ଦିନେ ରୋଜଗାରର କେନ୍ଦ୍ର ଥିଲା ପଶ୍ଚିମବଙ୍ଗ, ଆଜି ପଛରେ ପକାଇଲା ଓଡ଼ିଶା; ମୁଣ୍ଡପିଛା ଆୟର ଗଣିତ

Published By : Prameya-News7 Bureau | September 19, 2024 IST

the quint

ଭୁବନେଶ୍ୱର: ଦିନେ ଆଳୁ ଦେବାକୁ ମନା କରିବାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଆଉ ଆଜି ଓଡ଼ିଶା ପଶ୍ଚିମଙ୍ଗକୁ ଟପିଯାଇଛି। ନା, ଆଳୁ ଉତ୍ପାଦନରେ ନୁହେଁ, ମୁଣ୍ଡ ପିଛା ଆୟରେ। ମାନେ ପଶ୍ଚିମବଙ୍ଗ ଅପେକ୍ଷା ଓଡ଼ିଶାର ପ୍ରତି ବ୍ୟକ୍ତି ଆୟ ଅଧିକ ରହିଛି। ସରଳ ଭାବରେ କହିବାକୁ ଗଲେ ଓଡ଼ିଶା ଲୋକେ ବେଙ୍ଗଲ ଲୋକଙ୍କ ଠାରୁ ଅଧିକ ରୋଜଗାର କରୁଛନ୍ତି। ଓଡ଼ିଶାର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ରାଜ୍ୟଙ୍କୁ ପ୍ରଶଂସା କରିଛନ୍ତି।

ଦିନେ ରୋଜଗାରର ପ୍ରାଣ କେନ୍ଦ୍ର ଥିଲା ପଶ୍ଚିମବଙ୍ଗର କୋଲକାତା। ଉପନିବେଶ ସ୍ଥାପନ କରିବାକୁ ବ୍ରିଟିଶରମାନେ ପ୍ରଥମେ ଏହି ସହରକୁ ପସନ୍ଦ କରିଥିଲେ। କୋଲକାତା ଥିଲା ରୋଜଗାରର କେନ୍ଦ୍ରସ୍ଥଳୀ। ଓଡ଼ିଶାର ପାଖାପାଖି ୭୦ ପ୍ରତିଶତ ଲୋକ ରୋଜଗାର ଆଶାରେ ଧାଇଁ ଯାଉଥିଲେ ପଡ଼ୋଶୀ ପଶ୍ଚିମବଙ୍ଗକୁ। ହେଲେ ଆଜିର ସ୍ଥିତି ବଦଳି ଯାଇଛି। ଏବେ ପଶ୍ଚିମବଙ୍ଗ ନୁହେଁ ଓଡ଼ିଶାର ଲୋକେ ଅଧିକ ରୋଜଗାର କରୁଛନ୍ତି। 

ମୁଣ୍ଡ ପିଛା ଆୟରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପଶ୍ଚିମବଙ୍ଗକୁ ଟପି ଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ବା ଇଏସି-ପିଏମ୍‌ ପକ୍ଷରୁ  ପ୍ରସ୍ତୁତ ପେପର୍‌ରେ ଓଡ଼ିଶାକୁ ପ୍ରଶଂସା କରାଯାଇଛି।  

ଇଏସି-ପିଏମ୍‌ ସଦସ୍ୟ ସଞ୍ଜୀବ ସାନ୍ୟାଲ ଏବଂ ଯୁଗ୍ମ ନିର୍ଦ୍ଦେଶକ ଆକାଂକ୍ଷା ଆରୋରା  ପ୍ରସ୍ତୁତ କରିଥିବ ପେପର୍‌  ଅନୁସାରେ, ୨୦୨୩-୨୪ରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% ହୋଇଛି। ଯାହା ୧୯୯୦- ୯୧ରେ ମାତ୍ର ୫୪.୩% ଥିଲା। ହେଲେ ଏହା ପୂର୍ବରୁ ୧୯୬୦ ମସିହା ବେଳକୁ ଓଡ଼ିଶାର ମୁଣ୍ଡ ପିଛା ଭଲ ସ୍ଥିତିରେ ଥିଲା। ସେତେବେଳେ ଏହା ୭୦.୯% ଥିଲା। କିନ୍ତୁ ଏହାପରେ ଏଥିରେ କ୍ରମାଗତ ହ୍ରାସ ଦେଖିବାକୁ ମିଳିଥିଲା।

