୭୧ତମ ଜାତୀୟ ସିନିୟର କବାଡ଼ି ଚାମ୍ପିଅନସିପ୍-୨୦୨୫ ଉଦଯାପିତ: ଭାରତୀୟ ସର୍ଭିସେସ୍‌ ଚାମ୍ପିଅନ

Published By : Prameya-News7 Bureau | February 23, 2025 IST

କଟକ: ଓଡ଼ିଶା କବାଡ଼ି ସଂଘ ଆନୁକୁଲ୍ୟରେ, ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସହଯୋଗରେ ଆୟୋଜିତ ୭୧ତମ ଜାତୀୟ ସିନିୟର କବାଡ଼ି ଚାମ୍ଫିଆନସିପ୍ ୨୦୨୫ର ଉଦଯାପିତ ହୋଇ ଯାଇଛି। ପ୍ରତିଯୋଗିତାର ଶେଷ ଦିନର କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । 

ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଏସିଆନ କବାଡ଼ି ଫେଡେରେସନର ବୈଷୟିକ ନିର୍ଦ୍ଦେଶକ କୁଲଦୀପ ଗୁପ୍ତା, ପୁରୀ ଜଗନ୍ନାଥ ମନ୍ଦିରର ମା‘ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମ ଚନ୍ଦ୍ର ଦାସ ମହାପାତ୍ର, ରୁରିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଓଡ଼ିଶା କବାଡ଼ି ସଂଘର ସଭାପତି ଡ଼.ଶରତ କୁମାର ସାହୁ, ସଂପାଦକ ଅଜୟ କୁମାର ବେହେରା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ । ଏହି ଅବସରରେ ଏକ ସ୍ୱତନ୍ତ୍ର ସ୍ମରଣିକା ‘ଉଦ୍ଦୀପ୍ତ’ କବାଡ଼ି ସଂପାଦକ ମ୍ୟୃତୁଞ୍ଜୟ ସାମଲଙ୍କ ସଂପାଦନାରେ ଅତିଥିମାନଙ୍କ ଦ୍ୱାରା ଉନ୍ନୋଚିତ ହୋଇଥିଲା ।

ଓଡ଼ିଶା କବାଡ଼ି ସଂଘର ସଭାପତି ବିଶିଷ୍ଟ ଶିଳ୍ପପତି ଡ଼.ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସନ୍ଧ୍ୟାରେ ମାନ୍ୟବର ବିଧାୟକ ଅୟୋଜକମାନଙ୍କର ପ୍ରଚେଷ୍ଟା ଓ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଥିବାବେଳେ କହିଥିଲେ ଓଡ଼ିଶା କ୍ରୀଡ଼ାର ପେଣ୍ଠସ୍ଥଳୀ ଓ ଓଡ଼ିଶା ସରକାର ସବୁ ପ୍ରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । କବାଡ଼ି ଏବେ ସମସ୍ତଙ୍କର ଗ୍ରହଣୀୟ ହୋଇପାରିଛି, ପ୍ରଥମ ଥର ପାଇଁ ଓଡ଼ିଶାରେ ସିନିୟର ପ୍ରତିଯୋଗିତା ଆୟୋଜନ ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ବଡ଼ ବଡ଼ ଇଭେଣ୍ଟ ଆୟୋଜିତ ହେବ । 

ପ୍ରଥମ ଥର ପାଇଁ ସିନିୟର ପ୍ରତିଯୋଗିତା ଆୟୋଜନର ଅଧିକାର ଓଡ଼ିଶାକୁ ମିଳିଥିବାବେଳେ ଓଡ଼ିଶା ଖୁବ ସଫଳତାର ସହ ଏହାକୁ ଆୟୋଜନ କରି ସମସ୍ତଙ୍କର ହୃଦୟ ଜିତି ପାରିଛି ବୋଲି ଉପସ୍ଥିତ ସମସ୍ତ କ୍ରୀଡ଼ା ଅଧିକାରୀ, ଖେଳାଳୀ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଆହୁରି ବଡ ଇଭେଣ୍ଟ ଆୟୋଜନ କରିବା ପାଇଁ ସଂଘର ସଭାପତି ଆଶା ବ୍ୟକ୍ତ କରିଥିଲେ । 

ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚ ପଞ୍ଜାବ ଓ ସର୍ଭିସେସ୍‌ମଧ୍ୟରେ ଓ   ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ୍‌ ଭାରତୀୟ ରେଳବାଇ ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ପଞ୍ଜାବକୁ ସର୍ଭିସେସ୍ ୮ ପଏଣ୍ଟରେ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ରେଳବାଇ ଉତ୍ତର ପ୍ରଦେଶକୁ ୮ ପଏଣ୍ଟରେ ପରାସ୍ତକରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍‌ ବେଶ୍‌ ଚିତ୍ତାକର୍ଷକ ଓ ରୋମାଞ୍ଚକର ହୋଇଥିବାବେଳେ ୩୦-୩୦ ପଏଣ୍ଟରେ ଡ୍ର ହୋଇଥିଲା ଏବଂ ଉଭୟ ଦଳକୁ ୫ ରାଇଡନ ପ୍ରଦାନ କରାଯାଇଥିଲା । 

କଡ଼ା ମୁକାବିଲା ପରେ ଭାରତୀୟ ରେଳବାଇ ଦଳକୁ ସର୍ଭିସେସ ୩ ପଏଣ୍ଟ ବ୍ୟବଧାନରେ ହରାଇ ବାଜି ମାତ କରି ଚମ୍ପିଆନ ହୋଇଥିବା ବେଳେ ଭାରତୀୟ ରେଳବାଇ ରନର୍ସ ଅପ ହୋଇଥିଲା । ସେହିପରି ତୃତୀୟ ସ୍ଥାନରେ ରହିଥିଲେ ପଞ୍ଜାବ ଏବଂ ଉତ୍ତର ପ୍ରଦେଶ । ଚମ୍ପିଆନ ଦଳକୁ ଆକର୍ଷଣୀୟ ଟ୍ରଫି ସହ ଗୋଲ୍ଡ ମେଡାଲ, ରନର୍ସ ଅପ ଦଳକୁ ଟ୍ରଫି ସହ ରଜତ ପଦକ ଓ ୩ୟ ସ୍ଥାନରେ ଥିବା ଦଳମାନଙ୍କୁ ଟ୍ରଫି ସହ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.