ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶରଦ ପାୱାରଙ୍କ ପାର୍ଟି ବାରାମତୀ ଆସନରେ ଅଜିତ୍ ପାୱାରଙ୍କ ବିପକ୍ଷରେ ୟୁଗେନ୍ଦ୍ରଙ୍କୁ ଟିକଟ ଦେଇଛି । ୟୁଗେନ୍ଦ୍ର ହେଉଛନ୍ତି ଶରଦ ପାୱାରଙ୍କ ନାତି ଏବଂ ସମ୍ପର୍କରେ ଅଜିତ୍ ପାୱାରଙ୍କ ପୁତୁରା । ବାରାମତୀ ବିଧାନସଭା କ୍ଷେତ୍ର ପାଇଁ ସୋମବାର ନାମାଙ୍କନ ଦାଖଲ କରିବା ପରେ ଏକ ରାଲିକୁ ସମ୍ୱୋଧିତ କରି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ୍ ପାୱାର ଭାବୁକ ହୋଇଛନ୍ତି । ଅଜିତ୍ ପାୱାର ଅଭିଯୋଗ କରିଛନ୍ତି ଯେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ପରିବାରରେ ଫାଟ ସୃଷ୍ଟି କରିଛନ୍ତି ଏବଂ ତାଙ୍କ ବିରୋଧରେ ପ୍ରାର୍ଥୀ ଓହ୍ଲାଇଛନ୍ତି । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କହିଛନ୍ତି, 'ପ୍ରଥମେ ମୁଁ ଭୁଲ କଲି, କିନ୍ତୁ ଏବେ ଲାଗୁଛି ଅନ୍ୟ ସମସ୍ତେ ମଧ୍ୟ ଭୁଲ କରୁଛନ୍ତି ।'
ବାରାମତୀରେ ରାଲିକୁ ସମ୍ୱୋଧନ କରି ଅଜିତ୍ ପାୱାର କହିଛନ୍ତି, 'ମୁଁ ଏବଂ ମୋର ପରିବାର ପ୍ରଥମେ ବାରାମତୀରେ ନାମାଙ୍କନ ଦାଖଲ ପାଇଁ ସହମତ ହୋଇଥିଲେ, କିନ୍ତୁ ଏବେ ତାହା ହେଲା ନାହିଁ । ଆହ୍ୱାନ ସତ୍ତ୍ୱେ, ଆମେ ସ୍ଥିତି ସୁଧାରିବାରେ ସଫଳ ହୋଇଛୁ । ମୋ ମାଆ ବହୁତ ସହଯୋଗ କରିଛନ୍ତି ଏବଂ ଅଜିତ୍ ପାୱାରଙ୍କ ବିରୋଧରେ କେହି ମଧ୍ୟ ନାମାଙ୍କନ ନକରିବା ଦରକାର ବୋଲି ସେ ପରାମର୍ଶ ଦେଇଥିଲେ । କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ସାହେବ (ଶରଦ ପାୱାର) ମୋ ବିରୋଧରେ ନାମାଙ୍କନ ଦାଖଲ କରିବା ପାଇଁ ଜଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ସାହେବ ପରିବାର ଭିତରେ ଫାଟ ସୃଷ୍ଟି କରୁଛନ୍ତି । ମୁଁ କେବଳ ଏତିକି କହିବାକୁ ଚାହେଁ ଯେ ରାଜନୀତିକୁ ଏତେ ନିମ୍ନକୁ ଆଣିବା ଠିକ୍ ନୁହେଁ, କାରଣ ପରିବାରକୁ ଯୋଡ଼ିବା ପାଇଁ ପିଢି ପିଢି ସମୟ ଲାଗେ ଏବଂ ପରିବାରକୁ ଭାଙ୍ଗିବା ପାଇଁ ଗୋଟିଏ ମୁହୂର୍ତ୍ତ ଲାଗେ ।'
ରାଲିକୁ ସମ୍ୱୋଧନ କରି ମହାୟୁତି ପୁଣି ଥରେ ସରକାରକୁ ଫେରିବ ବୋଲି ଅଜିତ୍ ପାୱାର ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅଜିତ୍ ପାୱାର କହିଛନ୍ତି, 'ଆମେ ସମସ୍ତେ ଜାଣିଛୁ ଯେ ନଭେମ୍ୱର ୨୩ ଅପରାହ୍ଣ ସୁଦ୍ଧା ଆମେ ସରକାରକୁ ପୁଣି ଫେରିବୁ ବୋଲି ସ୍ପଷ୍ଟ ହୋଇଯିବ । କାରଣ ଚାଷୀଙ୍କ ପାଇଁ ଲାଡଲୀ ଯୋଜନା ଆଗାମୀ ପାଞ୍ଚ ବର୍ଷ ଯାଏଁ ଜାରି ରଖିବ । ଯଦି ସେମାନେ କ୍ଷମତାକୁ ଆସନ୍ତି, ତେବେ ଏହାକୁ ବନ୍ଦ କରିଦେବେ । ଆମେ କାମ କରିବା ଲୋକ, କିନ୍ତୁ ସେମାନେ ଏପରି ନୁହନ୍ତି । ମୁଁ ଗଣତନ୍ତ୍ର ଉପରେ କିଛି କହିବାକୁ ଚାହୁଁନି, ନିର୍ବାଚନ ଲଢିବାର ଅଧିକ ସମସ୍ତଙ୍କର ଅଛି । ମୋର ବିଶ୍ୱାସ ବାରାମତୀରୁ ଲୋକ ମୋତେ ବହୁ ସଂଖ୍ୟାରେ ଭୋଟ ଦେବେ ।'