଷ ରାଜ୍ୟରେ ଭଲ ବର୍ଷା ହୋଇଛି। ଏବେ ମଧ୍ୟ ଲଘୁଚାପ ପ୍ରଭାବରେ ଭଲ ବର୍ଷା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.