ବାପା ଠାରୁ ଭିନ୍ନେ ରହୁଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର

Published By : Prameya-News7 Bureau | September 30, 2024 IST

ଭୁବନେଶ୍ଵର: ଚତୁର୍ଥ ପର୍ଯ୍ୟାୟରେ ଆସୁଥିବା ପକ୍କା ଘର କ୍ଷେତ୍ରରେ କିଛି ପରିବର୍ତ୍ତନ କରିଛନ୍ତି ସରକାର । ପୂର୍ବରୁ ଏସିସିସିସି ତାଲିକାକୁ ଆଧାର କରି ପକ୍କା ଘର ଦିଆଯାଉଥିଲା । କିନ୍ତୁ ଏବେ ସେଥିରେ ପରିବର୍ତ୍ତନ ହୋଇଛି । ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବା ପକ୍କା ଘର । ଏଥିରେ ହିତାଧିକାରୀଙ୍କୁ ଚୟନ କରିବା ପାଇଁ ସରକାର ୧୦ଟି କ୍ରାଇଟେରିଆ କରିଛନ୍ତି । ଏହି ପ୍ରକ୍ରିୟା ପାଇଁ ୬ ମାସ ସମୟ ଲାଗିବ । 

ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ପୂର୍ବ ସରକାର ଠିକ୍ ତାଲିକା ଦେଲେ ନାହିଁ ବୋଲି ଲକ୍ଷ ଲକ୍ଷ ଗରିବ ଘର ପାଇବାରୁ ବଞ୍ଚିତ ହେଲେ । ନଚେତ୍ ଓଡ଼ିଶାକୁ ଅଧିକ ଘର ଆସିଥାନ୍ତା । ସର୍ବଭାରତୀୟ ସ୍ତରରେ ୨୦୧୭-୧୮ ମସିହାରେ ଗୋଟିଏ ତାଲିକା ପ୍ରସ୍ତୁତ ହୋଇଥିଲା । କିନ୍ତୁ ତତ୍କାଳୀନ ରାଜ୍ୟ ସରକାର ସେହି ତାଲିକା ପ୍ରସ୍ତୁତ କଲେ ନାହିଁ, ଲୁଚେଇ ଦେଲେ । ତେଣୁ ବଞ୍ଚିତ ହୋଇଥିବା ଗରିବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି୬ମାସ ଭିତରେ ସରକାର ଘର କରିବା ପାଇଁ କାର୍ଯ୍ୟାଦେଶ ଦେବେ ବୋଲି ରବିନାରାୟଣ ନାଏକ କହିଛନ୍ତି ।  


ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ, ବିଡିଓ, ପିଇଓ ମାନେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାରେ ରହିବେ ।  ଯଦି ଚିହ୍ନଟ ପ୍ରକ୍ରିୟାରେ କୌଣସି ତ୍ରୁଟି ହେବ, ତଦନ୍ତ କରି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ଗାଇଡଲାଇନ ପ୍ରସ୍ତୁତ କରି ପ୍ରତି ବ୍ଲକକୁ ଦିଆଯାଇଛି ।   ଏହି ପ୍ରକ୍ରିୟାରେ ଆଗାମୀ ଦିନରେ ୨୦ରୁ ୨୨ ଲକ୍ଷ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଘର ଦିଆଯିବ। ପୂର୍ବ ସରକାରରେ ଜଣେ ଲୋକ ୩ଟି ପର୍ଯ୍ୟନ୍ତ ଘର ପାଉଥିଲେ । ତେଲିଆ ମୁଣ୍ଡରେ ତେଲ ଦିଆଯାଉଥିଲା । କିନ୍ତୁ ବିଜେପି ସରକାର ଯୋଗ୍ୟଙ୍କୁ ଚିହ୍ନଟ କରି ଘର ଦେବ ।  

ଭୂମିହୀନ ମାନଙ୍କୁ ମଧ୍ୟ ଚିହ୍ନଟ କରିବା ପାଇଁ କ୍ଳଷ୍ଟର କରୁଛନ୍ତି ସରକାର । ଗୋଟିଏ ଗାଁରେ ଯଦି ୧୫ଟି ପରିବାର ବାହାରୁଛି, ଆଉ ତାଙ୍କ ପାଖରେ ଘର କରିବା ପାଇଁ ୪ ଡିସିମିଲ ଜାଗା ନାହିଁ । ତେବେ ସେମାନଙ୍କୁ ସରକାରୀ ଜାଗାରେ ଥଇଥାନ କରାଯିବ । ସେଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ବିଜୁଳି ସଂଯୋଗ, ପାନୀୟ ଜଳ, ଖେଳ ପଡ଼ିଆ ଭଳି ସୁବିଧା ମିଳିବ । ସହର ଭଳି 1 bhk, 2 bhk ଷ୍ଟାଣ୍ଡଡର ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ବି ମିଳିବ ।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.