୨୦୩୨ ସୁଦ୍ଧା ଭାରତ ହେବ ୧୦ ଟ୍ରିଲିୟନ୍ ଡଲାରର ଅର୍ଥବ୍ୟବସ୍ଥା: ଗୌତମ ଆଦାନୀ

Published By : Prameya-News7 Bureau | June 19, 2024 IST

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୩୨ ସୁଦ୍ଧା ଭାରତ ୧୦ ଲକ୍ଷ କୋଟି ଆମେରିକୀୟ ଡଲାର (୧୦ ଟ୍ରିଲିୟନ ଡଲାର)ର ଅର୍ଥବ୍ୟବସ୍ଥା ହୋଇଯିବ । ଏହାସହ ଏହାର କ୍ୟାପିଟାଲ ଏକ୍ସପିଣ୍ଡିଚର (ଭିତ୍ତିଭୂମି ଉପରେ ଖର୍ଚ୍ଚ) ମଧ୍ୟ ୨.୫ ଲକ୍ଷ କୋଟି ଆମେରିକୀୟ ଡଲାରରୁ ଅଧିକ ହେବ । ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀ ବୁଧବାର ଏହି ପୂର୍ବାନୁମାନ କରିଛନ୍ତି ।

କ୍ରେଡିଟ୍ ରେଟିଂ କମ୍ପାନି କ୍ରିସିଲ (CRISIL)ର ବାର୍ଷିକ ଇନଫ୍ରାଷ୍ଟ୍ରକ୍ଚର ଶିଖର ସମ୍ମିଳନୀରେ ଗୌତମ ଆଦାନୀ ନିଜ ଅନୁମାନ କଥା ଉଲ୍ଲେଖ କରି ଆଗାମୀ ୮ ବର୍ଷରେ ଭାରତର ଅର୍ଥନୀତି ୧୦ ଲକ୍ଷ କୋଟି ଆମେରିକୀୟ ଡଲାର ହେବ ବୋଲି କହିଛନ୍ତି । ଏହାସହ ସେତେବେଳକୁ ଭିତ୍ତିଭୂମି ଉପରେ ଦେଶର ଖର୍ଚ୍ଚ ୨.୫ ଲକ୍ଷ କୋଟି ଡଲାରରୁ ଅଧିକ ହେବ । ଏବଂ ଏହି ପୂରା ଖର୍ଚ୍ଚର ପ୍ରାୟ ଏକ ଚତୁର୍ଥାଂଶ ଅର୍ଥାତ୍ ୨୫ ପ୍ରତିଶତ ଉର୍ଜା ଏବଂ ନବୀକରଣ ଉର୍ଜା ଉପରେ ହେବ ।



ଗୌତମ ଆଦାନୀ ନିଜ ସମ୍ୱୋଧନରେ ଦାବି କରିଛନ୍ତି ଯେ ଭାରତର ବାସ୍ତବିତ ବିକାଶ ଏବେ ବାକି ରହିଛି । ସେ କହିଛନ୍ତି, 'ସବୁ ଦେଶରେ ନିଜର ଆହ୍ୱାନ ରହିଥାଏ, କିନ୍ତୁ ମୁଁ ପୂରା ବିଶ୍ୱାସର ସହ କରିପାରିବ ଯେ ଭାରତର ବାସ୍ତବିକ ବିକାଶ, ପ୍ରକୃତ ବିକାଶ ହେବା ଏବେ ବାକି ରହିଛି । ଏପରି ଅନେକ ମଞ୍ଚ ପୂର୍ବରୁ ଦୁନିଆରେ ରହିଛି, ଯାହା ବଳରେ ଅନେକ ଟ୍ରିଲିୟନ ଡଲାର ମାର୍କେଟ ସ୍ପେସ୍ ତିଆରି ହୋଇପାରିବ ।' 

ଆଦାନୀ ଗ୍ରୁପର ଚେୟାରମ୍ୟାନ ଘୋଷଣା କରିଛନ୍ତି ଯେ ଗ୍ରୀନ ଏନର୍ଜୀ ଉତ୍ପାଦନ ପାଇଁ ଉପକରଣ ନିର୍ମାଣ ସହ ଏନର୍ଜୀ ଟ୍ରାଞ୍ଜିସନ ପରିଯୋଜନା ଉପରେ ୧୦୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିବ । ଆଦାନୀ ଗ୍ରୁପ ସୋଲାର ପାର୍କ, ପବନ ଫାର୍ମ ଏବଂ ଗ୍ରୀନ୍ ହାଇଡ୍ରୋଜନକୁ ନେଇ ଇଲେକ୍ଟ୍ରୋଲାଇଜରର ଉତ୍ପାଦନ ପାଇଁ ସୁବିଧା ବିକଶିତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.