ଆଠଗଡ: ଆଠଗଡ ବନଖଣ୍ଡ ହାତୀ ମୃତ୍ୟୁ କୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଆଉ ହାତୀ ମୃତ୍ୟୁକୁ ବୋଧେ ଅପେକ୍ଷା କରି ରହିଛି ବନ ବିଭାଗ । ଆଠଗଡ ବନଖଣ୍ଡ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅଧୀନ ପାଞ୍ଚ ଗୋଛିଆ ଜଙ୍ଗଲରେ ୧୦ ଦିନ ହେଲାଣି ବୁଲୁଛି ଅସୁସ୍ଥ ମା ହାତୀ ସହିତ ହାତୀ ଶାବକ । ଖାଦ୍ୟ ଖାଇ ନପାରି ୧୦ ଦିନ ହେଲାଣି ଗୋଟିଏ ସ୍ଥାନରେ ରହି ଦୁର୍ବଳ ଅବସ୍ଥାରେ ରହିଥିବା ବେଳେ ହାତୀକୁ ବନ ବିଭାଗ ପକ୍ଷରୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି।
ସୂଚନା ଅନୁଯାୟୀ, ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ପାଞ୍ଚଗୋଛିଆ ଗ୍ରାମ ନାଳ ନିକଟରେ ୮ ରୁ ୧୦ ବର୍ଷର ମାଈ ହାତୀ ଠିକରେ ଖାଦ୍ୟ ନ ଖାଇ ପାରି ଅସୁସ୍ଥ ହୋଇ ପଡିଛି। ମା ହାତୀ ସହିତ ତାର ଗୋଟିଏ ଦୁଇ ମାସର ଅଣ୍ଡିରା ଛୁଆ ମଧ୍ୟ ରହିଛି। ପ୍ରାୟ ଅଧ କିଲୋମିଟର ଦୂର ମଧ୍ୟରେ ହାତୀ ଟି ଚଳ ପ୍ରଚଳ କରୁଛି। ଠିକ ରେ ଖାଦ୍ୟ ଖାଇ ପାରୁନି ଯାହା ଫଳରେ ହାତୀଟି ଦିନକୁ ଦିନ ଦୁର୍ବଳ ହୋଇ ଯାଇଛି।ଦୁର୍ବଳ କାରଣରୁ ହାତୀ ଟି ଖାଦ୍ୟ ସଂଗ୍ରହ ପାଇଁ ଯାଇ ପାରୁ ନଥିବା ବେଳେ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ଦୁର୍ବଳ ହେଉଛି।
ବନ ବିଭାଗ ପକ୍ଷରୁ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନାହିଁ। ଏ ନେଇ ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜର ସୁବାସ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ହାତୀଟିର ଅତ୍ୟାଧିକ ଋତସ୍ରାବ ଯୋଗୁଁ ଏମିତି ହୋଇଛି ତାହା ଆପେ ଆପେ ଠିକ୍ ହେଇଯିବ ବୋଲି କହିବା ସହିତ ଖାମଖିଆଲି ମନୋଭାବ ପୋଷଣ କରିଛନ୍ତି। ଆଠଗଡ଼ ଏସି ଏଫ୍ ମନୋଜ୍ ପାତ୍ର ଯୋଗାଯୋଗ କରିବାରୁ ସେ ସେଇ ସମାନ କଥା କହିବା ସହିତ କହିଛନ୍ତି ହାତୀଟି କୁଆଡେ଼ ଛୁଆ ଜନ୍ମ କରି ଦୁର୍ବଳ ହୋଇଯାଇଥିବା ସୂଚନା ଦେଇଛନ୍ତି । ତେବେ ଅସୁସ୍ଥ ହାତୀ ଏବଂ ଶାବକର ଚିକିତ୍ସା ଆବଶ୍ୟକ ହେଇଥିଲେ ମଧ୍ୟ ଅଦ୍ୟାବଧି ଚିକିତ୍ସା ସେବା ଯୋଗାଇ ଦିଆଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।