ଶୁକ୍ରବାରଠୁ କମିବ ବର୍ଷା ପରିମାଣ: ୬ରେ ଲଘୁଚାପ, ଭିଜିବ ପାର୍ବଣ

Published By : Prameya-News7 Bureau | September 27, 2024 IST

ଭୁବନେଶ୍ୱର ୨୭/୦୯: ଆସନ୍ତା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସମ୍ଭାବନା ନାହିଁ । ଓଡ଼ିଶା ସମେତ ପୂର୍ବ ଭାରତରେ ଅବପାତ ସୃଷ୍ଟିର ସମ୍ଭାବନା ମାତ୍ର ୧୦ ରୁ ୨୦% ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି । 

ଆଇଏମ୍‌ଡିର ଏନ୍‌ସିଇପି ଜିଏଫଏସ୍‌ ଓ ଇସିଏମଡବ୍ଲୁଏଫ ମଡେଲର ଆକଳନ କହୁଛି, ଅକ୍ଟୋବର ପ୍ରଥମ ସପ୍ତାହ ବା ୬ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ  ପଶ୍ଚିମ ବଙ୍ଗୋପସାଗରରେ ୬  ତାରିଖ ବେଳକୁ ଏକ ଲଘୁଚାପ  କ୍ଷେତ୍ର ସୃଷ୍ଟି ହୋଇପାରେ । ତେବେ ଆଇଏମ୍‌ଡିର ଜିଏଫଏସ୍‌ ମଡେଲ  ଅନୁସାରେ, ଗାଙ୍ଗେୟ ପଶ୍ଚିମବଙ୍ଗ  ଓ ସଂଲଗ୍ନ ଅଞ୍ଚଳରେ ୫ ତାରିଖ ବେଳକୁ ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । 

ଆଇଏମ୍‌ଡିର ଏକାଧିକ ମଡେଲ ଅନୁସାରେ, ଅକ୍ଟୋବର ପ୍ରଥମ ସପ୍ତାହରେ  ଦେଶର ପଶ୍ଚିମ ଭାଗରେ ଲଘଚାପ ଘନୀଭୂତ ହୋଇ ଅବପାତ  ରୂପ ନେବାର ସମ୍ଭାବନା ୪୦ରୁ ୬୦% । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଆଭ୍ୟନ୍ତରୀଣ ଓ  ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ଲଗାଣ ବର୍ଷା  ହେଉଥିଲା । ଶୁକ୍ରବାରଠାରୁ ବର୍ଷା ପରିମାଣ କମିଯିବ । ଉତ୍ତର  ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି । 

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାପାତ୍ର  କହିଛନ୍ତି, ଘୂର୍ଣ୍ଣିବଳୟ ପାଇଁ ବାୟୁମଣ୍ଡଳରେ ଥିବା ଟ୍ରଫ୍‌ ପ୍ରଭାବରେ ଗୁରୁବାର  ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୌଦ୍ଧରେ ସର୍ବାଧିକ ୪୬ମିମି  ବର୍ଷା ହୋଇଛି । ଉତ୍ତର ମଧ୍ୟ ମହାରାଷ୍ଟ୍ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରୁ ଉତ୍ତର  ବାଂଲାଦେଶ, ବିଦର୍ଭ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ  ଉପରେ ବାୟୁମଣ୍ଡଳରେ ଏକ ଟ୍ରଫ୍‌ ଲମ୍ବିଛି । ଶୁକ୍ରବାର ଏହାର ବିଶେଷ ପ୍ରଭାବ ରହିବନି । ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ  ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି । ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ଲାଗି  ରହିଥିଲା । 

ଗତ ୨୪ ଘଣ୍ଟାରେ ତାଳଚେରରେ ସର୍ବାଧିକ ୧୫୫ମିମି,  ଜଗତସିଂହପୁରରେ ୯୯.୧, କେନ୍ଦୁଝରରେ ୮୯, ଅନୁଗୁଳରେ ୬୯, ବାରିପଦାରେ ୬୨.୨, ରାଉରକେଲାରେ ୪୯.୪, ଭଦ୍ରକରେ ୪୭.୬,  ଚାନ୍ଦବାଲିରେ ୩୯.୧, କେନ୍ଦ୍ରାପଡ଼ାରେ ୩୬.୬ ଓ ପାରାଦୀପରେ ୩୬.୨ ମିମି ବର୍ଷା ହୋଇଛି । ଗୁରୁବାର ସକାଳରୁ ନେଇ ସନ୍ଧ୍ୟା ଭିତରେ  ବୌଦ୍ଧରେ ୪୬ମିମି ବର୍ଷା ହୋଇଛି । ପାରାଦୀପରେ ୩୨.୪,  ଭୁବନେଶ୍ୱରରେ ୩୬.୩ ଓ ଚାନ୍ଦବାଲିରେ ୨୯ମିମି ବର୍ଷା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.