ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଗାମୀ ୨ ଦିନ ପ୍ରବଳ ବର୍ଷା, ପାଣିପାଗ ବିଭାଗର ଆଲର୍ଟ

Published By : Prameya-News7 Bureau | September 25, 2024 IST

Weather_22

ଭୁବନେଶ୍ୱର ୨୫।୦୯ : ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ୨୫ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ଆଉ କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବ । ୨୬ ତାରିଖରେ ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗିରରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।  

ସେହିପରି ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରି କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳରେ ରହିଥିଲା । ଆସନ୍ତାକାଲି ସନ୍ଧ୍ୟା ବେଳକୁ ଏହା ଛତିଶଗଡ଼ ଉପରେ ରହିପାରେ । ଲଘୁଚାପ ପ୍ରଭାବରେ ଉପକୂଳରେ ସବୁଠୁ ଅଧିକ ବର୍ଷା ହେବ । ଆସନ୍ତା ୩ ଦିନରେ ମୋଟ ବର୍ଷା ପରିମାଣ ୬୦ରୁ ୭୦ମିମି ରହିବ । ଭଦ୍ରକ, ବାଲେଶ୍ୱର ଓ ସଂଲଗ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ଏସବୁ ସ୍ଥାନରେ ତିନି ଦିନରେ ମୋଟ ୮୦ ମିମିରୁ ଅଧିକ ବର୍ଷା ହୋଇପାରେ । ୨୭ ତାରିଖ ଯାଏ ବର୍ଷା ଜାରି ରହିବ । ଗଞ୍ଜାମ, ନୟାଗଡ଼, ଗଜପତି, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଡ. ପଶୁପାଳକ କହିଛନ୍ତି । ତିନି ଦିନରେ ୨୫ରୁ ୩୦ମିମି ବର୍ଷା ହୋଇପାରେ । ଏହି ଲଘୁଚାପ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଦେଇ ଅତିକ୍ରମ କରିବ । ଅକ୍ଟୋବର ୧ ତାରିଖ ସୁଦ୍ଧା ଏହା ଝାଡ଼ଖଣ୍ଡ ଉପରେ ରହିବ । 

ଆସନ୍ତା ୧ ତାରିଖରୁ ୩ ତାରିଖ ଭିତରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର ଭଳି ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା କମ୍‌ । ଏଥିପାଇଁ ଏ ସବୁ ଅଞ୍ଚଳର ଚାଷୀମାନେ ଧାନ ବିଲରେ ପାଣି ବାନ୍ଧି ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଏବେ ଲିଙ୍ଗସଞ୍ଚାର ସମୟରେ ଦ୍ୱିତୀୟ ଶୀର୍ଷ ସାର ୟୁରିଆ ପ୍ରୟୋଗ କରନ୍ତୁ । ପ୍ରାକ୍‌ ରବି ଫସଲ ଲଗାନ୍ତୁ । ରବି ଋତୁ ପାଇଁ ଅଣଧାନ, ତୈଳବୀଜ, ଡାଲିଜାତୀୟ ଓ ପନିପରିବା ଫସଲ ପାଇଁ ପ୍ରସ୍ତୁତ ହୁଅନ୍ତୁ ବୋଲି ଡ. ପଶୁପାଳକ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.