ବାତ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ ମାନେ କରୁଛନ୍ତି ନିରୀକ୍ଷଣ : ସୁରେଶ ପୂଜାରୀ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ବର ୨୪।୧୦: ସରକାର ବାତ୍ୟା ପ୍ରସ୍ତୁତି କରିଛନ୍ତି । ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି । ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ପରି ଜିଲ୍ଲାରେ ବର୍ଷା ହେବ । ବାତ୍ୟାର ଗତିପଥ ସାମାନ୍ୟ ପରିବର୍ତ୍ତନ ହୋଇଛି । ଭିତରକନିକା ପାର୍ଶ୍ଵରେ ହେବା ନେଇ ଅନୁମାନ କରାଯାଉଛି । ହେଲେ ଲ୍ୟାଣ୍ଡଫଲ୍ ନ କରିବା ଯାଏଁ କହି ହେବନି । ଶୁକ୍ରବାର ସକାଳ ସୁଦ୍ଧା କୌଣସି ସମୟରେ ହିଟ୍ ହୋଇପାରେ । ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର ରାତି ୮ଟା ୩୦ ଯାଏଁ ରେଡ୍ ୱାର୍ଣ୍ଣିଂ ରହିଛି । ୨୦ ସେଣ୍ଟିମିଟର ବର୍ଷା ହେବ । ମୟୁରଭଞ୍ଜ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ବି ବର୍ଷା ହେବ । ସ୍ଥାନାନ୍ତର କାମ ଚାଲିଛି । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ପ୍ରତିନିଧି କାମରେ ଅଛନ୍ତି । ଆଶ୍ରୟସ୍ଥଳୀରେ ଲୋକେ ପହଞ୍ଚି ସାରିଲେଣି । ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି । ହେଲେ ଏପରି କରନ୍ତୁ ନାହିଁ । ସେମାନେ ପହଁରା ଜାଣିଛନ୍ତି । ଉଚ୍ଚ ସ୍ଥାନରେ ଛାଡ଼ି ଦିଅନ୍ତୁ । ପ୍ରାଣୀ ସମ୍ପଦ ଖାଦ୍ୟ ପହଞ୍ଚି ସାରିଛି । ଗର୍ଭବତୀ ମାନେ ହସ୍ପିଟାଲ ପହଞ୍ଚି ସାରିଲେଣି । ସେମାନେ ସୁରକ୍ଷିତ ଅଛନ୍ତି । ସନ୍ତୋଷଜନକ ପ୍ରସ୍ତୁତି ଅଛି । ପାଣିପାଗ ବିଭାଗ ଗତିପଥ ନେଇ ଯେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଦେଇଛି, ତାକୁ ଅଧିକ ଧ୍ୟାନ ଦିଅନ୍ତୁ । ବିଚଳିତ ହୁଅନ୍ତୁ ନାହିଁ । ଏପରି ଅନେକ ବାତ୍ୟା ଆସିଛି । ସଫଳତା ସହ ଓଡ଼ିଶାବାସୀ ଏହାକୁ ସାମ୍ନା କରିଛନ୍ତି । ୬୫୦୦ ରିଲିଫ ସେଣ୍ଟର ଅଛି, ସେଠାକୁ ଯାଆନ୍ତୁ । ଲମ୍ବା ସମୟ ଯାଏଁ ରହିବାକୁ ପଡିବ ନାହିଁ । ଶୁକ୍ରବାର ଓ ତା ପରଦିନ ଅର୍ଥାତ ୪୮ ଘଣ୍ଟା ଯାଏଁ ବାତ୍ୟା କଷ୍ଟ ଦେବ । ସବୁ ରିଲିଫ ସେଣ୍ଟର, ଗାଁରେ ପୋଲିସ ଅଛନ୍ତି । ମହିଳା ପୋଲିସ ବି ଅଛନ୍ତି । ଗାଁରେ ପାଟ୍ରୋଲିଂ ଚାଲିଛି । ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ ।  କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯିବ। ସରକାରଙ୍କୁ ସହଯୋଗ କରନ୍ତୁ । ୧୩ ଜିଲ୍ଲାରେ ସରକାର ଆଲର୍ଟରେ ଅଛନ୍ତି । ସହରାଞ୍ଚଳରେ ପାଣି ପଶିବାର ସମ୍ଭାବନା ଅଛି । ଜଳସେଚନ ବିଭାଗ ସହ କଥା ହୋଇଛି । ନିଷ୍କାସନ କାମ ବି ଆରମ୍ଭ ହେଲାଣି । ଡ୍ୟାମ୍‌ରେ ଯେପରି ପାଣି ରହି ପାରିବ, ସେ ବ୍ୟବସ୍ଥା ବି ହୋଇଛି । ସାପ କାମୁଡା ଔଷଧ ସମ୍ବେଦନଶୀଳ ଅଞ୍ଚଳର ୨୦ କିଲୋମିଟର ଭିତରେ ଗଚ୍ଛିତ ଅଛି । ଅଧ ଘଣ୍ଟାରୁ କମ୍ ସମୟରେ ରୋଗୀ ପାଖରେ ପହଞ୍ଚିଯିବୁ । ସଂକ୍ରମଣ ରୋକିବାକୁ ପାଣିରେ କ୍ଲୋରିନ ଓ ବ୍ଲିଚିଙ୍ଗ ଦିଆଯିବ । ସବୁ ରୋଡ଼ମ୍ୟାପ କରାଯାଇଛି । ଗଣମାଧ୍ୟମର ପ୍ରତିନିଧିଙ୍କୁ ଧନ୍ୟବାଦ । ସେମାନଙ୍କ ରିପୋର୍ଟ ବି ଆବଶ୍ୟକ ପଡୁଛି । ପ୍ରାଥମିକ ଆକଳନ ରଖିଥିଲୁ ୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବୁ । ହେଲେ ଏବେ ୧୦ ଲକ୍ଷରୁ କମିଲାଣି । ପୁରୀରେ ପ୍ରକୋପ କମିଲାଣି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଅଧିକ ସ୍ଥାନାନ୍ତର କରିବାକୁ ପଡିବ । ୧୮ରୁ ୧୯ NDRF ଟିମ୍ ଆସିଲେଣି । ୫୧ ODRAF, ୧୭୮ ଅଗ୍ନିଶମ ଟିମ୍ ଚମତ୍କାର ପ୍ରସ୍ତୁତି କରିଛନ୍ତି । ୧୦ ମିନିଟିରେ ଗଛ କଟାଯିବାର ଅତ୍ୟାଧୁନିକ ମେସିନ, ଗ୍ଲାସ କଟର ମହଜୁଦ ଅଛି । ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛୁ ଯେ ଓଡ୍ରାଫ, NDRF ଓ ଅଗ୍ନିଶମ ଟିମକୁ ସହଯୋଗ କରିବାକୁ ଜଣେ ଜଣେ ଅଧିକାରୀ ଦିଆଯାଇଛି । ସେହି ଅଧିକାରୀ ଖାଦ୍ୟ ଓ ORS ବ୍ୟବସ୍ଥା କରିବେ । ଜିଲ୍ଲା ପ୍ରଶାସନକୁ ଖର୍ଚ୍ଚ କରିବାର କ୍ଷମତା ଦିଆଯାଇଛି । ସେମାନେ ଖୋଲା ହାତରେ ଖର୍ଚ୍ଚ କରନ୍ତୁ । ପୁରୀରୁ ପର୍ଯ୍ୟଟକ ଫେରିଗଲେଣି । ଟ୍ରେନ ବାତିଲ ଯୋଗୁଁ ସେମାନଙ୍କୁ ସଡ଼କ ପଥରେ ଭୁବନେଶ୍ୱର ପଠାଇଛି ପ୍ରଶାସନ । ଏ ଯାଏଁ ବିଜୁଳି କାଟ୍ ଖବର ଆସିନି । ହେଲେ ପବନ ପାଇଁ ଟିକେ କଟିପାରେ । ବ୍ୟାକଅପ ସପୋର୍ଟ ଯେପରି DG, ଜେନେରେଟର ଦିଆଯାଇଛି । ଡାକ୍ତର ଅଭାବ ସ୍ଥାନରେ ବାହାର ସ୍ଥାନରୁ ଡାକ୍ତର ଆସିଲେଣି ବୋଲି ମନ୍ତ୍ରୀ କହିଛନ୍ତି ।   

You Can Read:

ମୟୂରଭଞ୍ଜରେ ବାତ୍ୟା ‘ଦାନା’ ମୁକାବିଲା ଓ ବ୍ୟବସ୍ଥାର ସମୀକ୍ଷା, ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ


  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.