ରାଜ୍ୟର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଫଳରେ ଏ କ୍ଷେତ୍ରରେ  ଉଲ୍ଲେଖନୀୟ ସଫଳତା ପାଇଛି ଓଡ଼ିଶା । ବର୍ତ୍ତମାନ ଭାରତର ମୁଣ୍ଡ ପିଛା ଆୟ ୧.୮୪ ଲକ୍ଷ ଥିବାବେଳେ ଓଡ଼ିଶାର ମୁଣ୍ଡପିଛା ଆୟ ରହିଛି ୧.୬୧ ଲକ୍ଷ ଟଙ୍କା। ଗତ ଦୁଇ ଦଶନ୍ଧିରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ରାଜ୍ୟ।
ଯଦିଓ ଜାତୀୟ ହାରାହାରିଠାରୁ ଓଡ଼ିଶାର ମୁଣ୍ଡ ପିଛା ଆୟ କମ୍‌ ରହିଛି ତଥାପି ଏହା ୮୮.୫%କୁ ବୃଦ୍ଧି ରାଜ୍ୟର ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି। ଏହାକୁ ନେଇ ତତ୍କାଳୀନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଖୁସିବ୍ୟକ୍ତ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଆମର ସମାବେଶୀ ନୀତି ଏବଂ ଦୂରଦର୍ଶୀ ଅର୍ଥନୈତିକ ପରିଚାଳନା ଯୋଗୁ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୮୮.୫% କୁ ବୃଦ୍ଧି ପାଇଛି। ଯାହାକି ୨୦୦୦-୦୧ରେ  ୫୫.୮% ଥିଲା। ଏହି ଦୁଇ ଦଶନ୍ଧିରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ରେ ରାଜ୍ୟର  ଯୋଗଦାନ ୨.୩%ରୁ ବଢ଼ି ୨.୮% ହୋଇଛି।  ଆଲୋଚ୍ୟ ଅବଧିରେ ଓଡ଼ିଶାର ଅଗ୍ରଗତିକୁ ନେଇ ଇଏସି-ପିଏମ୍‌ ପ୍ରଶଂସା କରିଥିବା ଜାଣି ଅତ୍ୟନ୍ତ ଖୁସି ଅନୁଭବ କରୁଛି ବୋଲି ଲେଖିଛନ୍ତି ନବୀନ।

ଅନ୍ୟପଟେ ପଶ୍ଚିମବଙ୍ଗର ରୋଜଗାର ଉପରୁ ତଳକୁ ଖସୁଛି। ୧୯୬୦-୬୧ ମସିହା ଭିତରେ ପଶ୍ଚିମବଙ୍ଗର ମୁଣ୍ଡ ପିଛା ଆୟ ଜାତୀୟ ହାରାହାରିର ୧୨୭.୫% ଥିଲା, ହେଲେ ୨୦୨୩-୨୪ରେ ଏହା ୮୩.୭%କୁ ଖସି ଆସିଛି। ଓଡ଼ିଶା ଠାରୁ ବି ତଳେ ରହିଛି ପଶ୍ଚିମବଙ୍ଗ।

ଦିନ ଥିଲା ଓଡ଼ିଶାବାସୀ ନଅଁଙ୍କ ଦୁର୍ଭିକ୍ଷର କରାଳ ରୁପ ଦେଖିଥିଲେ। ୧୮୬୫ ମସିହାର ସେହି କରୁଣ କାହାଣୀ ଓଡ଼ିଶାକୁ ଗୋଟେ ଗରିବ, ପଛୁଆ ରାଜ୍ୟ ଭାବେ ପରିଚିତ କରାଇଥିଲା। ସେବେଠାରୁ ନେଇ ଏବେ ପର୍ଯ୍ୟନ୍ତ ଓଡ଼ିଶା ବିକାଶର ଗତି ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ଓ ଅର୍ଥନୈତିକ ଆହ୍ୱାନକୁ ଚ୍ୟାଲେଞ୍ଜ କରି ଓଡ଼ିଶା ଧୀରେ ଧୀରେ ମଜଭୁତ ହେଉଛି। ତେବେ ଭାରତର ଅନ୍ୟ ରାଜ୍ୟ ବିହାର ଓ ଝଡ଼ଖଣ୍ଡର ସ୍ଥିତି ଚିନ୍ତାଜନକ ରହିଛି। ପ୍ରତିବ୍ୟକ୍ତି ଆୟରେ ବିହାର ହେଉଛି ଭାରତର ସବୁଠାରୁ ଗରିବ ରାଜ୍ୟ। ତେବେ ସବୁଠାରୁ ଧନୀ ରାଜ୍ୟ କିଏ ଜାଣନ୍ତୁ ଏହି ରିପୋର୍ଟରେ।

ବିହାର ସମେତ ଅନ୍ୟାନ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଅର୍ଥନୈତିକ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ଜାତୀୟ ହାରାହାରିର ୩୨.୮% ମୁଣ୍ଡ ପିଛା ଆୟ ସହିତ ବିହାର ସବୁଠାରୁ ଗରିବ ରାଜ୍ୟ ହୋଇଛି। ତା’ ପଛକୁ  ୫୭.୨% ଆୟ ସହ ଝାଡ଼ଖଣ୍ଡ ଦ୍ୱିତୀୟ ଗରିବ ରାଜ୍ୟ ହୋଇଥିବା ବେଳେ ୭୩.୭% ମୁଣ୍ଡ  ପିଛା ଆୟ ସହ ଆସାମ ତୃତୀୟ ଗରିବ ରାଜ୍ୟ ହୋଇ ରହିଛି।

