କାଲି ଦିନ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତରଣ ସରିବ, ସଚିବଙ୍କ ପରେ ଜିଲ୍ଲା ଜଗିବେ ମନ୍ତ୍ରୀ

Published By : Prameya-News7 Bureau | October 23, 2024 IST

ଭୁବନେଶ୍ଵର: ବାତ୍ୟା ପରିଚାଳନାକୁ ଅତ୍ୟନ୍ତ ଗୁରୁତ୍ଵର ସହ ନେଇଛନ୍ତି ରାଜ୍ୟ ସରକାର। ବାତ୍ୟା ଦାନାର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି। ଏସଆରସିଙ୍କ କାର୍ଯ୍ୟାଳୟରେ ଦିନ ରାତି ମନିଟରିଂ ଚାଲିଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି। ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ବଣ୍ଟା ଯାଇଛି। ଆତଙ୍କିତ  ହୁଅନ୍ତୁ ନାହିଁ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ। ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ। ୩୦ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସାରିଛି। କାଲି ଦିନ ୧୧ଟା ସୁଦ୍ଧା ୯୦ ପ୍ରତିଶତ ସ୍ଥାନାନ୍ତରଣ ସରିବ। 

ଦାନା ମୁକାବିଲା ସରକାର ପ୍ରସ୍ତୁତ । ସଚିବଙ୍କ ପରେ ଜିଲ୍ଲା ଜଗିବେ ମନ୍ତ୍ରୀ । ୯ ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ   ଦାୟିତ୍ବ। ୬ ଜିଲ୍ଲାରେ ୬ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ବ । ନିର୍ବାଚନ ମଣ୍ଡଳୀ ଯିବାକୁ ବିଧାୟକଙ୍କୁ ନିର୍ଦ୍ଦେଶ। ବାତ୍ୟା ମୁକାବିଲାରେ କୌଣସି ତ୍ରୁଟି ରଖିବାକୁ ଚାହୁଁନାହାନ୍ତି ସରକାର। ଆଜି ସଂଧ୍ୟା ସୁଦ୍ଧା ମନ୍ତ୍ରୀ ମାନେ ଜିଲ୍ଲାରେ ପହଞ୍ଚିବେ । ମନ୍ତ୍ରୀମାନେ ଜିଲ୍ଲାରେ ରହି ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ ଠାରୁ ଆରମ୍ଭ କରି ଚାଷ ଫସଲ, ଘର ଭଙ୍ଗା କ୍ଷୟକ୍ଷତି ଆକଳନ ଏବଂ ଥଇଥାନ କାର୍ଯ୍ୟର ତଦରଖ କରିବେ। ୧୦ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ ଟାର୍ଗେଟ। ଯେଉଁ ଜାଗାରେ ବାତ୍ୟା ପ୍ରଭାବ ରହିବ, ସେ ସବୁ ସ୍ଥାନରେ ଲୋକ ଘର ଛାଡି ବାତ୍ୟା ଆଶ୍ରୟ ସ୍ଥଳକୁ ଆସିବାକୁ ଅପିଲ କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ମନ୍ତ୍ରୀ । ଧାମରା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡ ଫଲ ହେବ । ଏନ ଡି ଆର ଏଫ୍, ଓଡ୍ରାଫ ଓ ଅଗ୍ନିଶମ କର୍ମଚାରୀ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ପହଞ୍ଚି ଯାଇଛନ୍ତି । 

ଜିରୋ କଜୁଆଲଟିକୁ ଗୁରୁତ୍ବ ଦେଇ ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂଣ୍ଣ ପ୍ରସ୍ତୁତ ରହିଛି।   ପ୍ରଭାବିତ ଜିଲ୍ଲା ଗୁଡିକରେ  ଆଶୁ ଚିକିତ୍ସା ଯୋଗାଇଦେବା ପାଇଁ CDMOମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି। ସାପ କାମୁଡା ଇଞ୍ଜେକ୍ସନ ରଖାଯାଇଛି। ପ୍ରଭାବିତ ଜିଲ୍ଲାର ଡାକ୍ତରମାନଙ୍କର ଛୁଟି ବାତିଲ ହୋଇଛି । ନିଜେ ମୁଖ୍ୟମନ୍ତ୍ରୀ  ସବୁ ମନିଟରିଂ କରୁଛନ୍ତି । ସେହିପରି ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁଥିବା ଅଞ୍ଚଳରେ ଶକ୍ତି ଓ କୃଷି ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶକ୍ତି ବିଭାଗ ୩୩ ହଜାର କର୍ମଚାରୀଙ୍କୁ ଗ୍ରାଉଣ୍ଡରେ ପ୍ରସ୍ତୁତ ରଖିଛି। ସେମାନଙ୍କୁ ଜେନେରେଟର ପାଣିପମ୍ପ ସହିତ ବିଦ୍ୟୁତ ଉପକରଣ ଯୋଗାଇ ଦିଆଯାଇଛି। 


ଏପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ୟାବିନେଟ ବୈଠକ ପରେ ମନ୍ତ୍ରୀମାନେ ଜିଲ୍ଲା ଗସ୍ତରେ ବାହାରିଛନ୍ତି। ପରିବହନ ମନ୍ତ୍ରୀ  ବିଭୁତି ଜେନା କହିଛନ୍ତି ବାତ୍ୟା ଆଶ୍ରାୟ ସ୍ଥଳକୁ ଲୋକ ମାନେ କେମିତି ପହଞ୍ଚିବେ ସେଥିପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।   ପବନ ବହିବା ସମୟରେ କିଛି ସମୟ ପାଇଁ ବସ ସେବା ବନ୍ଦ ହୋଇପାରେ । ପୁନରୁଦ୍ଧାର ପାଇଁ ପରିବହନ ବିଭାଗ ପକ୍ଷରୁ କ୍ରେନ ମାନ ଯୋଗାଇ ଦିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ବିଭିଗୀୟ ସମୀକ୍ଷା ସାରିବା ପରେ ମୟୁରଭଞ୍ଜ ଗସ୍ତରେ ବାହାରିଛନ୍ତି। ଲୋକଙ୍କ ଥଇଥାନ କରିବା ପରେ ଫେରିବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.