ଦିଲ୍ଲୀରେ ଏକାକୀ ଲଢିବ ଆପ୍, କଂଗ୍ରେସ ସହ ମେଣ୍ଟ ସମ୍ଭାବନାକୁ ଖଣ୍ଡନ କଲା ଦଳ

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ: ହରିୟାଣାରେ ପରାଜୟ ପରେ କଂଗ୍ରେସ ଏବେ ନିଜ ସହଯୋଗୀ ଦଳଙ୍କ ବିଶ୍ୱାସ ହରାଇଛି । ଶିବସେନା (ଉଦ୍ଧବ) ଗୋଷ୍ଠୀ ପରାଜୟରେ କଂଗ୍ରେସକୁ କଟାକ୍ଷ କରିଥିବା ବେଳେ ଏବେ ଆମ ଆଦମୀ ପାର୍ଟି ମଧ୍ୟ ବଡ଼ ଘୋଷଣା କରିଛି । ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ଏକାକୀ ଲଢିବ ବୋଲି ଦଳ ସ୍ପଷ୍ଟ କରିଛି । ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ପ୍ରିୟଙ୍କା କକ୍କଡ଼ ବୁଧବାର କହିଛନ୍ତି ଯେ ପାର୍ଟି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ।

ସମାଚାର ଏଜେନ୍ସି ଏଏନଆଇକୁ ପ୍ରତିକ୍ରିୟା ଦେଇ କକ୍କଡ଼ କହିଛନ୍ତି, 'ଆମେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ଲଢିବୁ । ଗୋଟିଏ ପଟେ ଅତି ଆତ୍ମବିଶ୍ୱାସୀ କଂଗ୍ରେସ ଏବଂ ଅନ୍ୟପଟେ ଅଂହକାରୀ ଭାରତୀୟ ଜନତା ପାର୍ଟି । ଆମେ ଆମ ମସ୍ତକ ନୁଆଁଇ ରଖିବୁ ଏବଂ ଗତ ୧୦ ବର୍ଷରେ କରିଥିବା ଆମ କଥା ସବୁ କହିବ । ଆମେ କଠିନ ପରିଶ୍ରମ କରିବୁ ।' ଦିଲ୍ଲୀରେ ବିଧାନସଭା ନିର୍ବାଚନ ୨୦୨୫ରେ ଆରମ୍ଭରେ ହୋଇପାରେ । ୨୦୨୦ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୭୦ରୁ ୬୨ ଆସନ ଜିତିଥିଲା ଏବଂ ବିଜେପିକୁ ୮ ଆସନ ମିଳିଥିଲା । କଂଗ୍ରେସ ଖାତା ହିଁ ଖୋଲିପାରି ନଥିଲା ।

କକ୍କଡ଼ ନିଜ ବୟାନରେ ସେହି ସମସ୍ତ ସମ୍ଭାବନାକୁ ଖଣ୍ଡନ କରିଛନ୍ତି, ଯେଉଁଥିରେ ଦାବି କରାଯାଉଥିଲା ଯେ ଆପ୍ ଏବଂ କଂଗ୍ରେସ ମିଶି ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢିପାରନ୍ତି । ଏବେ ନିର୍ବାଚନରେ ବିଜେପି ଏବଂ ଆପ୍ ସହ କଂଗ୍ରେସକୁ ମୁକାବିଲା କରିବାକୁ ହେବ । କୁହାଯାଉଛି ଯେ ଏହି ଘୋଷଣା କଂଗ୍ରେସ ପାଇଁ ଏକ ବଡ଼ ଝଟକା, କାରଣ ୨୦୧୩ରୁ ଏହାର କୌଣସି ନେତା ଦିଲ୍ଲୀ ବିଧାନସଭାର ସଦସ୍ୟ ହୋଇପାରି ନାହାନ୍ତି । ହରିୟାଣା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆପ୍ ମଧ୍ୟରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିଲା କିନ୍ତୁ କୌଣସି ପରିଣାମ ବାହାରି ନଥିଲା ।

ଏହା ପୂର୍ବରୁ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ହରିୟାଣା ନିର୍ବାଚନରୁ ମିଳିଥିବା ସବୁଠୁ ବଡ଼ ଶିକ୍ଷା ଏହା ଯେ କେବେ ବି ଅତି ଆତ୍ମବିଶ୍ୱାସୀ ହେବା ଠିକ୍ ନୁହେଁ । ସେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରିବା ପାଇଁ ଅନୁରୋଧ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.