ନୂଆଦିଲ୍ଲୀ ୩୦।୧: ମହାକାଶଯାତ୍ରୀ ସୁନୀତା ୱିଲିୟମସ୍ ଗତ ୭ ମାସ ହେଲା ଅନ୍ତରୀକ୍ଷରେ ଫଶି ରହିଛନ୍ତି। ସେ ମାତ୍ର ୮ ଦିନ ଲାଗି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍ଏସ୍)କୁ ଯାଇଥିଲେ। ତେବେ ବୈଷୟିକ ସମସ୍ୟା କାରଣରୁ ମହାକାଶ କେନ୍ଦ୍ରରେ ତାଙ୍କ ଅବସ୍ଥାନ ଅବଧି ବଢିବଢି ଚାଲିଛି। ସେ ଏବେ ଆଇଏସ୍ଏସ୍ ରେ ରହି ଚାଲିବା ଓ ବସିବା କ୍ରିୟାକୁ ବି ଭୁଲି ଯାଇଛନ୍ତି। ସୁନୀତା ୱିଲିୟମସ୍ ମହାକାଶ ଯାତ୍ରୀ ବୁଚ୍ ୱିଲ୍ମୋରଙ୍କ ସହିତ ମାତ୍ର ୮ ଦିନ ନିମନ୍ତେ ଆଇଏସ୍ଏସ୍ କୁ ଯାଇଥିଲେ।
ବୋଇଂର ଷ୍ଟାରଲାଇନର କ୍ୟାପସୁଲରେ ବୈଷୟିକ ତ୍ରୁଟି ଯୋଗୁ ତାଙ୍କୁ ଆଇଏସ୍ଏସ୍ ରେ ଅଟକି ରହିବାକୁ ପଡିଛି। ଏହି କାରଣରୁ କ୍ୟାପସୁଲ ଯାତ୍ରୀଙ୍କୁ ନ ଆଣି ଖାଲି ଖାଲି ପୃଥିବୀକୁ ଫେରିଆସିଥିଲା। ନାସା ଏବଂ ଏଲନ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ ସେମାନଙ୍କୁ ସୁରକ୍ଷିତ ମହାକାଶରୁ ଆଣିବାକୁ ଉଦ୍ୟମ କରୁଛନ୍ତି, ହେଲେ ଏ ପର୍ଯ୍ୟନ୍ତ ସଫଳତା ମିଳିପାରି ନାହିଁ। ଏହି ୭ ମାସରେ ସୁନୀତା ଯେଉଁସବୁ ସମସ୍ୟା ଭୋଗ କରୁଛନ୍ତି ସେ ସମ୍ପର୍କରେ ସୂଚିତ କରିଛନ୍ତି।
ସେ କହିଛନ୍ତି ଯେ ଏହି ୭ ମାସ ହେଲା ସେ କେବେ ବସି ନାହାନ୍ତି କି ପାହୁଣ୍ଡେ ଚାଲି ବି ନାହାନ୍ତି। ଏବେ କିପରି ଚଲାଯାଏ ତାହା ବି ସେ ଭୁଲି ଯାଇଥିବା କହିଛନ୍ତି। ନିଡହମ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନାରେ ସୁନୀତା କହିଛନ୍ତି ଯେ ‘ମୁଁ ଏଠାରେ ଦୀର୍ଘ ସମୟରୁ ରହିଛି। ଚାଲିବା ଅନୁଭବ କରିବା ମୋ ପାଇଁ କଠିନ ହୋଇପଡିଛି। ମୁଁ ଅନେକ ମାସରୁ ବସିନି କି ଚାଲିନି। କାରଣ ଏଠାରେ ଏ ସବୁର କୌଣସି ଆବଶ୍ୟକତା ପଡୁ ନାହିଁ। ସେ କହିଛନ୍ତି ଯେ ତୁମେ କେବଳ ଆଖି ବନ୍ଦ କରିପାରିବ ଓ ଯେଉଁଠି ଅଛ ସେଇଠି ପହଁରୁଥିବ’।
ସୁନୀତା କହିଛନ୍ତି ଯେ ମୋର ମହାକାଶଯାତ୍ରା ଯେତିକି ମୁଁ ଭାବିଥିଲି ତାଠାରୁ ଅଧିକ ଦୀର୍ଘ ହୋଇଗଲାଣି। ମୁଁ ଭାବୁଥିଲି ମାସକରୁ ଅଧିକ ରହି ପାରିବିନି, ହେଲେ ଏତେ ସମୟ ଧରି ମହାକାଶ କେନ୍ଦ୍ରରେ ରହିବା ଏକ ଚମତ୍କାର ଅନୁଭବ ବୋଲି ସେ କହିଛନ୍ତି। ସୁନୀତା ଏବଂ ୱିଲ୍ମୋର ‘ଥ୍ୟାଙ୍କସ ଗିଭିଙ୍ଗ’ ଓ ‘ବଡ଼ଦିନ’ ମହାକାଶ କେନ୍ଦ୍ରରେ ପାଳନ କରିଛନ୍ତି। ଜାନୁୟାରୀରେ ସୁନୀତା ପ୍ରଥମ ଥର ସ୍ପେସ୍ ୱାକ୍ କରିଛନ୍ତି, ଏହା ସହିତ ମହାକାଶ କେନ୍ଦ୍ରରୁ ଗତ ରାଷ୍ଟ୍ରପତି ନିର୍ବାଚନ ଭୋଟ ମଧ୍ୟ ଦେଇଥିଲେ। ମହାକାଶରେ ଏତେ ସମୟ ଧରି ରହିବା ତାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି।
ତାଙ୍କ ଫଟୋରୁ ସ୍ପଷ୍ଟ ଦେଖାଯାଉଛି ଯେ ତାଙ୍କର ଓଜନ ହ୍ରାସ ହେଉଛି। ଏଣୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିଯାଇଛି। ତେବେ ସୁନୀତା ୱିଲିୟମସଙ୍କୁ ମହାକାଶରୁ ପୃଥିବୀରୁ ଫେରାଇ ଆଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କଙ୍କୁ ଦାୟିତ୍ୱ ଦେଇଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ସୁନୀତାଙ୍କୁ ମହାକାଶରେ ଛାଡି ଦେଇଛନ୍ତି।