ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ସମ୍ଭାବନା, ଦୁଇ ଦିନ ପ୍ରବଳ ବର୍ଷା

Published By : Prameya-News7 Bureau | September 20, 2024 IST

ଭୁବନେଶ୍ୱର,୨୦।୦୯: ଉତ୍ତର- ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୨,  ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି  ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ୨୩ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ । ପ୍ରାକ୍‌ ଆକଳନ  ଅନୁସାରେ ଏହା ସାରା ରାଜ୍ୟରେ ପ୍ରବଳ  ବର୍ଷା କରାଇପାରେ । ଅବପାତ ନ ହେଲେ  ବର୍ଷା ପରିମାଣ କମିବ । ଏଭଳି ପୂର୍ବାନୁମାନ  କରିଛନ୍ତି କୃଷି ପାଣିପାଗ ବିଶେଷଜ୍ଞ  ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।  

ପ୍ରଫେସର ପଶୁପାଳକ କହିଛନ୍ତି, ଲଘୁଚାପ  ସୃଷ୍ଟି ହେବା ପରେ ତାହା ୪୮ ଘଣ୍ଟା  ଭିତରେ ପାରାଦୀପ ପାଖାପାଖି ଓଡ଼ିଶା  ଉପକୂଳରେ ପହଞ୍ଚିବ । ପରବର୍ତ୍ତୀ ୧୨ରୁ  ୨୪ ଘଣ୍ଟା ଭିତରେ ପ୍ରାୟତଃ ସମ୍ବଲପୁର  ପାଖ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ  ଆଡ଼କୁ ମୁହାଁଇପାରେ । ଯଦି ଘନୀଭୂତ ହୋଇ  ଅବପାତରେ ପରିଣତ ହେବ, ତେବେ  ସମୁଦ୍ରରେ ଅଧିକ ୨୪ ଘଣ୍ଟା ରହିପାରେ। 

ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର  ପଶୁପାଳକ ପରାମର୍ଶ ଦେଇ କହିଛନ୍ତି, ଖାଲି ରହିଥିବା କ୍ଷେତରେ ପ୍ରାକ୍‌ ରବି ଫସଲ ଯଥା ମୁଗ, ବିରି, ଅଳସୀ ଓ ପନିପରିବା ଲଗାଇବା  ଉଚିତ । ଧାନ ଫସଲରେ ସାର ପ୍ରୟୋଗ  କରନ୍ତୁ । ଯେଉଁ ସ୍ଥାନରେ ଅଣଜଳସେଚିତ  ଅଞ୍ଚଳରେ ମାଟି ବତର ନଥିବ, ଧାନରେ ୨ ପ୍ରତିଶତ ୟୁରିଆ ଓ ଡାଲି ଜାତୀୟ ଫସଲରେ  ୨% ଡିଏପି ସାର ସିଞ୍ଚନ କରନ୍ତୁି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.