୭୩ ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତା ଉଦଘାଟନ, ଅଂଶଗ୍ରହଣ କଲେ ମୋଟ୍ ୭୯୭ ଜଣ

Published By : Prameya-News7 Bureau | February 22, 2025 IST

କଟକ: କଟକ ରିଜର୍ଭ ଗ୍ରାଉଣ୍ଡରେ ଆଜି ୭୩ ତମ ରାଜ୍ୟ ପୋଲିସ ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି ରାଜ୍ୟ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆର. ପି. କୋଚେ। ଏହି ଚାମ୍ପିଅନସିପରେ ୧୮ ଟି ବାଟାଲିୟନ,୨୩ ଜିଲ୍ଲା ପୋଲିସ ସହ ସମୁଦାୟ ୪୧ ଟି ପୋଲିସ ଟିମ୍ ଭାଗ ନେଇଛନ୍ତି।ଏଥିରେ ମୋଟ ୭୯୭ ଜଣ ଖେଳାଳି ଅଂଶ ଗ୍ରହଣ କରିଛନ୍ତି। ଯେଉଁଥିରେ ୬୬୫ ଜଣ ପୁରୁଷ ଓ ୧୩୨ ଜଣ ମହିଳା ଖେଳାଳି ଅଛନ୍ତି। ପ୍ରତିଯୋଗିତାରେ ଅନେକ ପ୍ରତିଭାବାନ ଖେଳାଳି ମାନେ ଭାଗ ନେଇଛନ୍ତି, ଆଉ କିଛି ପ୍ରଥମ ଥର ପାଇଁ ନିଜ ଭାଗ୍ୟ ପରଖିବା ଲାଗି ଏଥିରେ ସ୍ଥାନ ପାଇଛନ୍ତି।

ତେବେ ଏଥରର ଯେଉଁ ଆୟୋଜନ ହୋଇଛି, ତାକୁ ନେଇ ପୋଲିସ ବିଭାଗ ଖୁବ ଆଶାବାଦୀ। ଯେହେତୁ ଭିତ୍ତିଭୂମି ବିକାଶ ଦିଗରେ ପୂର୍ବାପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି, ତେଣୁ ଏହି ଚମ୍ପିୟାନସିପରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ ବୋଲି ଆଶା ରଖିଛି ଓଡିଶା ପୋଲିସ। ଅତୀତରେ ରାଜ୍ୟ ପୋଲିସ ପକ୍ଷରୁ ମହିଳା ଆଥଲେଟ ସରସ୍ବତୀ ଚାନ୍ଦ ଖୁବ ନାଁ କମାଇଥିଲେ, ଏପରିକି ଅଶୋକ ଦଣ୍ଡସେନା, ଅମୁଲ୍ୟ ଜେନାଙ୍କ ପରି ଆଥଲେଟ ମାନେ ମଧ୍ୟ ଖୁବ କମାଲ କରିଛନ୍ତି। କିନ୍ତୁ ପ୍ରାକ୍ଟିସ ପାଇଁ ସମୟର ଅଭାବ ଏବଂ ଆବଶ୍ୟକୀୟ କୋଚିଂ ଏବଂ ପ୍ରୋତ୍ସାହନ ଅଭାବ ହେତୁ ଅନେକ ପ୍ରତିଭା ଆଗକୁ ଯାଇ ପାରୁନାହାଁନ୍ତି। ସେ ଦିଗରେ ପୋଲିସ ବିଭାଗ ଯତ୍ନବାନ ହେବ ବୋଲି ଆଶା କରାଯାଉଛି।

Also read: ପାକିସ୍ତାନ ଜିତୁ ବୋଲି କାହିଁକି ଚାହୁଁଛନ୍ତି ଏହି ଭାରତୀୟ ଦିଗ୍ଗଜ ଖେଳାଳୀ ? ଜାଣନ୍ତୁ କାରଣ…

ଯଦିଓ କ୍ରୀଡା ଭିତ୍ତିଭୂମିର ଯଥେଷ୍ଟ ବିକାଶ ହୋଇଛି, କିନ୍ତୁ ପ୍ରାକ୍ଟିସ ପାଇଁ ସମୟ ଦିଆଯାଉନାହିଁ। ବିଶେଷ କଥା ହେଲା ଗତ ୪ ବର୍ଷ ହେଲା ରାଜ୍ୟ ପୋଲିସ ବିଭାଗ, ଷ୍ଟେଟ ଆଥଲେଟିକ ମିଟର ଆୟୋଜନ ହିଁ କରି ନଥିଲା। ଏପରି ସ୍ଥଳେ ଭଲ କ୍ରୀଡ଼ାବିତ କେମିତି ବା ସୃଷ୍ଟି ହୋଇପାରିବେ। ତେବେ ଆଜି ଯେଉଁ ଆଥଲେଟ ମାନେ ରାଜ୍ୟର କୋଣ ଅନୁକୋଣରୁ ଆସି କଟକରେ ଏକାଠି ହୋଇଛନ୍ତି, ସେମାନଙ୍କ ମନୋବଳ ଭାଙ୍ଗିନାହିଁ। ପୁଣି ସେମାନେ ଟ୍ରାକକୁ ଫେରିବେ ଏବଂ ପୁଣି ପୂର୍ବ ରେକର୍ଡ କଥା କହିବ, ଏ ପ୍ରକାର ବିଶ୍ୱାସ ସେମାନଙ୍କ ଭିତରେ ରହିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.