ନୂଆଦିଲ୍ଲୀ: ଆମେରିକାର ୱାଶିଂଟନ ଡିସିରେ ହୋଇଥିବା ବିମାନ ଦୁର୍ଘଟଣାରେ ସମସ୍ତ ୬୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ମଝି ଆକାଶରେ ଏକ ସେନା ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ଏହାପରେ ଦୁଇଟି ଯାକ ଏୟାରକ୍ରାଫ୍ଟ ତଳେ ଥିବା ପୋଟୋମାକ ନଦୀ ଭିତରେ ପଡ଼ି ଯାଇଥିଲେ।
ଏହାପର ଠାରୁ ନଦୀ ପାଣି ଭିତରୁ ମୃତଦେହ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆମେରିକାରେ ବର୍ତ୍ତମାନ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟାରେ ବାଧା ସୃଷ୍ଟି ହୋଇଛି। ଆମେରିକା ଗଣମାଧ୍ୟମଗୁଡ଼ିକର ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ସୁଦ୍ଧା ୨୮ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଏବେ ବି ଖୋଜା ଚାଲିଛି।
ଏହା ଆମେରିକାର ଇତିହାସର ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ। ଗୁରୁବାର ଏକ ଯାତ୍ରୀବାହୀ ବିମାନ ଜେଟ୍ ରୋନାଲ୍ଡ ରିଗାନ ଜାତୀୟ ବିମାନବନ୍ଦରରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକୀୟ ସେନା ବ୍ଲାକ୍ ହକ୍ ହେଲିକପ୍ଟର ସହିତ ଧକ୍କା ହୋଇଥିଲା। ମଝି ଆକାଶରେ ଦୁଇଟି ଏୟାରକ୍ରାଫ୍ଟ ମୁହାଁମୁହିଁ ଧକ୍କା ହେବାରୁ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ବଡ଼ କଥା ହେଲା ଦୁର୍ଘଟଣା ଘଟିଥିବା ସ୍ଥାନରେ ତଳେ କୌଣସି ଜନବସତି ନଥିଲା, ଏକ ନଦୀ ଥିଲା। ନହେଲେ ଏଥିରେ ଆଉ କିଛି ଲୋକଙ୍କର ବି ଜୀବନ ଯାଇଥାନ୍ତା।
ଘଟଣାକୁ ନେଇ ୱାଶିଂଟନ ଅଗ୍ନିଶମ ବିଭାଗର ମୁଖ୍ୟ ଜନ ଡୋନଲେ କହିଛନ୍ତି ଯେ ଏହି ଦୁର୍ଘଟଣାରେ କେହି ବଞ୍ଚିଥିବେ ବୋଲି ବିଶ୍ୱାସ ହେଉ ନାହିଁ। ତେଣୁ ଉଦ୍ଧାର କାର୍ଯ୍ୟ ବଦଳରେ ଏବେ ମୃତଦେହ ଠାବ କରାଯାଉଛି ବୋଲି ଡୋନ୍ଲେ କହିଛନ୍ତି।