ତେବେ ସବୁଠାରୁ ଧନୀ ହେଉଛି ଦିଲ୍ଲୀ। ଦିଲ୍ଲୀର ମୁଣ୍ଡପିଛା ଆୟ ଜାତୀୟ ହାରାହାରିର ୨୫୦.୮% ପ୍ରତିଶତ ରହିଛି। ଯାହା ସବୁଠାରୁ ଅଧିକ। ଏହା ପଛକୁ ୧୯୩.୬%   ସହିତ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ, ୧୮୦.୭% ସହିତ କର୍ଣ୍ଣାଟକ ତୃତୀୟ ସ୍ଥାନରେ,   ୧୭୬.୮% ସହିତ ହରିୟାଣା ଚତୁର୍ଥ ସ୍ଥାନରେ ଏବଂ ୧୭୧.୭% ସହିତ ତାମିଲନାଡୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ଓଡ଼ିଶା ମୁଣ୍ଡପିଛା ଆୟରେ ପଶ୍ଚିମବଙ୍ଗ ଠାରୁ ଆଗରେ ରହିଛି। ତେବେ   ପ୍ରତି ବ୍ୟକ୍ତି ଆୟ କ’ଣ, ଏହା କେମିତି ନିର୍ଣ୍ଣୟ କରାଯାଏ, ତା ଛଡ଼ା ଏହା ସାଧାରଣ ବର୍ଗକୁ କିଭଳି ପ୍ରଭାବିତ କରେ ଆସନ୍ତୁ ଉଦାହରଣ ସହ ବୁଝିବା। 

ପ୍ରତି ବ୍ୟକ୍ତି ଆୟ ବା ପର କେପିଟା ଇନ୍‌କମ ହେଉଛି କୌଣସି ଦେଶ କିମ୍ବା ରାଜ୍ୟ ବା ଏକ ନିର୍ଦ୍ଦିଷ୍ଟ ଏରିଆରେ ରହୁଥିବା ଲୋକଙ୍କର ମୋଟ ଆୟକୁ ସେଠାରେ ରହୁଥିବା ମୋଟ ଜନସଂଖ୍ୟା ସହ ଭାଗ କରାଯାଏ। ତାକୁ ହିଁ ପ୍ରତି ବ୍ୟକ୍ତି ଆୟ କୁହାଯାଏ। 

ଉଦାହରଣ ସ୍ୱରୁପ, ଧରନ୍ତୁ ଗୋଟିଏ ଗାଁରେ ମୋଟ ୫୦୦ ଜଣ ଲୋକ ରହୁଛନ୍ତି। ଏବଂ ସେହି ଗାଁର ମୋଟ ରୋଜଗାର ୫୦ ହଜାର ଟଙ୍କା। ଏଠାରେ ୫୦ ହଜାରକୁ ଆମେ ୫୦୦ ସହ ଭାଗ କରିବା। ଅର୍ଥାତ ମୋଟ ଜନ ସଂଖ୍ୟାକୁ ମୋଟ ଆୟ ସହ ଭାଗ କରିବା। ୫୦ ହଜାର ଡିଭାଇଡ୍ ବାଏ ୫୦୦। ଏହାର ରେଜଲ୍ଟ ବାହାରିବ ୧୦୦ ଟଙ୍କା। ଅର୍ଥାତ୍ ସେହି ଗାଁରେ ଜଣେ ବ୍ୟକ୍ତିଙ୍କ ହାରାହାରି ଆୟ ୧୦୦ ଟଙ୍କା।  ଠିକ୍ ଏହି ଭଳି କୌଣସି ଦେଶର ଓ ରାଜ୍ୟର ନିର୍ଦ୍ଦିଷ୍ଟ ସମୟ ଅବଧିରେ ମୁଣ୍ଡପିଛା ଆୟ ନିର୍ଣ୍ଣୟ କରାଯାଏ। 

ତେବେ ମୁଣ୍ଡପିଛା ଆୟରେ ଦେଶର ଅର୍ଥନୀତି ସମ୍ପର୍କରେ ସିନା ସୂଚନା ମିଳେ, ହେଲେ ବ୍ୟକ୍ତିଙ୍କ ରୋଜଗାର ମଧ୍ୟରେ ଥିବା ପାର୍ଥକ୍ୟ ଜଣାପଡ଼େ ନାହିଁ। ଉଦାହରଣ ଦିଆଯାଇଥିବା ଗାଁରେ କେହି ଡାକ୍ତର ଥିବେ, କେହି ଇଞ୍ଜିନିୟର ବି ଥିବେ। ପୁଣି କେହି ଦିନ ମଜୁରିଆ। ତେଣୁ ସ୍ୱଭାବିକ ଭାବେ ସମସ୍ତ ଆୟ ସମାନ ନଥିବ। ତେଣୁ ମୁଣ୍ଡପିଛା ଆୟରେ ବ୍ୟକ୍ତିଗତ ଆୟ ମଧ୍ୟରେ ଥିବା ତାରମତ୍ୟ ଲୁଚିଯାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.