ହାଥରସ୍ ଦଳାଚକଟା ମୃତକଙ୍କ ଶବ ଦେଖି କନଷ୍ଟେବଲଙ୍କୁ ହୃଦଘାତ, ହସ୍ପିଟାଲରେ ମୃତ୍ୟୁ

Published By : Prameya-News7 Bureau | July 02, 2024 IST

ସିକନ୍ଦ୍ରାରାଉ ୨।୭: ହାଥରସ ଦଳାଚକଟାରେ ୧୨୨ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଏଥି ମଧ୍ୟରେ ଦଳାଚକଟା ମୃତକଙ୍କ ଶବ ଦେଖି ଜଣେ କନଷ୍ଟେବଲଙ୍କର ମଧ୍ୟ ମୃତ୍ୟୁ ହୋଇଛି। କନଷ୍ଟେବଲଙ୍କର ମେଡିକାଲ କଲେଜରେ ଡ୍ୟୁଟି ଥିଲା। ମେଡିକାଲ କଲେଜକୁ ଲୋକଙ୍କ ଶବ ବୁହା ହୋଇ ଆସୁଥିଲା। ଏଠାକୁ ମଧ୍ୟ ପୋଲିସ ଫୋର୍ସ ପହଞ୍ଚିଥିଲେ। ଏହି ଫୋର୍ସରେ ଥିବା କନଷ୍ଟେବଲ ରବିକୁମାର (୩୨) ଏତେ ସଂଖ୍ୟକ ଶବକୁ ଦେଖି  ଅଚାନକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

କୁହାଯାଉଛି ଶବ ଦେଖି ତାଙ୍କୁ ହୃଦଘାତ ହୋଇଛି। ଅଲିଗଡ଼ ଥାନା ସିଦ୍ଧାର୍ଥ ନଗର ଆଇଟିଆଇ ରୋଡ ନିବାସୀ ରବି କୁମାର କ୍ୱିକ୍ ରେସ୍ପନ୍ସ ଟିମ୍ (କ୍ୟୁଆରଟି) ଅଭାଗଡରେ ନିଯୁକ୍ତ ଥିଲେ। ମଙ୍ଗଳବାର ଦୁର୍ଘଟଣା ସମ୍ପର୍କରେ ୱେରଲେସ୍ ବାର୍ତ୍ତା ପାଇ ଅନ୍ୟମାନଙ୍କ ସହ ସେ ମଧ୍ୟ ମେଡିକାଲ କଲେଜ ପହଞ୍ଚିଥିଲେ। ଲଗାତାର ମୃତ ଓ ଆହତ ଲୋକଙ୍କୁ ହସ୍ପିଟାଲ ଅଣାଯାଉଥିଲା। ଏଥିରେ ଏକ ଗାଡିରେ ଅନେକ ଶବ ରହିଥିଲା। ଏତେ ସଂଖ୍ୟକ ଶବ ଦେଖି ରବି କୁମାରଙ୍କ ସ୍ୱାସ୍ଥ୍ୟ  ଅଚାନକ ବିଗିଡି ଯାଇଥିଲା। 

ସାଥୀ କର୍ମଚାରୀମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ଏମାର୍ଜେନ୍ସୀରେ ଭର୍ତ୍ତି କରିଥିଲେ। ଡାକ୍ତର ମଧ୍ୟ ତୁରନ୍ତ ତାଙ୍କର ଚିକିତ୍ସା କରିଥିଲେ। ହେଲେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୁହାଯାଉଛି ଗରମ ଓ ଏତେ ସଂଖ୍ୟକ ଶବ ଦେଖି ସେ ହଡବଡେଇ ଯାଇଥିଲେ। ଏଣୁ ତାଙ୍କର ହୃଦଘାତ ହୋଇଥିବା ଆଶଙ୍କା କରାଯାଉଛି। ରବି ୨୦୧୪ ମସିହାରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.