ଇଲେକ୍ଟୋରାଲ ବଣ୍ଡ ବନ୍ଦ କରିବା ପଛରେ ଜାଣନ୍ତୁ କାହାର ହାତ? ଏହି NGO କରିଛି ବଡ଼ ଖେଳ

Published By : Prameya-News7 Bureau | February 15, 2024 IST

ନୂଆଦିଲ୍ଲୀ ୧୫।୨: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ସ୍କିମ୍‌କୁ ବେଆଇନ ବୋଲି କହିଛନ୍ତି। ଏବେ କୌଣସି ପାର୍ଟି ଆଉ ଏହି ମାଧ୍ୟମରେ ଚାନ୍ଦା ନେଇ ପାରିବେ ନାହିଁ। ଏହା ସହିତ କୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ଙ୍କୁ ବଣ୍ଡ କ୍ରୟ କରିଥିବା ଲୋକଙ୍କ ସୂଚନା ସେୟାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ଆୟୋଗଙ୍କୁ ସମସ୍ତ ସୂଚନା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ନିଜ ୱେବସାଇଟ୍‌ରେ ଉପଲବ୍ଧ କରିବାକୁ କହିଛନ୍ତି। ଏଥି ମଧ୍ୟରେ ନିର୍ବାଚନୀ ବଣ୍ଡକୁ ବନ୍ଦ କରାଇବାରେ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମ(ଏଡିଆର)ର ହାତ ଥିବା ଜଣାପଡିଛି।

ଏଡିଆର ହିଁ ସେହି ସଂସ୍ଥା ଯିଏ ଇଲେକ୍ଟୋରାଲ ବଣ୍ଡ ନେଇ କୋର୍ଟରେ ପିଟିସନ ଦାଖଲ କରିଥିଲେ। ସ୍ୱେଚ୍ଛାସେବୀ ସଙ୍ଗଠନ ଏଡିଆର ଦେଶର ନିର୍ବାଚନ ସଂସ୍କାର ନେଇ ଅନେକ କାମ କରିଛି। ବର୍ତ୍ତମାନ ନିର୍ବାଚନରେ ଭୋଟ ଦେବା ବେଳେ ଆପଣଙ୍କୁ ମିଳୁଥିବା ‘ନୋଟା’ ବିକଳ୍ପ  ମଧ୍ୟ ଏହି ସ୍ୱେଚ୍ଛାସେବୀ ସଂସ୍ଥା ଦେଇଛି। ଏହା ସହିତ ପ୍ରାର୍ଥୀପତ୍ର ଦାଖଲ କାଳରେ ନେତାମାନେ ଦାଖଲ କରୁଥିବା ସମ୍ପତ୍ତି ଓ ଅପରାଧିକ ରେକର୍ଡ ସତ୍ୟପାଠ ଏହି ସଂସ୍ଥା ଯୋଗୁ ସତ୍ୟପାଠରେ ପୁରଣ କରୁଛନ୍ତି। ଏଥି ନିମନ୍ତେ ଏଡିଆର ସୁପ୍ରିମକୋର୍ଟରେ ଦୀର୍ଘ ଲଢେଇ ଲଢିବା ସହ ବିଜୟୀ ମଧ୍ୟ ହୋଇଥିଲା।

ଏଡିଆର ମୁଖ୍ୟ ମେଜର ଜେନେରାଲ (ଅବସରପ୍ରାପ୍ତ) ଅନିଲ ବର୍ମା କହିଛନ୍ତି ଯେ ଇଲେକ୍ଟୋରାଲ ବଣ୍ଡ  ଭାରତର ରାଜନୈତିକ ଓ ନିର୍ବାଚନୀ ବ୍ୟବସ୍ଥାର ସବୁଠୁ ବଡ଼ ଦାଗ ଥିଲା। ଏହା ଯୋଗୁ କଳା ଧନକୁ ମଧ୍ୟ ପ୍ରୋତ୍ସାହନ ମିଳୁଥିଲା। ଏଥିରେ ଆରଟିଆଇ ଆଇନର ମଧ୍ୟ ପାଳନ ହେଉ ନଥିଲା। କର୍ପୋରେଟ ହାଉସ୍ କ୍ଷମତାରେ ଥିବା ପାର୍ଟିମାନଙ୍କୁ ମୋଟା ରକମର ପୈଠ କରୁଥିଲେ ଓ ସରକାର ସେମାନଙ୍କ ହୀତ ନିମନ୍ତେ କାମ କରୁଥିଲେ ଓ ଏ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ବାଧ୍ୟ ନଥିଲେ।


