ଭୁବନେଶ୍ୱର ୦୯।୧୧ : ଆକାଉଣ୍ଟରୁ କଟିଗଲା ୩ ଲକ୍ଷ ଟଙ୍କା । ଏକ ଘରୋଇ ବ୍ୟାଙ୍କର ପରିଚାଳକଙ୍କ ଭୁଲ ଯୋଗୁ ଛାତ୍ରୀଙ୍କ ଆକାଉଣ୍ଟରୁ ଚାଲିଗଲା ୩ ଲକ୍ଷ ଟଙ୍କା। ଛାତ୍ରୀ ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛନ୍ତି ।
ଖବର ଅନୁଯାୟୀ, ମୟୁରଭଞ୍ଜ୍ କପ୍ତିପଦାର ଶୁଭଶ୍ରୀ ବେହେରା ଭୁବନେଶ୍ବର ବରମୁଣ୍ଡା ସ୍ଥିତ ଏକ ହଷ୍ଟେଲରେ ରହି ପାଠ ପଢୁଥିଲେ । ଗତ ୨୬ ତାରିଖରେ ଭୁଲ ମୋବାଇଲ୍ ନମ୍ବରରେ ୩୫୬ ଟଙ୍କା ରିଚାର୍ଜ କରିଥିଲେ । ଗୁଗଲ୍ ସର୍ଚ୍ଚ କରିବା ପରେ ଜଣା ପଡ଼ିଥିଲା ତାହା ଏକ ଫ୍ରଡ ନମ୍ବର। ଯାହାଦ୍ବାରା ଶୁଭଶ୍ରୀଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା କଟିଯାଇଥିଲା। ଶୁଭଶ୍ରୀ ଇନଫୋସିଟି ଅଚଂଳରେ ଆକାଉଣ୍ଟ ଖୋଲିଥିବା ବ୍ରାଞ୍ଚରେ ପହଁଚି ତାଙ୍କ ଆକାଉଣ୍ଟରେ ଥିବା ୩ ଲକ୍ଷ ଟଙ୍କା ଉଠାଇବାକୁ କହିଥିଲେ l ବ୍ରାଞ୍ଚ ମ୍ୟାନେଜର ଟଙ୍କା ଉଠାଇ ହେବନି କହି ଶୁଭଶ୍ରୀଙ୍କ ଟଙ୍କାକୁ ଫିକ୍ସ ଡିପୋଜିଟ କରିବାକୁ ପରାମର୍ଶ ଦେଇ ଫର୍ମ ପୂରଣ କରିଥିଲେ । ଏହାର ଗୋଟିଏ ଦିନ ପରେ ଛାତ୍ରୀଙ୍କ ଆକାଉଣ୍ଟରୁ ୨ ଲକ୍ଷ ୯୧ ହାଜର ଗାଏବ୍ ହୋଇଯାଇଥିଲା । ଛାତ୍ରୀ ଜଣକ ତୁରନ୍ତ ଏ ସମ୍ପର୍କରେ ସାଇବର ଥାନାରେ ଅଭିଯୋଗ କରିବା ସହିତ ବ୍ୟାଙ୍କ ମ୍ୟାନେଜରଙ୍କ ବିରୁଦ୍ଧରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।