ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଭାରତ ସରକାର ଡକାଇଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ବୈଠକ ସରିବା ପରେ ବିରୋଧୀ ଦଳ ତୁରନ୍ତ ସରକାରଙ୍କୁ ସମର୍ଥନ ଜଣାଇଛି। ଭାରତ ସରକାର ଯେକୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବିରୋଧୀ ଦଳ ଏହାର ସମର୍ଥନ କରିବ ବୋଲି ଲୋକସଭାରେ ବିରୋଧୀ ଦଳ ନେତା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି।
ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସବୁ ନେତା ପହଲଗାମ ଘଟଣାକୁ ନିନ୍ଦା କରିଛନ୍ତି। ଏବଂ ସରକାର ଏନେଇ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବିରୋଧୀ ଏହାକୁ ପୂର୍ଣ୍ଣ ସମର୍ଥନ ଦେବ। କେବଳ ସେତିକି ନୁହେଁ ରାହୁଲ ଗାନ୍ଧୀ ଶୁକ୍ରବାର ଜାମ୍ମୁ-କାଶ୍ମୀର ଅନନ୍ତନାଗ ଗସ୍ତ କରିବେ ଏବଂ ଜିଏମସି ଅନନ୍ତନାଗରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଆହତମାନଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।
#WATCH | Delhi: After attending the all-party meeting convened by the central government, Lok Sabha LoP and Congress MP Rahul Gandhi says, "Everyone condemned the #PahalgamTerroristAttack. The opposition has given full support to the government to take any action." pic.twitter.com/VOM80eiSuo
— ANI (@ANI) April 24, 2025
ପଢ଼ନ୍ତୁ- ‘ଘୁଷୁରୀକୁ ଲିପ୍ଷ୍ଟିକ୍ ଲଗାଇଲେ ବି ସେ ସୁଧୁରିବନି; ଏବେ ସମୟ ଆସିଛି ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କର’
ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଏନଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ସର୍ବଦଳୀୟ ବୈଠକରେ ରାଜନାଥ ସିଂହ ଅଧ୍ୟକ୍ଷତା କରିଥିଲେ। ଅମିତ ଶାହ ଥିଲେ। ଆମେ ସମସ୍ତେ ମିଶି ପହଲଗାମରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ନିନ୍ଦା କରିଥିଲୁ। କାଶ୍ମୀରରେ ଶାନ୍ତି ଫେରାଇ ଆଣିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି କହିଥିବା ଖଡଗେ କହିଛନ୍ତି।
ସେହିପରି ଟିଏମ୍ସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ମଧ୍ୟ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ସର୍ବଦଳୀୟ ବୈଠକରେ ସୁରକ୍ଷା ତୃଟି ନେଇ ଆଲୋଚନା ହୋଇଥିଲା। ତେବେ ସରକାର ଦେଶର ସ୍ୱାର୍ଥ ରକ୍ଷା ପାଇଁ ଯେଉଁ ଆକ୍ସନ ନେବେ ଆମେ ବିରୋଧୀ ଦଳ ପୂର୍ଣ୍ଣ ସମର୍ଥନ ଦେବୁ ବୋଲି ସେ କହିଛନ୍ତି।
ପଢନ୍ତୁ- ସୀମାରେ BSF ଜବାନଙ୍କୁ ଧରିନେଲେ ପାକିସ୍ତାନୀ ରେଞ୍ଜର୍ସ, ଆଖିରେ ପଟି ବାନ୍ଧି ଜାରି କଲେ ଫଟୋ
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଆଜି ବୈଠକରେ ଭାରତ ଏକ ହୋଇ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ଉଚିତ ବୋଲି ସମସ୍ତେ ଏକମତ ହୋଇଛନ୍ତି। ଭାରତ ଅତୀତରେ ଆତଙ୍କବାଦ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଆଗକୁ ମଧ୍ୟ କରିବ। ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ଆପ୍ ସଂସଦ ସଞ୍ଜୟ ସିଂହ ମଧ୍ୟ ବୈଠକରୁ ଫେରିବା ପରେ ଆତଙ୍କବାଦ ବିରୋଧରେ କଡ଼ା ବୟାନ ଦେଇଥିଲେ। ଆତଙ୍କବାଦ ବିରୋଧରେ ସମୂଳେ ବିନାଶ କରିବା ପାଇଁ ସମସ୍ତେ ଏକମତ ହୋଇଥିଲୁ। ଯେଉଁ ପାକିସ୍ତାନ ଆତଙ୍କବାଦ ସୃଷ୍ଟି କରୁଛି ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସମସ୍ତେ ମତ ଦେଇଥିବା ସଞ୍ଜୟ ସିଂହ କହିଛନ୍ତି। ଏଥିସହିତ ସେ ସୁରକ୍ଷା ବ୍ୟବସ୍ଥା ଉପରେ କଡା ପ୍ରଶ୍ନ ଉଠାଇଥିଲେ। ସୁରକ୍ଷାରେ ତ୍ରୁଟି ଯୋଗୁ ଏପରି ହେଲା ବୋଲି ସେ କହିଥିଲେ।