ଅନିଲ ବର୍ମା କହିଛନ୍ତି ଯେ ଆମେ କୋର୍ଟରେ ଦାଖଲ କରିଥିବା ପିଟିସନରେ ଏହି କଥାକୁ ମୁଖ୍ୟ ପ୍ରସଙ୍ଗ କରିଥିଲୁ। ନିର୍ବାଚନ ଆୟୋଗ ଓ ଆରବିଆଇ ମଧ୍ୟ ଏ କଥାକୁ ସ୍ୱୀକାର କରିଥିଲେ। ପରେ ବାମପନ୍ଥୀ ଦଳମାନେ ଓ କଂଗ୍ରେସ ମଧ୍ୟ ଏହାକୁ ନେଇ କୋର୍ଟକୁ ପହଞ୍ଚିଥିଲେ। ଏବେ ଇଲୋକ୍ଟୋରାଲ ବଣ୍ଡ ରଦ୍ଦ ହେବା ପରେ ସେମାନେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଆସିବ ବୋଲି ଆଶା ବ୍ୟକ୍ତ କରୁଛନ୍ତି। ଏଡିଆର କୋର୍ଟଙ୍କ ନିଷ୍ପତ୍ତି ଓ ସମୟକୁ ନେଇ ପ୍ରଶଂସା କରିଛି।

ଅନିଲ ବର୍ମା କହିଛନ୍ତି ଯେ କୋର୍ଟ ତାଙ୍କ ଆଦେଶରେ ଷ୍ଟେଟବ୍ୟାଙ୍କକୁ ବଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ୩ ସପ୍ତାହରେ ଦେବେ। ଏହା ସହିତ ନିର୍ବାଚନ ଆୟୋଗଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ତାଙ୍କ ୱେବସାଇଟ୍‌ରେ ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ବିବରଣୀ ସେୟାର କରିବାକୁ କହିଛନ୍ତି। ବର୍ମା ଆଶାବ୍ୟକ୍ତ କରିଛନ୍ତି ଯେ ମାର୍ଚ୍ଚରେ ଲୋକସଭା ନିର୍ବାଚନ ଘୋଷଣା ହେବ ଓ ଏପ୍ରିଲରୁ ଦେଶରେ ନିର୍ବାଚନ ଆରମ୍ଭ ହୋଇଯିବ। ଏହା ପୂର୍ବରୁ ଭୋଟର କେଉଁ ପାର୍ଟିକୁ କିଏ କେତେ ଚାନ୍ଦା ଦେଇଛନ୍ତି ତାହା ଜାଣିଯିବେ।


ତେବେ ଆସନ୍ତୁ ଜାଣିବା ଇଲେକ୍ଟୋରାଲ ବଣ୍ଡ କ’ଣ?
କେନ୍ଦ୍ର ସରକାର ୨ ଜାନୁୟାରୀ ୨୦୧୮ରେ ଏହି ଯୋଜନା ଆଣିଥିଲେ। ଏହି ଯୋଜନାରେ ଭାରତର ଯେ କୌଣସି ନାଗରିକ ଏସବିଆଇ ବ୍ରାଞ୍ଚରୁ ଏହି ବଣ୍ଡ କିଣିବାର ବ୍ୟବସ୍ଥା ଥିଲା। ଏହା ସହିତ କୌଣସି ବ୍ୟକ୍ତି ଏକାକୀ ଅଥବା ଅନ୍ୟମାନଙ୍କ ସହ ମିସି ନିର୍ବାଚନୀ ବଣ୍ଡ କିଣିପାରିବାର ବ୍ୟବସ୍ଥା ଥିଲା। ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ର ଧାରା ୨୯ (ଏ) ଅନୁସାରେ ପଞ୍ଜିକୃତ ରାଜନୈତିକ ଦଳ ନିର୍ବାଚନୀ ବଣ୍ଡର ପାତ୍ର ଅଟନ୍ତି। ନିର୍ବାଚନ ବଣ୍ଡକୁ ପାତ୍ର ରାଜନୈତିକ ଦଳ କେବଳ ଅଧିକୃତ ବ୍ୟାଙ୍କ ଖାତା ମାଧ୍ୟମରେ ଭଙ୍ଗାଇ ପାରିବେ।

ଏସବିଆଇ ଏହି ବଣ୍ଡକୁ ୧,୦୦୦, ୧୦,୦୦୦, ୧ଲକ୍ଷ ଓ ୧ କୋଟି ଟଙ୍କା ସମତୁଲ୍ୟ ମୂଲ୍ୟରେ ବିକ୍ରି କରୁଥିଲେ। ଏହା ସହିତ ଏପରି ବଣ୍ଡ କ୍ରୟ କରୁଥିବା ବ୍ୟକ୍ତି ଆୟକରରେ ୧୦୦ ପ୍ରତିଶତ ରିହାତି ପାଉଥିଲେ।  ଏହି ନିୟମରେ ରାଜନୈତିକ ଦଳଙ୍କୁ ଦାନକର୍ତ୍ତାଙ୍କ ଦାନ ଓ ନାମ ଗୋପନ ରଖିବାର ଛାଡ ମିଳିଥିଲା, ସେହିପରି ଯେଉଁ ଦଳଙ୍କୁ ଏହି ବଣ୍ଡ ମିଳିଥାଏ, ସେମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହାକୁ ଭଙ୍ଗାଇ ଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.