ପୋର୍ଟ ବ୍ଲେୟର ଏୟାରପୋର୍ଟରେ ପ୍ରଥମ ଥର ରାତ୍ରିକାଳୀନ ଅବତରଣ, ୬୮ ଯାତ୍ରୀଙ୍କୁ ଧରି ଲ୍ୟାଣ୍ଡ କଲା ଏୟାର ଇଣ୍ଡିଆର ବିମାନ

Published By : Prameya-News7 Bureau | June 29, 2024 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନ ରାତିରେ ପୋର୍ଟ ବ୍ଲେୟର ବିମାନ ବନ୍ଦରରେ ସଫଳାତାର ସହ ଅବତରଣ କରିଛି । ଏକ ସରକାରୀ ବୟାନରେ ଏହି ସୂଚନା ଦିଆଯାଇଛି । ଏହି ଐତିହାସିକ ଘଟଣା ସହ ପୋର୍ଟ ବ୍ଲେୟର ବିମାନ ବନ୍ଦର ଦିନ ଏବଂ ରାତି ଉଭୟ ସମୟରେ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ରୂପେ ସକ୍ଷମ ହୋଇଛି ।

ଏୟାର ଇଣ୍ଡିଆର ଏୟାରବସ ଏ୩୨୧ ବିମାନ ୬୮ ଯାତ୍ରୀଙ୍କ ସହ ଶୁକ୍ରବାର ସଂଧ୍ୟାରେ ଆଇଏନଏସ ଉତ୍କର୍ଷରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି । ଆଇଏନଏସ ଉତ୍କର୍ଷ ଆଣ୍ଡାମାନ ଏବଂ ନିକୋବର କମାଣ୍ଡ ଅଧିନରେ ଅଛି ଏବଂ ପୋର୍ଟ ବ୍ଲେୟରରେ ବୀର ସାବରକର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପରିସରରେ ରହିଛି । ଆଣ୍ଡାମାନ ଏବଂ ନିକୋବର କମାଣ୍ଡ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ବିମାନ ସଂଧ୍ୟା ପ୍ରାୟ ୫.୪୦ ମିନିଟରେ କୋଲକାତାରୁ ଉଡାଣ ଭରିଥିଲା । ସଂଧ୍ୟା ୭.୩୪ ମିନିଟରେ ପୋର୍ଟ ବ୍ଲେୟରରେ ସଫଳତାର ସହ ଅବତରଣ କରିଛି ।

ବୟାନରେ କୁହାଯାଇଛି, ରାତିରେ ଏହି ସଫଳ ଲ୍ୟାଣ୍ଡିଂ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହ ପାଇଁ ଆକାଶମାର୍ଗରୁ ଯୋଗାଯୋଗ ବଢିବା, ସ୍ଥାନୀୟ ଲୋକଙ୍କୁ ଲାଭ ପହଞ୍ଚାଇବା ଏବଂ ପର୍ଯ୍ୟଟନକୁ ବଢାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ । ଗତ କିଛି ବର୍ଷ ଧରି ଭାରତୀୟ ନୌସେନା, ଆଣ୍ଡାମାନ ନିକୋବର କମାଣ୍ଡ ଏବଂ ଏଏଆଇର ନିରନ୍ତର ପ୍ରୟାସ ଯୋଗୁଁ ଏହି ଐତିହାସିକ ଘଟଣା ସମ୍ଭବ ହୋଇଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.