କଟକ: ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ଉପରେ କଟକ ଜିଲ୍ଲା ପ୍ରଶାସନ ଵ୍ୟାପକ ଚଢାଉ ଆରମ୍ଭ କରିଛି। ଲଘୁ ଖଣିଜ ଦ୍ରବ୍ୟ, ବିଶେଷ କରି ବାଲି ଚୋରା କାରବାର ରୋକିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନ ଚଢାଉକୁ ଜୋରଦାର କରିଛି ।
ସୂଚନା ଅନୁଯାୟୀ, ଗତ ତିନିଦିନ ଭିତରେ କଟକ ସଦର ଉପଖଣ୍ଡର କିଶନନଗର, ବାରଙ୍ଗ, ନିଶ୍ଚିନ୍ତକୋଇଲି, ନିଆଳି ତଥା କଟକ ସଦର ତହସିଲ ଅଞ୍ଚଳରେ ୫ଟି ଟିମ୍ ବିଭିନ୍ନ ସ୍ଥାନରେ ଚୋରା ବାଲି ବେପାର ଉପରେ ଚଢାଉ କରିଛନ୍ତି । କିଶନନଗର ତହସିଲର ବାଙ୍କୋଳ, ଚମ୍ପା, ବାବୁଜଙ୍ଗ ଓ ଗୁଆଳି ଅଞ୍ଚଳରେ କିଶନନଗର ଅତିରିକ୍ତ ତହସିଲଦାର ଓ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କ ସହ ଉତ୍ତରକୂଳ ଓ ସମିତାଙ୍ଗର ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଏକ ଟିମ୍ ଚଢାଉ କରିଥିଲା।
ବାରଙ୍ଗ ତହସିଲର ନରଣପୁର ଅଞ୍ଚଳରେ ବାରଙ୍ଗ ତହସିଲଦାର, ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକ , ଅମିନ ଏବଂ କନିଷ୍ଠ ଖଣି ଅଧିକାରୀଙ୍କୁ ନେଇ ଗଠିତ ଦଳ ୩ଟି ଟିମ୍ ମାଟିଖୋଳା ଯନ୍ତ୍ର ଏବଂ ୩ଟି ହାଇୱା ଜବତ କରି ଜିଲ୍ଲା ଖଣି ଅଧିକାରୀଙ୍କୁ ବିହିତ ପଦକ୍ଷେପ ନିମନ୍ତେ ହସ୍ତାନ୍ତର କରିଛନ୍ତି। ଏହା ସହ ବେଆଇନ ବାଲି ଘାଟ ଚଳାଉଥିବା ଅଭିଯୋଗରେ ୧୮ଲକ୍ଷ ଟଙ୍କାର ଜରିମାନା ଆଦାୟ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Also read: ଅନ୍ୟ ଜାତିରେ ବିବାହ , ୧୨ ବର୍ଷ ପର୍ଯ୍ୟନ୍ତ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ
ସେପଟେ ନିଶ୍ଚିନ୍ତକୋଇଲି ତହସିଲର ସହଦେବପୁର, ଦେମାଣ୍ଡ, କୁଳଗଈଂଶାଳ, ନେମାଳ ଓ ପାଳଦା ଅଞ୍ଚଳରେ ତହସିଲଦାର, ନେମାଳ ରାଜସ୍ୱ ପର୍ଯ୍ୟବେକ୍ଷକ ଏବଂ ସୁକରପଡା ରାଜସ୍ୱ ନିରୀକ୍ଷକ , ନେମାଳ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ନେଇ ଗଠିତ ଟିମ୍ ମଧ୍ୟ ଚଢ଼ାଉ ଅଭିଯାନରେ ସାମିଲ ହୋଇଥିଲେ।
ସେହିପରି ନିଆଳି ତହସିଲର ଜଲରପୁର, କସର୍ଦ୍ଦା ଓ ନିଆଳି ଅଞ୍ଚଳରେ ନିଆଳି ତହସିଲଦାର ଓ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଏବଂ କସର୍ଦ୍ଦା ରାଜସ୍ୱ ନିରୀକ୍ଷକଙ୍କ ଟିମ୍ ଚଢାଉ କରି ୫ଟି ହାଇୱା ଏବଂ ଗୋଟିଏ ଟ୍ରାକ୍ଟର ଜବତ କରି ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସେପଟେ କଟକ ସଦର ଅଞ୍ଚଳରେ ଚଢାଉ କରି ଅଧିକାରୀ ମାନେ ୪ଟି ହାଇୱା ଜବତ କରିଛନ୍ତି ।